ETV Bharat / bharat

ବଙ୍ଗ ରାସନ ବଣ୍ଟନ ହେରଫେର ମାମଲା; ଟିଏମସି ନେତା ଶାହାଜାହନଙ୍କୁ ଇଡିର ଚତୁର୍ଥ ସମନ

author img

By ETV Bharat Odisha Team

Published : Feb 23, 2024, 4:22 PM IST

Updated : Feb 23, 2024, 4:29 PM IST

ED Issues Summon To Shahjahan Sheikh: ସନ୍ଦେଶଖାଲି ବିବାଦ ଘଟଣାରେ ସ୍ଥାନୀୟ ଟିଏମସି ନେତା ଶାହାଜାହନ ଶେଖଙ୍କ ଲାଗି ବଢୁଛି ଅଡୁଆ । ଗୋଟିଏ ପଟେ ଗିରଫ ଦାବି କରି ରାଜରାସ୍ତାରେ ମହିଳା ଓ ଅନ୍ୟପଟେ ରାସନ ବଣ୍ଟନ ହେରଫେର ନେଇ ଇଡି ଜାରି କଲା ଚତୁର୍ଥ ସମନ । ଅଧିକ ପଢନ୍ତୁ

Shahjahan Sheikh
Shahjahan Sheikh

କୋଲକାତା: ପଶ୍ଚିମବଙ୍ଗ ଉତ୍ତର ପ୍ରଗଣା ୨୪ ଜିଲ୍ଲାର ସନ୍ଦେଶଖାଲି ବିବାଦ ଘଟଣା ପରେ ଟିଏମସି ନେତା ଶାହାଜାହନ ଶେଖଙ୍କ ଲାଗି ବଢିବାରେ ଲାଗିଛି ଅଡୁଆ । ଶାହାଜାହନଙ୍କ ଗିରଫ ଦାବି କରି ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ସେପଟେ ରାସନ ସାମଗ୍ରୀ ବଣ୍ଟନ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଶାହାଜାହନଙ୍କ ଘନିଷ୍ଠ କିଛି ବ୍ୟବସାୟୀଙ୍କ କୋଲକାତା ଓ ଅନ୍ୟ ଠିକଣାରେ ରେଡ କରିଛି । ଏହାପରେ ସମାନ ମାମଲାରେ ଶାହାଜାହନଙ୍କ ବିରୋଧରେ ଇଡି ଚତୁର୍ଥ ସମନ ଜାରି କରିଥିବା ବେଳେ ଜମି ହଡ଼ପ ମାମଲାରେ ଏକ ନୂଆ ମାମଲା ରୁଜୁ କରିଛି ।

ରାସନ ବଣ୍ଟନ ହେରଫେର ନେଇ ସମନ:- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗ ରାସନ ସାମଗ୍ରୀ ବଣ୍ଟନରେ ହେରଫେର ମାମଲାରେ କାର୍ଯ୍ୟାଳୟରେ ହାଜର ହେବା ଲାଗି ଚତୁର୍ଥ ସମନ ଜାରି କରିଛି । ଏହି ସମନରେ ଶାହାଜାହାନଙ୍କୁ ଫେବୃଆରୀ ୨୯ରେ କୋଲକାତାରେ ହାଜର ହେବା ଲାଗି କୁହାଯାଇଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି ଶାହାଜାହନ । ଏହାବାଦ ଇଡି ଜମି ହଡ଼ପ ମାମଲାରେ ଶାହାଜାହନଙ୍କ ବିରୋଧରେ ନୂଆ ମାମଲା ରୁଜୁ କରିଥିବା ବେଳେ ତାଙ୍କର କିଛି ଘନିଷ୍ଠ ବ୍ୟବସାୟୀଙ୍କ ଠିକଣାରେ ରେଡ କରିଛି ।

୧୦ ହଜାର କୋଟି ଠକେଇ ଅଭିଯୋଗ:- ତଦନ୍ତକାରୀ ଏଜେନ୍ସି ଇଡିର ଦାବି ଅନୁସାରେ ପଶ୍ଚିମବଙ୍କ ରାସନ ସାମଗ୍ରୀ ବଣ୍ଟନ ମାମଲାରେ ଶାହାଜାହନଙ୍କ ବିରୋଧରେ ୧୦ ହଜାର କୋଟି ଟଙ୍କାର ଠକେଇ ହୋଇଛି । ଏହି ମାମଲାରେ ଇଡି ପୂର୍ବରୁ ମମତା ସରକାରଙ୍କ ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକଙ୍କୁ ଗିରଫ କରିସାରିଛି । ଏହି ମାମଲାରେ ଯେତେବେଳେ ଗତ ଫେବୃଆରୀ ୫ ତାରିଖରେ ଇଡି ଅଧିକାରୀ ଶାହାଜାହନଙ୍କ ବାସଭବନରେ ଚଢାଉ କରିବା ଲାଗି ପହଞ୍ଚିଥିଲେ ସେତେବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

ଏହା ବି ପଢନ୍ତୁ- ସନ୍ଦେଶଖାଲି ମାମଲା: ଲୋକସଭା ସ୍ବାଧିକାର କମିଟି କାର୍ଯ୍ୟାନୁଷ୍ଠାନରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ରାଜ୍ୟ ରାଜନୀତି ସରଗରମ:- ଏହି ଘୋଟାଲାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ । ବିଜେପି ଓ ଟିଏମସି ମଧ୍ୟରେ ଏବେ ଆରୋପ ପ୍ରତ୍ୟୋରାପ ବଢିବାରେ ଲାଗିଛି । ଇଡି ଅଧିକାରୀଙ୍କ ଉପରେ ଆକ୍ରମଣକୁ ନେଇ ଟିଏମସିକୁ ବିଜେପି ନେତାମାନେ ନିନ୍ଦା କରିଥିବା ବେଳେ ସେପଟେ ଟିଏମସି ନେତୃବୃନ୍ଦ ଏହାର ଜବାବ ରଖିଛନ୍ତି । ମୋଦି ସରକାର ଇଡି ମାଧ୍ୟମରେ ନିଜ କ୍ଷମତାର ଅପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏହାସହ କେନ୍ଦ୍ର ମନରେଗା ପାଣ୍ଠି ଦେବା ବନ୍ଦ କରିଦେଇଥିବା ଟିଏମସି ଅଭିଯୋଗ ଆଣିଥିବା ବେଳେ ଏପଟେ ବିଜେପି କହିଛି ରାଜ୍ୟର ମମତା ସରକାର ଏହା ପାଣ୍ଠିକୁ ନେଇ ଭ୍ରଷ୍ଟାଚାର କରୁଛନ୍ତି ।

ଶାହାଜାହନଙ୍କ ଗିରଫ ଦାବିରେ ପୁଣି ରାଜରାସ୍ତାରେ ମହିଳା:- ଅନ୍ୟପଟେ ସନ୍ଦେଶଖାଲି ମହିଳା ବିରୋଧୀ ହିଂସା ଘଟଣାରେ ଶାହାଜାହନଙ୍କ ଗିରଫ ଦାବି କରି ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ପୀଡ଼ିତ ମହିଳା । ସନ୍ଦେଶଖାଲିରେ ତୃଣମୂଳ କଂଗ୍ରେସର ସ୍ଥାନୀୟ ନେତା ହେଉଛନ୍ତି ଶାହାଜାହନ ଶେଖ । ଶାହାଜାହନ ଓ ତାଙ୍କର କିଛି ସହଯୋଗୀ ନିୟମିତ ମହିଳାଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା । ସେମାନେ ଶାସକ ଦଳର କର୍ମୀ ହୋଇଥିବା କାରଣରୁ ସେମାନଙ୍କୁ ଗିରଫ କରାଯାଉନଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଣି ପୀଡିତା ମହିଳାମାନେ ସଂଘବଦ୍ଧ ଭାବେ ଏହାର ପ୍ରତିବାଦ କରିବା ସହ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆଜି ପୁଣି ମହିଳାମାନେ ସମାନ ଦାବି ରଖି ଆନ୍ଦୋଳନ କରିବା ପରେ ଘଟଣା ସ୍ଥଳରେ ଦକ୍ଷିଣ ବଙ୍ଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୁପ୍ରତିମ ସରକାର ପହଞ୍ଚିବା ସହ ବହୁ ମାତ୍ରାରେ ପୋଲିସ ଫୋର୍ସ ମୁତୟନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2024, 4:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.