ETV Bharat / bharat

ସନ୍ଦେଶଖାଲି ମାମଲା: ଲୋକସଭା ସ୍ବାଧିକାର କମିଟି କାର୍ଯ୍ୟାନୁଷ୍ଠାନରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

author img

By ETV Bharat Odisha Team

Published : Feb 19, 2024, 5:10 PM IST

Sandeshkhali Unrest: ଲୋକସଭା ସ୍ବାଧିକାର କମିଟି କାର୍ଯ୍ୟାନୁଷ୍ଠାନରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ସାଂସଦ ସୁକାନ୍ତ ମଜୁମଦାରଙ୍କ ଅଭିଯୋଗ କ୍ରମେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ସମନ କରିଥିଲା ସ୍ବାଧିକାର କମିଟି । ଅଧିକ ପଢନ୍ତୁ

ସନ୍ଦେଶଖାଲି ହିଂସା: ଲୋକସଭା ସ୍ବାଧିକାର କମିଟି କାର୍ଯ୍ୟାନୁଷ୍ଠାନରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ସନ୍ଦେଶଖାଲି ହିଂସା: ଲୋକସଭା ସ୍ବାଧିକାର କମିଟି କାର୍ଯ୍ୟାନୁଷ୍ଠାନରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସନ୍ଦେଶଖାଲି ହିଂସା ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଲୋକସଭା ସଚିବାଳୟ ସ୍ବାଧିକାର କମିଟି ଜାରି କରିଥିବା ନୋଟିସରେ ସ୍ଥଗିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏହି ହିଂସାର ପ୍ରତିବାଦ ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନରେ ବିଜେପି ସାଂସଦ ତଥା ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାକୁ ପୋଲିସର ଅନଧିକୃତ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ସାଂସଦ ମଜୁମଦାର ଲୋକସଭା ସ୍ବାଧିକାର କମିଟି ନିକଟରେ ଅଭିଯୋଗ କରିଥିଲେ । ଏହି ମାମଲାରେ ଲୋକସଭା ସ୍ବାଧିକାର କମିଟି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଭଗବତୀ ପ୍ରସାଦ ଗୋପାଲିକା ଓ ପୋଲିସ ଡିଜି ରାଜୀବ କୁମାରଙ୍କୁ ଆଜି (ସୋମବାର) ପୂର୍ବାହ୍ନରେ କମିଟି ସମ୍ମୁଖରେ ହାଜର ହେବାକୁ ନୋଟିସ ଜାରି କରିଥିଲେ । ଏହାକୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପର୍ଦ୍ଦିଓ୍ବାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ 3 ଜଣିଆ ଖଣ୍ଡପୀଠରେ ହୋଇଥିଲା । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଦୁଇ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ଅଭିଷେକ ମନୁ ସିଙ୍ଗଭି ପକ୍ଷ ରଖିଥିଲେ । କୋର୍ଟ ଲୋକସଭା ସ୍ବାଧିକାର କମିଟିର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା ସହ ନୋଟିସ ମଧ୍ୟ ଜାରି କରିଛନ୍ତି । ଆସନ୍ତା 4 ସପ୍ତାହ ମଧ୍ୟରେ ଲୋକସଭା ସ୍ବାଧିକାର କମିଟି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସତ୍ୟପାଠ ଦାଖଲ କରିବ । ସେହିପରି ଏହି ମାମଲାରେ କୋର୍ଟଙ୍କ ତତ୍ତ୍ବାବଧାନରେ ସିବିଆଇ କିମ୍ବା ଏସଆଇଟି କରି ତଦନ୍ତ ନିର୍ଦ୍ଦେଶ ଦେବାକୁ ହୋଇଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି । ପୂର୍ବପରି ପଶ୍ଚିମବଙ୍ଗ ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିବ ।

ଏହା ମଧ୍ୟ ପଢନ୍ତୁ :- ୟୁପିରେ କଂଗ୍ରେସକୁ ଆଜି ସଂଧ୍ୟା ପର୍ଯ୍ୟନ୍ତ ମହଲତ ଦେଲେ ଅଖିଳେଶ, 15ରୁ ଅଧିକ ଆସନ ମାଗିଲେ ମେଣ୍ଟ ନାହିଁ

ପଶ୍ଚିମବଙ୍ଗ ଉତ୍ତର 24-ପ୍ରଗଣା ଜିଲ୍ଲାରେ ତୃଣମୂଳ କଂଗ୍ରେସର କିଛି ସ୍ଥାନୀୟ ନେତାଙ୍କ ଦ୍ବାରା ମହିଳାମାନେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଥିଲା । ପୀଡିତାମାନେ ପ୍ରତିବାଦ କରିବା ପରେ ଏହାକୁ ନେଇ ଶାସକ ଦଳ ଟିଏମସିକୁ ବିରୋଧୀ ବିଜେପି ଘେରିଥିଲା । ବିଜେପି ସାଂସଦ ତଥା ଦଳର ରାଜ୍ୟ ସଭାପତି ସୁକାନ୍ତ ମଜୁମଦାରଙ୍କ ନେତୃତ୍ବରେ ବିଜେପି ଟିମ୍‌ ସନ୍ଦେସଖାଲି ଅଭିମୁଖେ ଯାତ୍ରା କରିବା ବେଳେ ବସିରହାଟରେ ପୋଲିସ ସେମାନଙ୍କୁ ବାଧା ଦେଇଥିଲା । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ସାଂସଦ ସୁକାନ୍ତ ଆହତ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଲୋକସଭା ସ୍ବାଧିକାର କମିଟିରେ ମଧ୍ୟ ପହଞ୍ଚିଥିଲା । ଜଣେ ସାଂସଦଙ୍କ ପ୍ରତି ପୋଲିସ ଅନଧିକୃତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗରେ ଲୋକସଭା ସ୍ବାଧିକାର କମିଟି ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲା । ଏବେ ସର୍ବୋଚ୍ଚ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.