ETV Bharat / bharat

ରାମେଶ୍ବରମ କାଫେ ବିସ୍ଫୋରଣ ଅଭିଯୁକ୍ତଙ୍କୁ NIA ନୁହେଁ, ପଶ୍ଚିମବଙ୍ଗ ପୋଲିସ ଗିରଫ କରିଛି: ମମତା - Mamata On Rameshwaram Cafe Blast

author img

By ETV Bharat Odisha Team

Published : Apr 12, 2024, 6:18 PM IST

MAMATA ON RAMESHWARAM CAFE BLAST
MAMATA ON RAMESHWARAM CAFE BLAST

MAMATA ON RAMESHWARAM CAFE BLAST: ଆଜି ପଶ୍ଚିମବଙ୍ଗରୁ ଗିରଫ ହୋଇଛନ୍ତି ରାମେଶ୍ବରମ କାଫେ ବିସ୍ଫୋରଣ ଅଭିଯୁକ୍ତ । ଏମାନଙ୍କୁ NIA ଗିରଫ କରିଥିବା ବିଜେପି ଦାବି କରିବା ପରେ ମତ ରଖିଛନ୍ତି ମମତା ବାନାର୍ଜୀ । ଅଧିକ ପଢନ୍ତୁ

କୋଲକାତା: ଜାତୀୟ ତଦନ୍ତକାରୀ ଏଜେନ୍ସି (NIA)କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟାର୍ଗେଟ । ଆଜି (ଶୁକ୍ରବାର) ବେଙ୍ଗାଲୁରୁ ସ୍ଥିତ ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାରେ 2 ଜଣ ମାଷ୍ଟର ମାଇଣ୍ଡଙ୍କୁ ପଶ୍ଚିମବଙ୍ଗ କ୍ୟାପିଟାଲ ସିଟି କୋଲକାତାରୁ ଗିରଫ କରାଯାଇଛି । ତେବେ ଏନଆଇଏ ଦ୍ବାରା ନୁହେଁ, ବରଂ ପଶ୍ଚିମବଙ୍ଗ ପୋଲିସ ଦ୍ବାରା ଏହି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ମମତା ଦାବି କରିଛନ୍ତି । ଏହାସହିତ 'ପଶ୍ଚିମବଙ୍ଗ ଆତଙ୍କବାଦୀଙ୍କ ଲାଗି ସୁରକ୍ଷିତ ସ୍ବର୍ଗ' ପାଲଟିଥିବା ବିଜେପି ଅଭିଯୋଗ ଉପରେ ମଧ୍ୟ ମମତା ମତ ରଖିଛନ୍ତି ।

ଏହି ଘଟଣାରେ ଶାସକ ଦଳ ତୃଣମୂଳ କଂଗ୍ରେସ (TMC) ବିଜେପି ଉପରେ ବର୍ଷିଛି । ମମତା କହିଛନ୍ତି ଯେ ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାର ଦୁଇ ମାଷ୍ଟର ମାଇଣ୍ଡଙ୍କୁ ଏନଆଇଏ ଗିରଫ କରିଥିବା ବିଜେପି ଦାବି କରୁଛି । ମାତ୍ର ରାଜ୍ୟ ପୋଲିସ ଦ୍ବାରା ଏହି ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରାଯାଇଛି । ପୂର୍ବ ମେଦିନାପୁରର କାଣ୍ଠିରୁ ଏମାନଙ୍କୁ ବଙ୍ଗ ପୋଲିସ ଗିରଫ କରିଛି । ମମତା ଉତ୍ତର ବଙ୍ଗରେ ଏପ୍ରିଲ 12ରୁ 16 ତାରିଖ ପର୍ଯ୍ୟନ୍ତ ଆସନ୍ତା ଲୋକସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ଦିନହାଟ ସଙ୍ଘଟି ମୈଦାନରେ ପ୍ରଥମେ ଓ ଦ୍ବିତୀୟରେ କାଲଚିନିଠାରେ ଜନସଭାରେ ଯୋଗ ଦେଇଛନ୍ତି ।

ଏହା ବି ପଢନ୍ତୁ- ରାମେଶ୍ବରମ କାଫେ ବିସ୍ଫୋରଣ ମାମଲାରେ ଏନଆଇଏର ଆକ୍ସନ, 2 ମାଷ୍ଟରମାଇଣ୍ଡ ଗିରଫ

ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଥିଲେ ଯେ ରାମେଶ୍ବରମ କାଫେ ବିସ୍ଫୋରଣ ମାଷ୍ଟର ମାଇଣ୍ଡଙ୍କୁ ଏନଆଇଏ ଗିରଫ କରିଛି । ଏହାପରେ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ଏକ୍ସ ସାଇଟରେ ଏକ ପୋଷ୍ଟ କରାଯାଇଥିଲା । ରାଜ୍ୟ ପୋଲିସ ଦ୍ବାରା ସେମାନଙ୍କୁ ଗିରଫ କରାଯାଇଥିଲା, ଏନଆଇଏ ଦ୍ବାରା ନୁହେଁ ବୋଲି ସ୍ପଷ୍ଟ କରାଯାଇଥିଲା । ଏହି ପୋଷ୍ଟରେ କୁହାଯାଇଥିଲା ଯେ ରାଜ୍ୟ ପୋଲିସ ଦ୍ବାରା ଏମାନଙ୍କୁ ପୂର୍ବ ମେଦିନାପୁରରୁ ଗିରଫ କରାଯିବା ପରେ ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା ।

ଏହି ପ୍ରସଙ୍ଗ ଉପରେ ଆଜି ଦିନହାଟରେ ମମତା ମତ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରି କହିଥିଲେ, " ବେଙ୍ଗାଲୁରୁରେ ଏକ ବୋମା ବିସ୍ଫୋରଣ ହେଲା । ଅଭିଯୁକ୍ତମାନେ କର୍ଣ୍ଣାଟକର, ପଶ୍ଚିମବଙ୍ଗର ନୁହେଁ । ସେମାନେ ଏଠାରେ ଲୁଚି ରହିଥିଲେ, ମାତ୍ର ଆମେ 2 ଘଣ୍ଟା ମଧ୍ୟରେ ସେମାନଙ୍କୁ ଗିରଫ କରିଥିଲୁ । ପଶ୍ଚିମବଙ୍ଗର ଲୋକେ ଶାନ୍ତିରେ ରୁହନ୍ତି, ଯାହାକି ବିଜେପିକୁ ହଜମ ହେଉନାହିଁ । ଉତ୍ତର ପ୍ରଦେଶ ଓ ଗୁଜୁରାଟ ସୁରକ୍ଷିତ କି ? "

ସେପଟେ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ରାମେଶ୍ବରମ କାଫେ ବିସ୍ଫୋରଣ ଅଭିଯୁକ୍ତ ଗିରଫ ହେବା ପରେ ତୁରନ୍ତ ମତ ରଖିଥିଲେ । ସେ କହିଥିଲେ, "ମମତା ସରକାର ଅଧୀନରେ ଅନ୍ତର୍ଜାତୀୟ ଆତଙ୍କବାଦୀଙ୍କ ଲାଗି ପଶ୍ଚିମବଙ୍ଗ ସୁରକ୍ଷିତ ସ୍ଥାନ ପାଲଟିଛି ।" ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ସମାନ ଅଭିଯୋଗ ଆଣି କହିଥିଲେ, " ପଶ୍ଚିମବଙ୍ଗ ଆତଙ୍କବାଦୀଙ୍କ ଲାଗି ସୁରକ୍ଷିତ ସ୍ବର୍ଗ ପାଲଟିଛି।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.