ETV Bharat / bharat

ଆଜି ରାମନବମୀ; ଉତ୍ସବମୁଖର ଅଯୋଧ୍ୟା, ସୂର୍ଯ୍ୟତିଳକରେ ଅଭିଷିକ୍ତ ହେବେ ରାମଲାଲା - Ram Navami

author img

By ETV Bharat Odisha Team

Published : Apr 17, 2024, 8:43 AM IST

Updated : Apr 17, 2024, 9:52 AM IST

Ram Navami 2024
Ram Navami 2024

Ram Navami 2024: ଆଜି ହେଉଛି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମଦିନ । ଚାରିଆଡେ ଜୟ ଶ୍ରୀ ରାମର ନାରା । ଭକ୍ତିମୟ ପରିବେଶରେ ଭାବବିହ୍ବଳ ଭକ୍ତ । ଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ରାମ ନବମୀ ମହୋତ୍ସବ ହୋଇଥିବାରୁ ଉତ୍ସାହିତ ଶ୍ରଦ୍ଧାଳୁ । ରାମଲାଲାଙ୍କ ଦିବ୍ୟ ଦର୍ଶନ ପାଇଁ ମନ୍ଦିରରେ ଅସମ୍ଭାଳ ଭିଡ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଆଜିର ଦିନରେ ପାପର କ୍ଷୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ରାମ ନବମୀକୁ ନେଇ ଆଜି ସାରା ଦେଶ ଉତ୍ସବମୁଖର । ସେହିପରି ପ୍ରାଣ ପ୍ରତିଷ୍ଠା ପରେ ଆଜି ଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ଥର ରାମ ନବମୀ ମହୋତ୍ସବ ଆୟୋଜିତ ହେଉଥିବାରୁ ଚଳଚଞ୍ଚଳ ରହିଛି ରାମ ନଗରୀ । ସଜେଇ ହୋଇଛି ସାରା ଅଯୋଧ୍ୟା । ଭୋର୍ ସକାଳୁ ମନ୍ଦିରରେ ବାଲକ ରାମଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ ଜମୁଛି । ଆଜି ରାମନବମୀରେ ପ୍ରଥମ ଥର ଅଯୋଧ୍ୟାରେ ରାମଲାଲାଙ୍କ ଦିବ୍ୟ ଦର୍ଶନ ହେବ । ସୂର୍ଯ୍ୟତିଳକରେ ଅଭିଷିକ୍ତ ହେବେ ରାମଲାଲା । ମଧ୍ୟାହ୍ନ 12ଟାରେ 4 ମିନିଟ୍ ଯାଏ ସୂର୍ଯ୍ୟଙ୍କ କିରଣ ରାମଲାଲାଙ୍କ ସମସ୍ତକୁ ସୁଶୋଭିତ କରିବ ।

Ram Navami
Ram Navami

ଚୈତ୍ର ଶୁକ୍ଳପକ୍ଷର ନବମୀ ତିଥିରେ ରାମନବମୀ ପାଳିତ ହୁଏ । ପ୍ରଭୁ ରାମ ଥିଲେ ଧର୍ମର ପ୍ରତୀକ । ବିଶ୍ୱରେ ଧର୍ମ ଓ ଏକତାର କରିଥିଲେ ସ୍ଥାପନା । ଧର୍ମଶାସ୍ତ୍ର ଅନୁଯାୟୀ, ଚୈତ୍ର ମାସରେ ପଡୁଥିବା ରାମ ନବମୀ ପୃଥିବୀରେ ପରମାତ୍ମାଙ୍କ ଶକ୍ତିର ପ୍ରତୀକ । ଶ୍ରୀରାମଙ୍କ ଜନ୍ମ ଦୁଷ୍ଟ ରାବଣର ବଧ ନିମନ୍ତେ ହୋଇଥିଲା । ସେଥିପାଇଁ ରାମ ନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ । ହିନ୍ଦୁଙ୍କ ପାଇଁ ଏହି ପର୍ବର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏନେଇ ସାରା ଦେଶ ଉତ୍ସବମୁଖର । ଧୁମଧାମରେ ରାମ ନବମୀ ଉତ୍ସବ ପାଳନ ହେଉଛି । ସବୁଆଡେ ଆଧ୍ୟାତ୍ମିକ ମହୋଲ ସୃଷ୍ଟି ହୋଇଛି । ରାମନାମ ଧ୍ବନିରେ କମ୍ପୁଛି ଚତୁର୍ଦିଗ ।

Ram Navami
Ram Navami

ସେପଟେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ଥର ପାଇଁ ରାମ ନବମୀ ପାଳନ କରାଯିବ । ଏହି ପବିତ୍ର ଉତ୍ସବରେ ରାମଲାଲାଙ୍କର ହେବ ସୂର୍ଯ୍ୟତିଳକ । ଏଥିସହ ରାମଲାଲାଙ୍କ ନିକଟରେ 56 ପ୍ରକାରର ଭୋଗ ଅର୍ପଣ କରାଯିବ । ଆଜି ମଧ୍ୟାହ୍ନ ସମୟରେ ରାମଲାଲାଙ୍କ ସୂର୍ଯ୍ୟତିଳକ ହେବ । ପ୍ରଭୁ ରାମଙ୍କ ମସ୍ତକରେ 4 ମିନିଟ ଧରି ଏହା ଶୋଭାବର୍ଦ୍ଧନ କରିବ । ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବ୍ୟବସ୍ଥା କରାଯାଇଛି । ସେହିପରି ଭକ୍ତମାନଙ୍କ ଦ୍ବାରା ପ୍ରସ୍ତୁତ ଭୋଗ ଆଜି ମଧ୍ୟାହ୍ନରେ ପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବ ।

ରାମନବମୀର ପୌରାଣିକ କଥା:

ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ତ୍ରେତୟା ଯୁଗରେ ଅଯୋଧ୍ୟା ରାଜା ଥିଲେ ଦଶରଥ । ତାଙ୍କର ତିନି ରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ରାଜାଙ୍କର କୌଣସି ସନ୍ତାନ ନଥିବା ତାଙ୍କର ବଡ ଦୁଃଖ ଥିଲା । ପୁତ୍ରେଷ୍ଠି ଯଜ୍ଞ କରିଥିଲେ । ଯଜ୍ଞେଶ୍ବର ଯଜ୍ଞକୁଣ୍ଡରୁ ଆର୍ବିଭାବ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନ ସେବନ ପାଇଁ ଦେଇଥିଲେ । ସେହି ଚରୁଅନ୍ନକୁ ତିନି ରାଣୀ ସେବନ କରିଥିଲେ । ଏହାପରେ ଅଯୋଧ୍ୟା ନରେଶ ରାଜା ଦଶରଥ ଓ କୌଶଲ୍ୟାଙ୍କ ପୁତ୍ର ଭାବେ ଚୈତ୍ର ନବମୀରେ ଶ୍ରୀରାମଙ୍କ ଜନ୍ମ ହୋଇଥିଲା । କୈକେୟୀ ଭରତ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଇଥିଲେ ।

ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ଅଧର୍ମର ବିଲୋପ ଓ ରାବଣ ରାକ୍ଷସମାନଙ୍କୁ ସଂହାର କରିବାକୁ ଧରାପୃଷ୍ଠକୁ ଅବତରଣ କରିଥିଲେ । ମିଥିଳା ନରେଶ ରାଜା ଜନକଙ୍କ କନ୍ୟା ମାତା ସୀତାଙ୍କୁ ବିବାହ କରିଥିଲେ ପ୍ରଭୁ ରାମଚନ୍ଦ୍ର । ପିତୃସତ୍ୟ ପାଳନ କରି 14 ବର୍ଷ ବନବାସ ଯାଇଥିଲେ । ସାଥୀରେ ମାତା ସୀତା ଓ ଭାଇ ଲକ୍ଷ୍ମଣ ଯାଇଥିଲେ । ଏହି ସମୟରେ ସୀତାଙ୍କୁ ଅପହରଣ କରି ନେଇଥିଲା ରାବଣ । ଏହାପରେ ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣକୁ ବଧ କରି ସୀତାଙ୍କୁ ଉଦ୍ଧାର କରି ଆଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ପବିତ୍ର ରାମ ନବମୀ ଉପଲକ୍ଷେ ମନ୍ଦିରଗୁଡିକରେ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ ଆଦି ହୋଇଥାଏ । ବିଶେଷ କରି ରାମ ଚରିତ ମାନସ ପାଠ କରାଯାଏ ।

ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାରକୁ ଭଗବାନ ରାମଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଏ । ଏହି ଶୁଭ ମୂହୁର୍ତ୍ତକୁ ଭକ୍ତମାନେ ରାମନବମୀ ରୂପେ ପାଳନ କରିଥାନ୍ତି । ପବିତ୍ର ନଦୀରେ ସ୍ନାନ କରି ପୂଣ୍ୟର ଭାଗିଦାରୀ ହୋଇଥାନ୍ତି । ଭଗବାନ ଶିବଙ୍କ ଉପାସକମାନେ ମଧ୍ୟ ଏହି ପବିତ୍ର ପର୍ବକୁ ବ୍ୟାପକ ରୂପେ ମନାଇଥାନ୍ତି । ମାନ୍ୟତା ଅଛି ଯେ, ରାମ ନବମୀ ଦିନ ଭଗବାନ ରାମ ଓ ମା' ଭଗବତୀଙ୍କ ବିଧିବଦ୍ଧ ପୂଜାର୍ଚ୍ଚନା କରିବା ଦ୍ବାରା ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ । ଏବଂ ସମସ୍ତ ପ୍ରକାର କଷ୍ଟରୁ ମୁକ୍ତି ମିଳିଥାଏ ।

ଏହା ମଧ୍ୟ ପଢନ୍ତୁ-ଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ରାମ ନବମୀ, ଲାଗି ହେବ 56 ପ୍ରକାର ଭୋଗ

Last Updated :Apr 17, 2024, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.