ETV Bharat / bharat

ଆଉ ପାଦେ ଆଗେଇେଲା ମିଶନ ‘ଗଗନଯାନ’: କ୍ରାୟୋଜେନିକ ଇଞ୍ଜିନ ପରୀକ୍ଷଣ ସଫଳ

author img

By ETV Bharat Odisha Team

Published : Feb 21, 2024, 4:26 PM IST

ମିଶନ ଗଗନଯାନ: କ୍ରାୟୋଜେନିକ ଇଞ୍ଜିନ ପରୀକ୍ଷଣ ସଫଳ
ମିଶନ ଗଗନଯାନ: କ୍ରାୟୋଜେନିକ ଇଞ୍ଜିନ ପରୀକ୍ଷଣ ସଫଳ

Gaganyaan Mission: ଆଉ ପାଦେ ଆଗେଇଲା ଇସ୍ରୋ । ଆଜି କ୍ରାୟୋଜେନିକ ଇଞ୍ଜିନ ପରୀକ୍ଷଣ ସଫଳ । 2025 ସୁଦ୍ଧା ମହାକାଶରେ ପହଞ୍ଚିବେ ଭାରତୀୟ । ଅଧିକ ପଢନ୍ତୁ,

ବେଙ୍ଗାଲୁରୁ: ଚନ୍ଦ୍ର ଓ ସୂର୍ଯ୍ୟ ମିଶନ ସଫଳ ହେବା ପରେ ବର୍ଷ ଆରମ୍ଭରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ ଟ୍ରାଏଲରେ ଆଉ ପାଦେ ଆଗକୁ ବଢିଛି । ଭାରତୀୟ ମହାକାଶଚାରୀଙ୍କୁ ମହାକାଶ ପଠାଇବାରେ ବ୍ୟବହାର ହେବାକୁ ଥିବା କ୍ରାୟୋଜେନିକ ଇଞ୍ଜିନର ଆଜି ସଫଳ ପରୀକ୍ଷଣ କରିଛି ‘ଇସ୍ରୋ’ । ଏହି କ୍ରାୟୋଜେନିକ ଇଞ୍ଜିନ ହିଁ ଉତକ୍ଷେପଣରେ ବ୍ୟବହାର ହେବାକୁ ଥିବା ରକେଟରେ ବ୍ୟବହାର ହେବ ।

ଏହି ବହୁପ୍ରତୀକ୍ଷିତ ମିଶନରେ ‘ସିଇ-20’ କ୍ରାୟୋଜେନିକ ଇଞ୍ଜିନ ବ୍ୟବହାର ହେବାକୁ ଯାଉଛି । ଏହି ଇଞ୍ଜିନ ଏବେ ସମ୍ପୂର୍ଣ୍ଣ ସଫଳତାର ପରୀକ୍ଷଣ ହୋଇସାରିଛି । ମାନବ ରେଟିଂ ମାନକ ସହ ଏହି ଇଞ୍ଜିନକୁ ଭିନ୍ନ ଭିନ୍ନ 39 ହଟ ଫାଏରିଂ ଷ୍ଟାଟସ ସହ ପରୀକ୍ଷଣ କରାଯାଇଥିଲା । ଏହି ପ୍ରଜ୍ଜଳନ ପ୍ରକ୍ରିୟା ମୋଟ 8 ହଜାର 810 ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିଲା । ତେବେ ସଫଳ ପରୀକ୍ଷଣ ପାଇଁ ପାଇଁ 6 ହଜାର 350 ସେକେଣ୍ଡ ପର୍ଯ୍ୟନ୍ତ ଇଞ୍ଜିନ ସମ୍ପୂର୍ଣ୍ଣ ସଠିକତାର ସହ ସଞ୍ଚାଳିତ ହେବା ଜରୁରୀ ଥିଲା । ପରୀକ୍ଷଣର ପ୍ରତ୍ୟେକ ପର୍ଯ୍ୟାୟରେ ଏହି ଇଞ୍ଜିନ ସମ୍ପୂର୍ଣ୍ଣ ସଠିକତାର ସହ କାର୍ଯ୍ୟ ସମ୍ପାଦନ କରିଛି । ତେବେ ମାନବ ଉତକ୍ଷେପଣ କରିବା ପୂର୍ବରୁ ଇସ୍ରୋ ମାନବବିହୀନ ମିଶନମଧ୍ୟ ଶେଷ କରିବ । ଚଳିତବର୍ଷ ମଧ୍ୟଭାଗ ସୁଦ୍ଧା ଏହି ମାନବବିହୀନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଗଗନଯାନ ମିଶନ କ’ଣ :-

ଭାରତ ବର୍ତ୍ତମାନ ବିଶ୍ବରେ ଏକ ପ୍ରମୁଖ ମହାକାଶ ଶକ୍ତି ଭାବେ ସାମ୍ନାକୁ ଆସିଛି । ଚନ୍ଦ୍ରର ଅଣଆବିସ୍କୃତ ଦକ୍ଷିଣ-ମେରୁରେ ପ୍ରଥମ ଦେଶ ଭାବେ ଭାରତ ମହାକାଶ ଯାନ ଅବତରଣ କରାଇବାରେ ରେକର୍ଡ ସୃଷ୍ଟି କରିଛି । ସେହିପରି ସୂର୍ଯ୍ୟ ଅଧ୍ୟୟନ ମିଶନ ‘ଆଦିତ୍ୟ-ଏଲ 1’ ମଧ୍ୟ ସଫଳତାର କାର୍ଯ୍ୟ ଜାରି ରହିଛି । ହେଲେ ମହାକାଶକୁ ମାନବ ପଠାଇବାରେ ଭାରତର ଏହା ପ୍ରଥମ ମିଶନ ହେବାକୁ ଯାଉଛି ।

ଭାରତୀୟ ମହାକାଶ ସଂସ୍ଥା ଚାରି ଜଣ ମହାକାଶଚାରୀଙ୍କୁ ତାଲିମ ଦେବା ଆରମ୍ଭ କରିସାରିଛି । ଏମାନଙ୍କ ପରିଚୟ ଗୁପ୍ତ ରଖାଯାଇଛି । ଏହି ମିଶନ ଅଧୀନରେ ତିନିଜଣ ମହାକାଶଚାରୀଙ୍କୁ ପୃଥିବୀର 400 କିଲୋମିଟର ଦୂର କକ୍ଷପଥକୁ ପଠାଯିବ । ସେଠାରେ କିଛି ଦିନ ରହିବା ପରେ ସେମାନଙ୍କୁ ସୁରକ୍ଷିତ ଭୂପୃଷ୍ଠକୁ ଫେରାଇ ଅଣାଯିବ । 2025 ସୁଦ୍ଧା ଭାରତୀୟ ମହାକାଶଚାରୀ ଏହି ମିଶନ ଅଧିନରେ ମହାକାଶରେ ପହଞ୍ଚିବେ । 2024 ସୁଦ୍ଧା ମହାକାଶରେ ଭାରତ ନିଜର ସ୍ପେଶ ଷ୍ଟେସନ ମଧ୍ୟ ନିର୍ମାଣ କରିବାର ଲକ୍ଷ୍ୟ ରଖିଛି ।

ଏହା ମଧ୍ୟ ପଢନ୍ତୁ :- କୃଷକଙ୍କ ଦିଲ୍ଲୀ ମାର୍ଚ୍ଚ: ବ୍ୟାରିକେଡ୍ ଭାଙ୍ଗିବାକୁ ଶମ୍ଭୁ ସୀମାରେ JCBର ସହାୟତା, ପୋଲିସକୁ ଘାରିଲା ସୁରକ୍ଷା ଚିନ୍ତା

ଗତବର୍ଷ ଅକ୍ଟୋବର 21 ତାରିଖରେ ଏହି ମିଶନର ହ୍ୟୁମାନ ମଡ୍ୟୁଲ (କ୍ର୍ୟୁ ମଡ୍ୟୁଲ) ସଫଳ ପରୀକ୍ଷଣ ହୋଇସାରିଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରୀକୋଟାରୁ ଏହାକୁ ଉତକ୍ଷେପଣ କରାଯାଇଥିଲା । କ୍ରୁ ମଡ୍ୟୁଲାର 17 କିଲୋମିଟର ଉପରକୁ ଗତି କରି ପୁଣି ଭୂପୃଷ୍ଠକୁ ଫେରିଥିଲା । ଉତକ୍ଷେପଣର 11.9 କିଲୋମିଟର ଉଚ୍ଚରେ କ୍ର୍ୟୁ ମଡ୍ୟୁଲ ‘ଟିଭି ଡି-1’ ରେ ରହିଥିବା ପାରାସୁଟ ଖୋଲିଥିଲା । ଏହା ସାହାଯ୍ୟରେ ସଫଳତାର ସହିତ ବଙ୍ଗୋପସାଗର ଜଳରାଶିରେ ସଫଳତା ପୂର୍ବକ ଅବତରଣ କରିଥିଲା । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭାରତୀୟ ନୌସେନାର ଏକ ଟିମ ଏହି କ୍ର୍ୟୁ ମଡ୍ୟୁଲକୁ ଉଦ୍ଧାର କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.