ETV Bharat / bharat

ନିର୍ବାଚନ ଆୟୋଗ ଅଫିସିଆଲ ଓ୍ବେବସାଇଟରେ ଅପଲୋଡ ହେଲା ନିର୍ବାଚନୀ ବଣ୍ଡ ତଥ୍ୟ

author img

By ETV Bharat Odisha Team

Published : Mar 14, 2024, 9:49 PM IST

ନିର୍ବାଚନ ଆୟୋଗ ଅଫିସିଆଲ ଓ୍ବେବସାଇଟରେ ଅପଲୋଡ ହେଲା ନିର୍ବାଚନୀ ବଣ୍ଡ ତଥ୍ୟ
ନିର୍ବାଚନ ଆୟୋଗ ଅଫିସିଆଲ ଓ୍ବେବସାଇଟରେ ଅପଲୋଡ ହେଲା ନିର୍ବାଚନୀ ବଣ୍ଡ ତଥ୍ୟ

Election Commission of India uploads the data on electoral bonds: ନିର୍ବାଚନ ଆୟୋଗ ନିଜ ଅଫିସିଆଲ ଓ୍ବେବସାଇଟରେ ଅପଲୋଡ କଲେ ନିର୍ବାଚନୀ ବଣ୍ଡ ତଥ୍ୟ । ଦାଖଲ କରିଥିଲା ଷ୍ଟେଟବ୍ୟାଙ୍କ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଷ୍ଟେଟବ୍ୟାଙ୍କ ଠାରୁ ସଂଗୃହିତ ହୋଇଥିବା ନିର୍ବଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ନିର୍ବାଚନ ଆୟୋଗଙ୍କ ଅଫିସିଆଲ ଓ୍ବେବ-ସାଇଟରେ ଅପଲୋଡ ହୋଇଛି । ବ୍ୟାଙ୍କଠାରୁ ତଥ୍ୟ ହାସଲର 48 ଘଣ୍ଟା ମଧ୍ୟରେ ଏହାକୁ ସାଇଟରେ ଅପଲୋଡ କରାଯାଇଛି । 763 ପୃଷ୍ଠାର ଦୁଇଟି ତାଲିକା ନିର୍ବାଚନ ଆୟୋଗ ୱେବସାଇଟରେ ପୋଷ୍ଟ କରାଯାଇଛି । ଏକ ତାଲିକାର ପ୍ରଥମ ଭାଗରେ ଯେଉଁ ସଂସ୍ଥା ଓ ବ୍ୟକ୍ତିବିଶେଷ ନିର୍ବାଚନୀ ବଣ୍ଡ କିଣିଛନ୍ତି ସେମାନଙ୍କ ସମସ୍ତ ବିବରଣୀ ରହିଛି । ଦ୍ୱିତୀୟ ତାଲିକାରେ ରାଜନୈତିକ ଦଳଗୁଡିକ ଗ୍ରହଣ କରିଥିବା ବଣ୍ଡ ସମ୍ପର୍କିତ ବିବରଣୀ ରହିଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନିର୍ବାଚନ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଏସବିଆଇକୁ କହିଥିଲେ । ଏବେ ଯେକେହି ସାଧାରଣ ବ୍ୟକ୍ତିବିଶେଷ ନିର୍ବାଚନ ଆୟୋଗଙ୍କ ସାଇଟ ଭିଜିଟ କରି ସମଗ୍ର ତଥ୍ୟ ସମ୍ପର୍କରେ ଜାଣିପାରିବ ।

ନିର୍ବାଚନୀ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡିକର ଦାତାମାନଙ୍କ ମଧ୍ୟରେ ଏକାଧିକ ପ୍ରତିଷ୍ଠିତ କମ୍ପାନୀ ଓ ବ୍ୟବସାୟିକ ସଂସ୍ଥା ରହିଛନ୍ତି । ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ପିରାମଲ୍ କ୍ୟାପିଟାଲ୍ ଏବଂ ହାଉସିଂ ଫାଇନାନ୍ସ ଲିମିଟେଡ୍, ପିରାମଲ୍ ଏଣ୍ଟରପ୍ରାଇଜେସ୍ ଲିମିଟେଡ, ମୁଥୁଟ ଫାଇନାନ୍ସ ଲିମିଟେଡ, ପେଗାସସ୍ ପ୍ରପର୍ଟିଜ୍ ପ୍ରାଇଭେଟ ଲିମିଟେଡ, ବେଦାନ୍ତ ଲିମିଟେଡ, ବଜାଜ ଫାଇନାନ୍ସ ଲିମିଟେଡ, ଭାରତୀୟ ଏୟାରଟେଲ ଲିମିଟେଡ ଅନ୍ତର୍ଭୁକ୍ତ ।

ସୂଚନା ଅନୁସାରେ, ନିର୍ବାଚନୀ ବଣ୍ଡ ମାମଲାରେ ଫେବୃଆରୀ 15 ତାରିଖରେ ଶୁଣାଣି କରି ଐତିହାସିକ ରାୟ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ମୋଦି ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଏହି ଯୋଜନାର କାର୍ଯ୍ୟକାରିତା ଅସାମ୍ବିଧାନିକ ଓ ସୂଚନା ଅଧିକାର ଅଧିନିୟମର ବିରୋଧୀ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ । ଷ୍ଟେଟବ୍ୟାଙ୍କ ତୁରନ୍ତ ଏହି ‘ନିର୍ବାଚନ ବଣ୍ଡ’ ବ୍ୟବସ୍ଥା ବନ୍ଦ କରିବା ସହ 2019 ପରଠାରୁ କେତେ ସଂଖ୍ୟକ ବଣ୍ଡ ବିକ୍ରି ହୋଇଛି ଓ କେଉଁ ରାଜନୈତିକ ଦଳକୁ କେତେ ପରିମାଣର ଦାନ ମିଳିଛି ସେ ସମ୍ପର୍କରେ ମାର୍ଚ୍ଚ 6 ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ ହେଲା 'ଏକକ ନିର୍ବାଚନ' ଅନୁଧ୍ୟାନ ରିପୋର୍ଟ, କିଏ କଲା ସମର୍ଥନ ଆଉ କିଏ ବିରୋଧ

ତେବେ କୋର୍ଟଙ୍କ ଛାଟ ପରେ ଷ୍ଟେଟବ୍ୟାଙ୍କ ଦାଖଲ କରିଥିବା ତଥ୍ୟ ଅନୁସାରେ, 2019 ମସିହା ଏପ୍ରିଲ 1 ତାରିଖରୁ 2024 ମସିହା ଫେବୃଆରୀ 15 ତାରିଖ ମଧ୍ୟରେ ସମୁଦାୟ 22,217 ନିର୍ବାଚନ ବଣ୍ଡ କ୍ରୟ କରାଯାଇଛି । ସେଥିମଧ୍ୟରୁ 22,030ଟି ବଣ୍ଡ ଇନକ୍ୟାସ ହୋଇଛି । ଅବଶିଷ୍ଟ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଯାଇଥିବା ସୂଚନା ପ୍ରାପ୍ତ ହୋଇଥିଲା । ଆଜି ଏସମ୍ପର୍କିତ ତଥ୍ୟ ଅପଲୋଡ ହେବା ପରେ କ୍ରମଶଃ ଦାତାଙ୍କ ସମ୍ପର୍କରେ ସୂଚନା ସାର୍ବଜନୀନ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.