ETV Bharat / bharat

ଦଳରୁ ଇସ୍ତଫା ଦେଲେ ଆସାମ କଂଗ୍ରେସ କାର୍ଯ୍ୟକାରୀ ସଭାପତି, ବିଜେପିରେ ହେବେ ସାମିଲ !

author img

By ETV Bharat Odisha Team

Published : Feb 28, 2024, 8:44 PM IST

ଦଳରୁ ଇସ୍ତଫା ଦେଲେ ଆସାମ କଂଗ୍ରେସ କାର୍ଯ୍ୟକାରୀ ସଭାପତି, ବିଜେପିରେ ହୋଇପାରନ୍ତି ସାମିଲ
ଦଳରୁ ଇସ୍ତଫା ଦେଲେ ଆସାମ କଂଗ୍ରେସ କାର୍ଯ୍ୟକାରୀ ସଭାପତି, ବିଜେପିରେ ହୋଇପାରନ୍ତି ସାମିଲ

Assam congress Working President Quits party: ଦଳରୁ ଇସ୍ତଫା ଦେଲେ ଆସାମ କଂଗ୍ରେସ କାର୍ଯ୍ୟକାରୀ ସଭାପତି ରାଣା ଗୋସ୍ବାମୀ । ଅଧିକ ପଢନ୍ତୁ

ଗୌହାଟୀ: ସାଧାରଣ ନିର୍ବାଚନ ପୂର୍ବରୁ ଦୁର୍ବଳ ହେବାରେ ଲାଗିଛି ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ । ବିଭିନ୍ନ ରାଜ୍ୟରେ ଦଳର ତୁଙ୍ଗ ନେତାମାନେ ଦଳ ଛାଡି ଅନ୍ୟ ଦଳରେ ମିଶିବାରେ ଲାଗିଛନ୍ତି । ନିକଟରେ ଏକାଧିକ ରାଜ୍ୟର କଂଗ୍ରେସ ନେତା ବିଜେପିରେ ସାମିଲ ହୋଇଛନ୍ତି । ଏବେ ଆସାମରେ ଦଳର କାର୍ଯ୍ୟକାରୀ ସଭାପତି ରଣା ଗୋସ୍ବାମୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଭାରତୀୟ ଜନତା ପାର୍ଟି ସମ୍ପର୍କରେ ଅଛନ୍ତି ଓ ଖୁବଶିଘ୍ର ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଆଜି ପୂର୍ବାହ୍ନରେ ଗୋସ୍ବାମୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ଜୋରାହାଟ ବିଧାନସଭା କ୍ଷେତ୍ରରୁ ପୂର୍ବରୁ ବିଧାୟକ ମଧ୍ୟ ରହିସାରିଛନ୍ତି । ଏବେ ସେ ଆସାମ ପିସିସିର କାର୍ଯ୍ୟକାରୀ ସଭାପତି ଦାୟିତ୍ବରେ ଥିଲେ । ଆଜି ସେ ନିଜ ଇସ୍ତଫାପତ୍ର ଦଳର ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) କେ.ସି ବେଣୁଗୋପାଲଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ନିଜ ଇସ୍ତଫାପତ୍ରରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି ।

ତେବେ ଇସ୍ତଫା ଦେବା ପରେ ତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନି । ହେଲେ ସେ ବିଜେପି ସହ କଥାବାର୍ତ୍ତା କରିବା ପାଇଁ ଦିଲ୍ଲୀ ଗସ୍ତ କରିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି । ସେ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ :- ଇସ୍ରୋ ଲଞ୍ଚପ୍ୟାଡ ବିଜ୍ଞାପନରେ ଚୀନ ପତାକା: ମୋଦି କହିଲେ ଭାରତୀୟ ବୈଜ୍ଞାନିକଙ୍କୁ ଅପମାନିତ କରିଛି DMK

ତେବେ ଏହି ମାସ ପ୍ରାରମ୍ଭରେ ଆସାମ କଂଗ୍ରେସର ଅନ୍ୟ ଜଣେ କାର୍ଯ୍ୟକାରୀ ସଭାପତି କାମାକ୍ଷା ଦେ ପୁରକାୟାସ୍ତ ମଧ୍ୟ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ତାଙ୍କ ସହ ଅନ୍ୟଜଣେ କଂଗ୍ରେସର ବିଧାୟକ ବସନ୍ତ ଦାସ ମଧ୍ୟ ବିଜେପିରେ ସାମିଲହୋଇଥିଲେ । ଏବେ 126 ଆସନ ବିଶିଷ୍ଟ ଆସନରେ କଂଗ୍ରେସର ବିଧାୟକ ସଂଖ୍ୟା 23 କୁ ଖସିଥିଲା । ଆଉ ମାତ୍ର ମାସେ ମଧ୍ୟରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ 2026 ରେ ଆସାମ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ରାଜ୍ୟରେ ଏବେ ଗୋସ୍ବାମୀ ମଧ୍ୟ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବାର ସମ୍ଭାବନା ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.