ଓଡିଶା

odisha

Digital Dialogue: 'ମାନସିକ ରୋଗୀ ଛାତିକୁ ଗୁଳି ମାରିବା ସମ୍ଭବ ନୁହେଁ, ପ୍ରମାଣ ଉପସ୍ଥାପନ କରିପାରିଲେ ଦଣ୍ଡିତ ହେବ ଗୋପାଳ’

By

Published : Feb 11, 2023, 4:26 PM IST

Updated : Feb 14, 2023, 11:34 AM IST

Digital Dialogue

ଭୁବନେଶ୍ବର:ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ କାହିଁକି ଗୁଳି ମାରିଲା ଗୋପାଳ ? କଣ ଏହା ପଛର ରହସ୍ୟ ? କୋଇଲା ବ୍ୟବସାୟୀଙ୍କ ସହିତ ଶତ୍ରୁତା ନା ଜମିଜମା ବିବାଦ ?  ଅସଲ ରହସ୍ୟ କଣ ଏ ତମାମ ଦିଗରେ ଆଲୋଚନା ପାଇଁ ଆଜି ଆମ ସହ ଅଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ । ଇଟିଭି ଭାରତ ଡିଜିଟାଲ ଡାଏଲଗ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ପୋଲିସ ଡିଜି କହିଛନ୍ତି , ଗୋପାଳକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଯଥେଷ୍ଟ ପ୍ରମାଣ ଯୋଗାଡ଼ କରିଛି । ଏସବୁ ପ୍ରମାଣକୁ ସଠିକ୍‌ ଭାବେ କୋର୍ଟରେ ଉପସ୍ଥାପନ କରିବାର ଆବଶ୍ୟକତା ରହିଛି ।" କୋଇଲା ବ୍ୟବସାୟ ସହିତ ମନ୍ତ୍ରୀ ନବ ଦାସଙ୍କ କଣ ସମ୍ପୃକ୍ତି ରହିଥିଲା ?  ତାଙ୍କର ଟ୍ରାନ୍ସପୋର୍ଟିଂ ବ୍ୟବସାୟ ଥିଲା ଏବଂ ୧୦୦ରୁ ଅଧିକ ଗାଡି ଥିଲା । ତେଣୁ କେଉଁଠି ନା କେଉଁଠି ବ୍ୟବସାୟିକ ଓଲଟପାଲଟରୁ ଏହି ହତ୍ୟାକାଣ୍ଡର ସୂତ୍ରପାତ ହୋଇଥିବା ପୂର୍ବତନ ପୋଲିସ ଡିଜି ସନ୍ଦେହ କରିଛନ୍ତି ।  

ପାଇଖାନା ଟାଙ୍କିରୁ ୨୬ଖଣ୍ଡ କାଗଜ ଟୁକୁରା ମିଳିବା ଘଟଣାରେ ସଞ୍ଜୀବ ମାରିକ କହିଛନ୍ତି , "ଯେତେବେଳେ ପୋଲିସ ଗୋପାଳକୁ ଗିରଫ କରିଥିଲା ସେତେବେଳେ କାହିଁକି ତା'ଠାରୁ ସେ ଲେଖା କାଗଜକୁ ଜବତ କଲା ନାହିଁ । ଏଇଠି ପୋଲିସର ଭୁଲ ରହିଗଲା । ଗିରଫ କରିବା ପରେ ପୋଲିସ ଗୋପାଳକୁ ଯାଞ୍ଚ କରିବାର ଥିଲା । ତା ପାଖରେ ଆଉ କିଛି ମାରଣାସ୍ତ୍ର ଅଛି କି ନାହିଁ କିମ୍ବା ଆଉ କଣ ରହିଛି ତା ପାଖରେ ସେସବୁ ଯାଞ୍ଚ କରିବାର ଦାୟିତ୍ବ ଥିଲା ପୋଲିସର । ପୋଲିସ କିନ୍ତୁ ସେମିତି କିଛି କରିନାହିଁ । ଯଦି କରିଥାନ୍ତା ତେବେ ସେ ଲେଖାହୋଇଥିବା କାଗଜ ପୋଲିସକୁ ମିଳିଥାନ୍ତା ଏବଂ ହତ୍ୟାକାଣ୍ଡ ପଛର କାରଣ ସ୍ପଷ୍ଟ ହୋଇଥାନ୍ତା । କାରଣ ଗୋପାଳ କ୍ରାଇମବ୍ରାଞ୍ଚ ଆଗରେ କହିଛି ସେହି କାଗଜରେ ସେ ହତ୍ୟାକାଣ୍ଡ ପଛର କାରଣ ଲେଖିଥିଲା ।"

ସଞ୍ଜୀବ ଆହୁରି କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ ଘଟଣାସ୍ଥଳରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ତେବେ ଟ୍ରାଫିକ ଦାୟିତ୍ବରେ ଥିବା ଫାଣ୍ଡି ଅଧିକାରୀ କେମିତି ନବ ଦାସଙ୍କ ପାଖରେ ପହଞ୍ଚିଥିଲେ ଏବଂ ସମସ୍ତଙ୍କ ଆଖି ଆଗରେ ଗୁଳି ଚଳାଇଥିଲେ । ଏଥିପାଇଁ ପୋଲିସ ପ୍ରଶାସନର ଅପାରଗତା ତଥା ଗୃହ ବିଭାଗକୁ ଦାୟୀ କରିଛନ୍ତି ସଞ୍ଜୀବ ମାରିକ । ବିଶେଷ କରି ଜିଲ୍ଲା ପ୍ରଶାସନର ଅପାରଗତାକୁ ଦାୟୀ କରିଛନ୍ତି ମାରିକ ।  

ଗୋପାଳ ଜଣେ ମାନସିକ ରୋଗୀ ବୋଲି ତାଙ୍କ ପତ୍ନୀ କହିଥିଲେ । ଏନେଇ ସଞ୍ଜୀବ କହିଛନ୍ତି ପ୍ରଥମେ ଯାଞ୍ଚ କରାଯାଉ ତାଙ୍କର ମାନସିକ ସ୍ଥିତି କିପରି ଅଛି ? ସେ ସତ କହୁଛନ୍ତି କି ନାହିଁ ?  ଯାହାର ମାନସିକ ସ୍ଥିତି ଠିକ ନଥିବା ସେ ଅନ୍ଧାଧୁନ ଗୁଳି ଚଳାଇବ । ବାହାରେ ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି । ଗହଳି ଭିତରେ ଛାତି ଉପରକୁ ଲକ୍ଷ୍ୟ କରି ଗୁଳି ଚଳାଇବା ସମ୍ବବ ନୁହେଁ । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଏପରି ଅନେକ ଦିଗ ଉପରେ ଇଟିଭି ଭାରତ ଡିଜିଟାଲ ଡାଏଲଗରେ ଆଲୋଚନା କରିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ।

ସାକ୍ଷାତକାର- ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ୍‌, ଇଟିଭି ଭାରତ ଓଡ଼ିଶା

Last Updated : Feb 14, 2023, 11:34 AM IST

ABOUT THE AUTHOR

...view details