ଓଡିଶା

odisha

ASTHMA: ଜାଣନ୍ତୁ ଆସ୍ଥମା କାରଣ, ଲକ୍ଷଣ ଓ ନିରାକରଣ

By

Published : Sep 14, 2022, 7:35 AM IST

ଅନେକ ସମୟରେ ଆସ୍ଥମା ସାଧାରଣ ଜୀବନ ଯାପନରେ ନାନା ସମସ୍ୟା ସୃଷ୍ଟି କରିଥାଏ । ଏହାର ମୁଖ୍ୟ କାରଣ ସଠିକ୍ ସମୟରେ ରୋଗର କାରଣ ଜାଣିନପାରିବା ଏବଂ ସଠିକ୍ ଚିକିତ୍ସା ନ କରିବା । ତେବେ କେଉଁ ଲକ୍ଷଣ(Asthma Symptoms) ଥିଲେ ଆସ୍ଥମା ହୋଇଛି ବୋଲି ଜାଣିବେ ଏବଂ ଏହାର କେତେକ ପ୍ରାଥମିକ ଉପଚାର ।

ASTHMA: ଜାଣନ୍ତୁ ଆସ୍ଥମା କାରଣ, ଲକ୍ଷଣ ଓ ନିରାକରଣ
ASTHMA: ଜାଣନ୍ତୁ ଆସ୍ଥମା କାରଣ, ଲକ୍ଷଣ ଓ ନିରାକରଣ

ହାଇଦ୍ରାବାଦ: ଆମେ ଅନେକ ଥର ଦେଖୁ ଯେ, କିଛି ପିଲା କିମ୍ବା ବୟସ୍କମାନେ ଟିକିଏ ଚାଲିବା ପରେ କିମ୍ବା କୌଣସି କାମ କରିବା ପରେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏପରି ଅବସ୍ଥାକୁ ଆସ୍ଥମା କୁହାଯାଏ, ଯାହା ଏକ ଶ୍ବାସକ୍ରିୟା ସମ୍ବନ୍ଧୀୟ ରୋଗ ଅଟେ । ଆସ୍ଥମା ଉପରେ ଲୋକଙ୍କ ମଧ୍ୟରେ ଏକ ଭୁଲ ଧାରଣା ଅଛି ଯେ, ଏଥିରେ ପୀଡିତ ବ୍ୟକ୍ତି ସାଧାରଣ ଜୀବନଯାପନ କରିପାରିବେ ନାହିଁ କିମ୍ବା ସେମାନେ ସର୍ବଦା ଅସୁସ୍ଥ ରହୁଥିବା ଧାରଣା ରହିଛି ।

କିନ୍ତୁ ଉପଯୁକ୍ତ ଚିକିତ୍ସା, ଏକ ସନ୍ତୁଳିତ ଏବଂ ସୁସ୍ଥ ଜୀବନଶୈଳୀ ଅନୁସରଣ କରି ଏହି ରୋଗକୁ ଅଧିକାଂଶ କ୍ଷେତ୍ରରେ ନିୟନ୍ତ୍ରଣରେ ରଖାଯାଇପାରିବ ଏବଂ ଆସ୍ଥମା ରୋଗୀମାନେ ସାଧାରଣ ଜୀବନଯାପନ କରିପାରନ୍ତି । ତେବେ ଆସନ୍ତୁ ଜାଣିବା ଆସ୍ଥମା କ'ଣ, ଏହାର କାରଣ, ଲକ୍ଷଣ ଓ ନିରାକରଣ...

ଆସ୍ଥମା କ’ଣ:- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଭାରତରେ ପ୍ରାୟ 20 ନିୟୁତ ଆସ୍ଥମା ରୋଗୀ ଅଛନ୍ତି । ଏଥିରେ ସବୁ ବୟସର ଲୋକ ଅନ୍ତର୍ଭୁକ୍ତ । କେଉଁ ପ୍ରକାରର ଆସ୍ଥମା ଏବଂ ଏହା ଆମ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଉଛି ସେ ବିଷୟରେ ଜାଣିବା ପାଇଁ 'ଇଟିଭି ଭାରତ' ପକ୍ଷରୁ, ମୁମ୍ବାଇ ସ୍ଥିତ ନାକ, କାନ ଏବଂ ଗଳା ବିଶେଷଜ୍ଞ ଡକ୍ଟର ସମୀର କୁମାର ସୋଲାଙ୍କିଙ୍କ ସହ ବାର୍ତ୍ତାଳାପ କରିଥିଲେ ।

ଡକ୍ଟର ସମୀର କୁମାର ସୋଲାଙ୍କି ବ୍ୟାଖ୍ୟା କରିଛନ୍ତି ଯେ, ‘‘ଆସ୍ଥମା ହେଉଛି ଏକ ରୋଗ, ଯାହା ସାଧାରଣ ଭାଷାରେ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ବୋଲି କୁହାଯାଏ । ସେ କହିଛନ୍ତି ଯେ ଆଜିକାଲି ବିଭିନ୍ନ କାରଣରୁ ଏହି ରୋଗର ସଂଖ୍ୟା ସବୁ ବୟସର ଲୋକଙ୍କ କ୍ଷେତ୍ରରେ ବୃଦ୍ଧି ପାଉଛି । ଆସ୍ଥମା ରୋଗର ଅନେକ ଲକ୍ଷଣ କେବଳ ବୟସ୍କମାନଙ୍କଠାରେ ନୁହେଁ, ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଏ ।’’

ଡ. ସମୀର କୁମାର ସୋଲାଙ୍କି ଆହୁରି କହିଛନ୍ତି ଯେ, ଆସ୍ଥମା ପ୍ରକୃତରେ ଫୁସଫୁସ ସହିତ ଜଡିତ ଏକ ରୋଗ, ଯେଉଁଥିରେ ବାୟୁପଥ ଫୁଲିଯାଏ ଏବଂ ଶ୍ୱାସକ୍ରିୟା ସଂକ୍ରମଣ ଆରମ୍ଭ ହୁଏ । ଫଳସ୍ୱରୂପ ରୋଗୀ ନିଶ୍ୱାସ ନେବାରେ ଅସୁବିଧା ଆରମ୍ଭ କରେ । ଯଦି ଏହି ସମସ୍ୟାର ଚିକିତ୍ସା ଠିକ୍ ସମୟରେ ଆରମ୍ଭ ହୋଇନଥାଏ, ତେବେ ଏହା ବେଳେ ବେଳେ ଗମ୍ଭୀର ସମସ୍ୟାର କାରଣ ହୋଇପାରେ । ଯଦିଓ ଆସ୍ଥମା ପାଇଁ କୌଣସି ସ୍ଥାୟୀ ଉପଶମ ନାହିଁ, ତଥାପି ଠିକ୍ ସମୟରେ ଚିକିତ୍ସା ଦ୍ବାରା ଏହାକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ ।

ଆସ୍ଥମା ଲକ୍ଷଣ(Asthma Symptoms):- ଡକ୍ଟର ସୋଲାଙ୍କିଙ୍କ ଅନୁଯାୟୀ, ଆସ୍ଥମା ହେଉଛି ଏକ ସମସ୍ୟା ଯାହା 6 ମାସର ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ହୋଇପାରେ । ବଂଶାନୁକ୍ରମିକତା, କୌଣସି ସ୍ୱାସ୍ଥ୍ୟ ସମସ୍ୟା, ଆଲର୍ଜି, ସଂକ୍ରମଣ, ମୌସୁମୀ ସମସ୍ୟା ଏବଂ ପ୍ରଦୂଷଣ ଇତ୍ୟାଦି ଭଳି ଅନେକ କାରଣ ଶ୍ୱାସରୋଗ ପାଇଁ ଦାୟୀ ହୋଇପାରେ । ସେ ବ୍ୟାଖ୍ୟା କରିଛନ୍ତି ଯେ, ଅଧିକାଂଶ କ୍ଷେତ୍ରରେ ପିଲାଙ୍କ ଠାରେ ଆସ୍ଥମା ପାଇଁ ଜେନେଟିକ୍ କାରକ ମଧ୍ୟ ଦାୟୀ ।

ଆସ୍ଥମା କାହିଁକି ହୁଏ:-

ଡ. ସମୀର କୁମାର ସୋଲାଙ୍କି ସ୍ପଷ୍ଟ କରିଛନ୍ତି ଯେ, ବଂଶାନୁକ୍ରମିକତା ବ୍ୟତୀତ ବେଳେବେଳେ କେତେକ ଶାରୀରିକ, ଅବସ୍ଥା ଏବଂ ପରିବେଶ କାରଣ ମଧ୍ୟ ଆସ୍ଥମା ପାଇଁ ଦାୟୀ । ଉଦାହରଣ ସ୍ୱରୂପ, ଯଦି ଏକ ଶିଶୁର ଉଭୟ ପିତାମାତାଙ୍କର ଶ୍ୱାସରୋଗ ଥାଏ, ତେବେ ଶିଶୁର ଏହି ରୋଗ ହେବାର ସମ୍ଭାବନା ବହୁତ ଅଧିକ । ଏଥିସହ କିଛି ଶାରୀରିକ ରୋଗ, ପଶୁମାନଙ୍କ ସଂସ୍ପର୍ଶରେ ଆସିବା, ଆଲର୍ଜି, ସଂକ୍ରମଣ ଏବଂ କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଏହି ସମସ୍ୟା ହୋଇପାରେ । ଏହା ବ୍ୟତୀତ ଆସ୍ଥମା ରୋଗର ବୃଦ୍ଧିରେ ପ୍ରଦୂଷଣକୁ ମଧ୍ୟ ଦାୟୀ କରାଯାଏ । ସେ ବ୍ୟାଖ୍ୟା କରିଛନ୍ତି ଯେ, ବୟସ, ପରିସ୍ଥିତି ଏବଂ ପର୍ଯ୍ୟାୟ ଉପରେ ନିର୍ଭର କରି ଆସ୍ଥମା ଅନେକ ପ୍ରକାରର ହୋଇପାରେ । ସେଗୁଡିକ ହେଲା...

  • ଆଲର୍ଜିକ ଆସ୍ଥମା(Allergic Asthma)
  • ନନ୍-ଆଲର୍ଜିକ ଆସ୍ଥମା(Non Allergic Asthma)
  • ଓକୁପେସନାଲ ଆସ୍ଥମା(Occupational Asthma)
  • ମିମିକ ଆସ୍ଥମା(Mimic Asthma)
  • ଚାଇଲ୍ଡ ଆସ୍ଥମା(Child Onset Asthma)
  • ଆଡଲ୍ଟ ଅନସେଟ୍ ଆସ୍ଥମା(Adult Onset Asthma)
  • ଡ୍ରାଏ କଫ୍ ଆସ୍ଥମା(Dry Cough Asthma)
  • ଡ୍ରଗ୍ ରିଆକ୍ସନ ଆସ୍ଥମା(Drug-reaction Asthma)

ଡାକ୍ତରୀ ପରାମର୍ଶ ଆବଶ୍ୟକ:-

ଡାକ୍ତର ସୋଲାଙ୍କି ବ୍ୟାଖ୍ୟା କରିଛନ୍ତି ଯେ, ଯଦି ଆସ୍ଥମା ପୀଡିତ ଠିକ୍ ସମୟରେ ଏହି ରୋଗ ବିଷୟରେ ଜାଣି ପାରନ୍ତି ଏବଂ ଠିକ୍ ସମୟରେ ଚିକିତ୍ସା ଆରମ୍ଭ ହୁଏ, ତେବେ ଜଣେ ବ୍ୟକ୍ତି ଏହି ରୋଗରେ ମଧ୍ୟ ସାଧାରଣ ଜୀବନ ବଞ୍ଚିପାରିବ । କିନ୍ତୁ ଚିକିତ୍ସା ଏବଂ ଔଷଧ ସହିତ ରୋଗୀ ପାଇଁ ଅନେକ ସତର୍କତାର ସହ ଯତ୍ନ ନେବା ମଧ୍ୟ ଆବଶ୍ୟକ । ନଚେତ୍ ଏହା ବେଳେ ବେଳେ ସାଂଘାତିକ ହୋଇପାରେ ।

ସେ ବ୍ୟାଖ୍ୟା କରିଛନ୍ତି ଯେ ଯଦି ଆସ୍ଥମା ରୋଗରେ ପୀଡିତ ବ୍ୟକ୍ତି ଠିକ୍ ସମୟରେ ଔଷଧ ସେବନ କରନ୍ତି ଏବଂ ଡାକ୍ତରଙ୍କ ନିର୍ଦ୍ଦେଶକୁ ଅନୁସରଣ କରନ୍ତି, ଏକ ସୁସ୍ଥ ଏବଂ ସନ୍ତୁଳିତ ଜୀବନଶୈଳୀ ଏବଂ ଖାଦ୍ୟପେୟ ଅନୁସରଣ କରନ୍ତି, ତେବେ ଏହି ସମସ୍ୟାର ପ୍ରଭାବ ବହୁ ପରିମାଣରେ କମିଯାଇପାରେ ।

ସାବଧାନ ରୁହନ୍ତୁ:-

ଆସ୍ଥମା ରୋଗୀଙ୍କ ପାଇଁ ଠିକ୍ ସମୟରେ ଏକ ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା, ଠିକ୍ ସମୟରେ ଶୋଇବା ଏବଂ ବ୍ୟାୟାମ କରିବା ଦ୍ବାରା ଶ୍ୱାସ କୌଶଳ ଏବଂ ଦକ୍ଷତାକୁ ଉନ୍ନତ କରିଥାଏ । ଫୁସଫୁସର ସ୍ୱାସ୍ଥ୍ୟ ମଜବୁତ ହୋଇଥାଏ । ଯୋଗ, ଧ୍ୟାନ, ଷ୍ଟ୍ରେଚିଂ ଏବଂ ପହଁରିବା ଭଳି ବ୍ୟାୟାମ କରିବା ଉଚିତ୍ । କିନ୍ତୁ ଆସ୍ଥମା ରୋଗରେ ପୀଡିତ ବ୍ୟକ୍ତିମାନେ ଡାକ୍ତରୀ ପରାମର୍ଶ ବିନା ଜଟିଳ, ଦ୍ରୁତ ଗତିଶୀଳ ଏବଂ ଉଚ୍ଚ ତୀବ୍ରତା ବ୍ୟାୟାମ କରିବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ବ୍ୟତୀତ, ସେମାନେ ମଧ୍ୟ କିଛି ଜିନିଷ ପ୍ରତି ଯତ୍ନବାନ ହେବା ଆବଶ୍ୟକ । କାରଣ ଟିକିଏ ଅସାବଧାନତା କିମ୍ବା ଅବହେଳା ମଧ୍ୟ ଗମ୍ଭୀର ପରିଣାମ ଦେଇପାରେ । କେବଳ ଏତିକି ନୁହେଁ, କିଛି ବିଶେଷ ପରିସ୍ଥିତିରେ, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଆବଶ୍ୟକ । ସେଥିମଧ୍ୟରୁ କେତେକ ନିମ୍ନରେ ବର୍ଣ୍ଣନା କରାଯାଇଛି...

  • ଶ୍ବାସକ୍ରିୟାରେ ସମସ୍ୟା ସମୟରେ
  • ବହୁତ କାଶ ହେବା ଏବଂ ଦୀର୍ଘ ସମୟ ଧରି ଥଣ୍ଡା ନ ଛାଡିବା
  • ଛାତି ଯନ୍ତ୍ରଣା
  • ବାରମ୍ବାର ଗୋଟିଏ ପ୍ରକାରର ଆଲର୍ଜି ସଂକ୍ରମଣ କରିବା
  • ଶୋଇବା ସମୟରେ ଅତ୍ୟଧିକ ଅସ୍ଥିରତା, ଛାତିରେ ଯନ୍ତ୍ରଣା ଅନୁଭବ କରିବା
  • ଶୋଇ ନ ପାରିବା କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହେବା
  • କୌଣସି ଔଷଧ ସେବନ ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବା

ABOUT THE AUTHOR

...view details