ଓଡିଶା

odisha

ସ୍ପୁଟନିକ୍ ଭି କୋଭିଡ୍ ଟିକା ସମ୍ପର୍କରେ ଆପଣ ଯାହା ଜାଣିବାକୁ ଚାହାଁନ୍ତି

By

Published : Apr 14, 2021, 10:26 PM IST

ସ୍ପୁଟନିକ୍ ଭି କୋଭିଡ୍ ଟିକା

ଜରୁରୀ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ସ୍ପୁଟନିକ୍ ଭି ଟିକା ଆମଦାନୀ କରିବା ପାଇଁ ଭାରତର ଡ୍ରଗସ୍ କଣ୍ଟ୍ରୋଲର ଜେନେରାଲ (ଡିସିଜିଆଇ) ଅନୁମତି ପ୍ରଦାନ କରିଛି । ଅଧିକ ପଢନ୍ତୁ...

ଜରୁରୀ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ସ୍ପୁଟନିକ୍ ଭି ଟିକା ଆମଦାନୀ କରିବା ପାଇଁ ଭାରତର ଡ୍ରଗସ୍ କଣ୍ଟ୍ରୋଲର ଜେନେରାଲ (ଡିସିଜିଆଇ) ଅନୁମତି ପ୍ରଦାନ କରିଛି । ହାଇଦ୍ରାବାଦସ୍ଥିତ ଦେଶର ପ୍ରମୁଖ ଔଷଧ କମ୍ପାନି ଡକ୍ଟର ରେଡିସ୍ ଲାବୋରଟୋରିଜ (ଡିଆରଏଲ୍) ଏହି ଅନୁମତି ପାଇଥିବା ଘୋଷଣା କରିଛି । କୋଭିଡ-ଟିକା ସ୍ପୁଟନିକ୍ ଭି ସମ୍ପର୍କରେ ଆପଣ ଯାହା ଜାଣିବାକୁ ଚାହାଁନ୍ତି ସେ ନେଇ କିଛି ତଥ୍ୟ ଜାଣନ୍ତୁ ।

କୋଭିସିଲଡ ଏବଂ କୋଭାକ୍ସିନ ପରେ ଆସୁଛି ସ୍ପୁଟନିକ୍ ଭି। ଏହି କୋଭିଡ ଟିକା ମସ୍କୋର ଗାମାଲେୟା ନ୍ୟାସନାଲ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜି ଏବଂ ମାଇକ୍ରୋବାୟୋଲୋଜି ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହା ହେଉଛି ତୃତୀୟ କୋଭିଡ-19 ଟିକା ଯାହାକୁ କି ଭାରତରେ ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।

ପ୍ରକାଶିତ ନିୟମାବଳୀ ଅନୁଯାୟୀ, 18 ବର୍ଷରୁ ଅଧିକ ବୟସ୍କର ବ୍ୟକ୍ତିଙ୍କ ଶରୀରରେ କୋଭିଡ-19 ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଏହି ଟିକା ଉଦ୍ଦିଷ୍ଟ ଏବଂ ଏହାକୁ ତରଳ ଆକାରରେ ମାଇନସ 18 ଡିଗ୍ରୀ ସେଲସିୟସରେ ସଂରକ୍ଷଣ କରି ରଖିବା ଆବଶ୍ୟକ । ଅବଶ୍ୟ ଏହାକୁ ଡି ଫ୍ରିଜ୍ କରି 2ରୁ 8 ଡିଗ୍ରୀ ସେଣ୍ଟିଗ୍ରେଡରେ ରଖାଯାଇପାରିବ, ଫଳରେ ଏହାକୁ ସୁବିଧାରେ ପରିବହନ କରିବା ସହିତ ଗଚ୍ଛିତ ରଖିହେବ । ଲାନସେଟ୍ ପତ୍ରିକାରେ ନିକଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ସ୍ପୁଟନିକ୍ ଭି’ 91.6 ପ୍ରତିଶତ ଫଳପ୍ରଦ ବୋଲି ପ୍ରମାଣିତ ହୋଇଛି ।

ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମସ), ନୁଆଦିଲ୍ଲୀର ସେଣ୍ଟର ଫର୍ କମ୍ୟୁନିଟି ମେଡିସିନର ଆସୋସିଏଟ୍ ପ୍ରଫେସର ଏଚ.ଆର.ସାଲଭେ ଆଇଏଏନଏସକୁ କହିଛନ୍ତି ଯେ, ଭାରତୀୟ ଲୋକଙ୍କ ମଧ୍ୟରେ ଏହା କେତେଦୂର ଫଳପ୍ରଦ ସେ ନେଇ ପ୍ରମାଣ ସଂଗ୍ରହ କରିବା ଆବଶ୍ୟକ । ଟିକାକରଣ ଅଭିଯାନକୁ ଅଧିକ ବଢାଇବା ପାଇଁ ସ୍ପୁଟନିକ ଭି ଦେଶ ପାଇଁ ଆଉ ଏକ ବିକଳ୍ପ ଯୋଗାଇ ଦେଇଛି ।

ଗୁଡଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲର ସଂକ୍ରମକ ରୋଗର ବିଶେଷଜ୍ଞ ନେହା ଗୁପ୍ତାଙ୍କ ଅନୁଯାୟୀ ସ୍ପୁଟନିକ୍ ଭି ହେଉଛି ଏକ ଭାଇରାଲ ଭେକ୍ଟର ଟିକା ଏବଂ ଏହା କୋଭିସିଲଡ ଭଳି କାମ କରିବାର ସମ୍ଭାବନା ରହିଛି । ଏହି ଟିକା 0.5 ଏମଏଲ୍ ପରିମାଣରେ ଦୁଇଟି ଡୋଜ୍ 21 ଦିନ ବ୍ୟବଧାନରେ ଦିଆଯିବା ଉଚିତ୍ ।

ଆଇଏଏନଏସ ସହିତ ଆଲୋଚନା ବେଳେ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚର ଏନ.କେ.ଆରୋରା କହିଛନ୍ତି ଯେ, ପ୍ରଥମ ଡୋଜ୍ କମ୍ପୋଜିସନ ଦ୍ବିତୀୟ ଡୋଜ୍ ଠାରୁ ଅଲଗା ହେବ ଏବଂ ପ୍ରଥମ ଓ ଦ୍ବିତୀୟ ଡୋଜ୍ ମଧ୍ୟରେ ଅନ୍ତତଃ ତିନିରୁ ଚାରି ସପ୍ତାହ ବ୍ୟବଧାନ ରହିବା ଉଚିତ୍ ।

ସାରା ବିଶ୍ବର 60ଟି ଦେଶରେ କୋଭିଡ-19 ମୁକାବିଲା ପାଇଁ ସ୍ପୁଟନିକ୍ ଭି ଅନୁମୋଦିତ ହୋଇଛି । ବିଭିନ୍ନ ସରକାରୀ ସଂସ୍ଥା ଦ୍ବାରା ଅନୁମୋଦନ ପାଇଥିବା ସଂଖ୍ୟା ଦୃଷ୍ଟିରୁ କୋଭିଡ-19 ଟିକା ମଧ୍ୟରେ ସ୍ପୁଟନିକ ଭି ଦ୍ବିତୀୟ ସ୍ଥାନରେ ରହିଛି । ଗତ କିଛି ଦିନ ହେଲା ଆଶ୍ଚର୍ଯ୍ୟଜନକ ଭାବେ କୋରୋନା ମାମଲା ସଂଖ୍ୟା ବଢି ଚାଲିଥିବା ଏବଂ କେତେକ ରାଜ୍ୟରେ ଟିକା ଅଭାବ ଦେଖା ଦେଇଥିବା ବେଳେ ସ୍ପୁଟନିକ୍ ଭି’କୁ ଜରୁରୀକାଳୀନ ଭିତ୍ତିରେ ଅନୁମୋଦନ କରାଯାଇଛି ।

ସୋମବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଟିକା ଉତ୍ସବର ପ୍ରଥମ ଦିନରେ କୋଭିଡ-19 ଟିକାର ପାଖାପାଖି 30 ଲକ୍ଷ ଡୋଜ୍ ଦିଆଯାଇଛି । ଭାରତରେ ହାରାହାରୀ ଦୈନିକ 40 ଲକ୍ଷରୁ ଅଧିକ ଟିକା ଦିଆଯାଉଛି, ଯାହାକି ବିଶ୍ବରେ ସର୍ବାଧିକ । ଦେଶରେ ଏଯାଏଁ 10 କୋଟି 45 ଲକ୍ଷ ଲୋକଙ୍କୁ ଟିକା ଦିଆ ସରିଲାଣି ।

ଜନ୍ ହୋପକିନସ ୟୁନିଭର୍ସିଟି (ଜେଏଚୟୁ)ର ତଥ୍ୟ ଅନୁଯାୟୀ ମାମଲା ସଂଖ୍ୟା ଅନୁସାରେ ଭାରତ ଏବେ ବ୍ରାଜିଲକୁ ଟପି ତୃତୀୟ ସ୍ଥାନରେ ରହିଛି । କୋଭିଡ-19 ସଂଖ୍ୟା ତାଲିକାରେ ଭାରତ 1,34,82,023 ମାମଲା ସହିତ ତୃତୀୟ ସ୍ଥାନରେ ରହିଛି ।

(ଆଇଏଏନଏସ୍)

ABOUT THE AUTHOR

...view details