ସମ୍ବଲପୁର: ସମ୍ବଲପୁର-ଅନୁଗୋଳ ଜାତୀୟ ରାଜପଥର ଜୁଜୁମୁରା ତହସିଲ ଅଫିସ ସମ୍ମୁଖରେ ଚାରିଗୋଟି ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀଙ୍କ ରଣହୁଙ୍କାର । ନିଜର ୨୦୨୦ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କ୍ଷତିପୂରଣ ପାଇବା ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ପାଇନଥିବା କ୍ଷତିଗ୍ରସ୍ତ ଚାଷୀ ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର ଚାଷୀଙ୍କୁ ସେମାନଙ୍କ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ପ୍ରଶାସନ ନିଜର ପ୍ରତିଶ୍ରୁତି ପୂରଣ କରୁନଥିବା କହିଛନ୍ତି ଆନ୍ଦୋଳନକାରୀ ଚାଷୀ ।
ବକେୟା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ଦାବି ନେଇ ଚାଷୀଙ୍କ ରାଜରାସ୍ତା ଅବରୋଧ ତେବେ ଚାଷୀଙ୍କ ଅନ୍ୟ ଏକ ଅଭିଯୋଗ ହେଲା ଯେ, ବ୍ଳକର ସବୁ ଚାଷୀ ଧାନ ଚାଷ କରୁଥିବାବେଳେ ବୀମା କମ୍ପାନୀ ଚାଷୀମାନେ ମକା ଚାଷ କରିଥିବା ଭୁଲ ରିପୋର୍ଟ ଦେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଚାଷୀଙ୍କ ରାସ୍ତା ଅବରୋଧ ଆନ୍ଦୋଳନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରିଥିଲା ପୋଲିସ ।
ଚାଷୀଙ୍କ ଜାତୀୟ ରାଜପଥ ଆନ୍ଦୋଳନ ପାଇଁ ଅତିରିକ୍ତ ଏସପି ଅମରେଶ ପଣ୍ଡା ନିଜେ ଆନ୍ଦୋଳନ ସ୍ଥଳରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ଜୁଜୁମରା ବ୍ଳକର ଲିପିଣ୍ଡା, କୟାକୁଦ, ଗଡଲୋଇସିଂ, କେସାପାଲି ପଞ୍ଚାୟତର ଶହ ଶହ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ ।
ଆଗକୁ ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ବ୍ଳକ ପ୍ରଶାସନକୁ ଅଚଳ କାରାଯିବା ସହ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବେ ବୋଲି କହିଛନ୍ତି ଚାଷୀ । ଘଟଣା ସ୍ଥଳରେ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରି ଆସନ୍ତା ୨୩ ତାରିଖ ସୁଦ୍ଧା ପ୍ରଶାସନ ପକ୍ଷରୁ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ୫ ଘଣ୍ଟା ଧରି ଚାଲିଥିବା ଅବରୋଧ ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି ଆନ୍ଦୋଳନକାରୀ ଚାଷୀ ।
କ୍ଷତିପୂରଣ ପାଇଁ ସରକାର ଯଦି କୌଣସି ଠୋସ ପଦକ୍ଷେପ ନ ନିଅନ୍ତି, ତେବେ ଜୁଜୁମରା ବ୍ଳକର ଚାଷୀମାନେ ଆଗକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସରକାର ବିରୋଧରେ ନିର୍ଣ୍ଣାୟକ ଲଡେଇର ଡାକରା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ