ଓଡିଶା

odisha

ରଥଯାତ୍ରାରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ପାଇଁ ବିଶେଷ ପ୍ରସ୍ତୁତି, ଯୁବଶକ୍ତି ଟିମ ଗଠିତ

By

Published : May 4, 2023, 8:57 PM IST

Yuva Shakti team
Yuva Shakti team ()

ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ କିପରି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିବେ ତାହା ଉପରେ ଗୁରୁତ୍ବ ଦେଇଛି ପୁରୀ ପୋଲିସ । ଗଠିତ ହେଲା ଯୁବଶକ୍ତି ଟିମ । ଅଧିକ ପଢନ୍ତୁ

ରଥଯାତ୍ରାରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ପାଇଁ ବିଶେଷ ପ୍ରସ୍ତୁତି, ଯୁବଶକ୍ତି ଟିମ ଗଠିତ

ପୁରୀ:ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା ଓ ରଥଯାତ୍ରା । ଏହି ସମୟରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ଶ୍ରୀକ୍ଷେତ୍ରରେ ହୋଇଥାଏ । ଏହି ଜନସମୁଦ୍ର ମଧ୍ୟରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ମହାପ୍ରଭୁଙ୍କ ଦର୍ଶନରେ ସହାୟତା ପାଇଁ ପୁରୀ ପୋଲିସ ପକ୍ଷରୁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ । ଯୁବଶକ୍ତି ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି ପୁରୀ ପୋଲିସ ।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ଦୋଳମଣ୍ଡପ ସାହି, କୁଣ୍ଡେଇବେଣ୍ଟ ସାହି, କାଳୀକାଦେବୀ ସାହି, ବାଲି ସାହି, ଗୌଡ଼ବାଡ ସାହି, ହରଚଣ୍ଡୀ ସାହି ଓ ମାର୍କଣ୍ଡେଶ୍ବର ସାହି ଭଳି ସାତ ସାହିର ୫୦ ଜଣ ଯୁବକ ଏହି ଯୁବଶକ୍ତିରେ ସାମିଲ ହୋଇଛନ୍ତି । ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ସମୟରେ ଏହି ଯୁବକମାନେ ପୋଲିସକୁ ବିଭିନ୍ନ କାର୍ଯ୍ୟରେ ସ୍ବେଚ୍ଛାସେବୀ ଭାବେ ସହଯୋଗ କରିବେ । ଏହି ଯୁବଶକ୍ତିରେ ସାମିଲ ହୋଇଥିବା ଯୁବକମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ଜନସାଧାରଣଙ୍କୁ କିଭଳି ଉତ୍ତମ ବ୍ୟବହାର ଏବଂ ସେବା ଯୋଗାଇଦେବେ ସେନେଇ ତାଲିମ ଦିଆଯିବ। ତେବେ ଏହି ଯୁବକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଆଇ କାର୍ଡ ଓ ୟୁନିଫର୍ମ ପ୍ରଦାନ କରିଛନ୍ତି ପୁରୀ ଏସପି।

ଏହା ବି ପଢନ୍ତୁ- ପୁରୀ ସମୁଦ୍ରରେ ଅଘଟଣ, ଆଜି ପୁଣି ଭାସିଗଲେ 2 ବଙ୍ଗୀୟ ପର୍ଯ୍ୟଟକ

କେବଳ ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ନୁହେଁ ଅନ୍ୟାନ୍ୟ ପର୍ବପର୍ବାଣି ସମୟରେ ମଧ୍ୟ ଏହି ଯୁବଶକ୍ତିଙ୍କୁ ବିଭିନ୍ନ କାର୍ଯ୍ୟରେ ଶୃଙ୍ଖଳା ପାଇଁ ନିୟୋଜିତ କରାଯିବ। ପୂର୍ବରୁ ପୁରୀ ସହରରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ସହ ନିଶା କାରବାର ଉପରେ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଗଠିତ ହୋଇଥିଲା ମାତୃଶକ୍ତି ଟିମ । ଏହି ମାତୃଶକ୍ତି ଟିମ୍‌ ମାଧ୍ୟମରେ ପୋଲିସକୁ ବେଶ ସଫଳତା ମିଳିବା ପରେ ଯୁବକମାନଙ୍କୁ ନେଇ ଗଠିତ ହୋଇଥିବା ଯୁବଶକ୍ତି ଟିମ୍‌ ମଧ୍ୟ ବେଶ ସଫଳ ହେବ ବୋଲି ଆଶା ରଖିଛନ୍ତି ପୁରୀ ଏସପି ।

ପୁରୀ ଟାଉନ ଥାନାରେ ଏସ୍‌ପି ଡଃ କନୱର ବିଶାଳ ସିଂଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଯୁବଶକ୍ତି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି, ସିଟି ଡିଏସପି, ସମସ୍ତ ଥାନା ଅଧିକାରୀଙ୍କ ସହ ଯୁବଶକ୍ତିର ସଦସ୍ୟ, ସାତ ସାହିର ମୁରବି ଓ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ । ଏନେଇ ଯୁବଶକ୍ତି ଟିମ୍‌ର ଜଣେ ସଦସ୍ୟ ଲକ୍ଷ୍ମୀକାନ୍ତ ବେହେରା କହିଛନ୍ତି, "ଏହି କାର୍ଯ୍ୟକ୍ରମକୁ ପୁରୀବାସୀ ବେଶ ପ୍ରଶଂସା କରିଛନ୍ତି । ରଥଯାତ୍ରାକୁ ସୁଚାରୁରୂପେ କରିବା ଲାଗି ପୋଲିସ ପ୍ରଶାସନର ଏହା ଏକ ପ୍ରଶଂସାଯୋଗ୍ୟ ପ୍ରୟାସ । ଏଥିରେ ପୁରୀ ଯୁବଶକ୍ତି ସାମିଲ ହୋଇଛନ୍ତି । ଜିଲ୍ଲାବାସୀ ଭାବେ ଏହା ଆମ ପାଇଁ ଗର୍ବର କଥା ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details