ମାଲକାନଗିରି:ଗତ ଶୁକ୍ରବାର ଦିନ ଆଇପିଏଲର ଫାଇନାଲ ମ୍ୟାଚ ଥିଲା । ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମ୍ୟାଚ୍ ଖେଳୁଥିବାବେଳେ ମାଲକାନଗିରି ଥାନା ଅଞ୍ଚଳରେ ଚାଲିଥିଲା ଅନଲାଇନ ମ୍ୟାଚ ବେଟିଂ । କୋଟି କୋଟି ଟଙ୍କା ବେଟିଂ ହୋଇଥିଲା । ମାଲକାନଗିରିର କିଛି କମିସନ ଏଜେଣ୍ଟମାନେ ରହି ବୁକିଂ କାମ କରୁଥିବାବେଳେ ଏନେଇ ସୁରାକ୍ ପାଇଥିଲା ପୋଲିସ । ଯାହାପରେ ପୋଲିସ ଘଟଣାସ୍ଥଳରେ ଚଢାଉ କରି ବେଟିଂ ଚଲାଉଥିବା ୪ ଜଣ ଏଜେଣ୍ଟଙ୍କୁ ଗିରଫ କରିଥିଲା ।
ଏହି ଅଭିଯୁକ୍ତମାନେ ହେଲେ ଜି.ଶ୍ରୀନିବାସ ରାଓ, ଜି.ଜଗନ ରାଓ, ବସନ୍ତ କୁମାର ବେହେରା ଏବଂ ଭୋଳାନାଥ ବିଶ୍ବାସ । ସେମାନଙ୍କ ଠାରୁ ନଗଦ ୯ ଲକ୍ଷ ଟଙ୍କା ଜବତ କରାଯିବା ସହ ସେମାନଙ୍କ ଆକାଉଣ୍ଟକୁ ସିଜ କରାଯାଇ ୧୮ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ୭ଟି ମୋବାଇଲ ସହ ମୋଟ ୨୭ ଲକ୍ଷ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସଡିପିଓ ଅଭିଳାଷ ଜି ଏବଂ ଆଇଆଇସି ରାମ ପ୍ରସାଦ ନାଗ ସୂଚନା ଦେଇଛନ୍ତି । ଆଇପିସି ଧାରା ୨୯୪(ଏ),୧୨୦(ବି),୩୪ ଲଗାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।