କେନ୍ଦ୍ରାପଡା: ସିଟି ହସ୍ପିଟାଲ ଦାବିରେ ଆଜି ୨୪ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ । କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ପୌରାଞ୍ଚଳରେ କେବଳ ଆଉଟଡୋର ଚିକିତ୍ସା ପାଇଁ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର ରଖିବା ବିରୁଦ୍ଧରେ ପ୍ରତିବାଦ କରି ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ଆଜି କେନ୍ଦ୍ରାପଡ଼ା ବନ୍ଦ ଡାକରା ଦେଇଛି । ସକାଳ ୬ଟାରୁ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ସହରରେ ଦୋକାନ ବଜାର ବନ୍ଦ ଥିବାବେଳେ ଯାନବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏଥିରୁ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଆମ୍ବୁଲାନ୍ସ ସେବା ଇତ୍ୟାଦିକୁ ବାଦ୍ ଦିଆଯାଇଛି ।
ଗତ ଦଶନ୍ଧିର ଶେଷ ଭାଗରେ ଶ୍ୟାମଗୁଡ଼ିଆଠାରେ କେବଳ ମାତୃ ଓ ଶିଶୁ ହସ୍ପିଟାଲ(MCH) ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏଠାରେ ଅତ୍ୟାଧୁନିକ ଆଇସିୟୁ ଶଯ୍ୟା ସହ ଚିକିତ୍ସା ପାଇଁ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେହି ସମୟରେ ପୌରାଞ୍ଚଳରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ କୌଣସି ପ୍ରସ୍ତାବ ନଥିଲେ ହେଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଚଞ୍ଚକତା କରି ଏହାକୁ ଉଠାଇ ନେଇଥିଲା । ଏହାଯୋଗୁଁ ପୌରାଞ୍ଚଳର ଅନ୍ୟୁନ ଏକ ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ପ୍ରଭାବିତ ହେବା ନେଇ କହିଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟ ।