ଓଡିଶା

odisha

କଳାହାଣ୍ଡି ଗସ୍ତରେ WODC ଅଧ୍ୟକ୍ଷ; ମୋହନଗିରି ଶୈବପୀଠର ଉନ୍ନତିକରଣ ପାଇଁ ଦେଲେ ପ୍ରତିଶ୍ରୁତି

By ETV Bharat Odisha Team

Published : Dec 19, 2023, 7:48 AM IST

WODC Chairman Visits Kalahandi: ତିନି ଦିନିଆ କଳାହାଣ୍ଡି ଗସ୍ତରେ WODC ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଅଧିକ ପଢନ୍ତୁ

WODC ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ
WODC ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର(WODC) ଅଧ୍ୟକ୍ଷ ଅସିତ ତ୍ରିପାଠୀ ତିନି ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ସୋମବାର ଗସ୍ତର ପ୍ରଥମ ଦିନରେ ଜିଲ୍ଲାରେ ଥିବା ଷଷ୍ଠ ଶତାବ୍ଦୀର ଐତିହାସିକ ମୋହନଗିରି ଶୈବପୀଠ ପରିଦର୍ଶନ କରିଛନ୍ତି । ମଦନପୁର ରାମପୁର ସହରଠାରୁ ପ୍ରାୟ ୩୦ କିମି ଦୂରରେ ରହିଛି ମୋହନଗିରିର ପ୍ରାଚୀନ ଧବଳେଶ୍ଵର ଶୈବପୀଠ । WODC ଅଧ୍ୟକ୍ଷ ଧବଳେଶ୍ଵର ବାବାଙ୍କ ଦର୍ଶନ କରିବା ସହିତ ମନ୍ଦିର ଚତୁଃପାର୍ଶ୍ଵ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ମନ୍ଦିର ପରିଚାଳନା କମିଟି ସଭାପତି ଏବଂ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ ଏବଂ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତିକରଣ କାର୍ଯ୍ୟ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଅନୁଦାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ବିଶେଷକରି ମନ୍ଦିର ପୋଖରୀ ଚାରିପଟେ ଚଲାପଥ ନିର୍ମାଣ, ପ୍ରମୋଦ ଉଦ୍ୟାନର ଉନ୍ନତିକରଣ, ପୁରାତନ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ପାଇଁ ନୂତନ ସଂଗ୍ରହାଳୟର ପ୍ରତିଷ୍ଠା, ମନ୍ଦିର ପାଚେରୀ ନିର୍ମାଣ, ସୋଲାର ଲାଇଟ୍ ବ୍ୟବସ୍ଥା, ନିକଟରେ ପ୍ରବାହିତ କାଳିଗଙ୍ଗା ନଦୀ ଉପରେ ପୋଲ ନିର୍ମାଣ ଆଦି ଉନ୍ନତିମୂଳକ କାର୍ଯ୍ୟ ପାଇଁ ଏକ ସ୍ବତନ୍ତ୍ର ଡିପିଆର ପ୍ରସ୍ତୁତ କରି ଶୀଘ୍ର ଦେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ WODC ଅଧ୍ୟକ୍ଷ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଡବ୍ଲୁଓଡିସି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ ମିଶ୍ର, ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ, ସିଡିଓ ସଚିନ ପାଓ୍ବାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର, ଜିଲ୍ଲା ଯୋଜନା ଓ ସମନ୍ବୟ ଅଧିକାରୀ ଶ୍ରୀକାନ୍ତ ଦଳେଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମୋହନଗିରି ଧବଳେଶ୍ବର ଶୈବପୀଠ ମନ୍ଦିର ସଭାପତି ପୂର୍ଣ୍ଣ ନନ୍ଦ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ସମ୍ବଲପୁର ଗସ୍ତରେ WODC ଚେୟାରମ୍ୟାନ, ବିଭିନ୍ନ ଉନ୍ନୟନ ପ୍ରକଳ୍ପର କଲେ ସମୀକ୍ଷା

ଏହା ମଧ୍ୟ ପଢନ୍ତୁ: ବଲାଙ୍ଗୀର ଗସ୍ତରେ WODC ଅଧ୍ୟକ୍ଷ: ଉନ୍ନୟନମୂଳକ ଯୋଜନାର ତଦାରଖ ଓ ସହାୟତା ଘୋଷଣା

ଏହାପରେ WODC ଅଧ୍ୟକ୍ଷ ଅସିତ ତ୍ରିପାଠୀ ମଦନପୁର ରାମପୁରକୁ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଆଜି ସେ ଜିଲ୍ଲାର ଜୁନାଗଡ଼, ଧର୍ମଗଡ,ଗୋଲାମୁଣ୍ଡା ଆଦି ଅଞ୍ଚଳ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ପୂର୍ବରୁ ମଧ୍ୟ WODC ଅଧ୍ୟକ୍ଷ ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଲା ଗସ୍ତ କରି ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିସାରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details