ଝାରସୁଗୁଡା:ଦୁଇ ଦିନିଆ ଝାଡସୁଗୁଡା ଜିଲ୍ଲା ଗସ୍ତରେ ବିଧାନସଭା ହାଉସ ସବ କମିଟି । ଜିଲ୍ଲାରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ରାଇସମିଲ ବୁଲି ଦେଖିବା ସହ ବର୍ଜ୍ୟ ଜଳର ପ୍ରଭାବ ବିଭିନ୍ନ ଜଳଉତ୍ସ କିଭଳି ପଡୁଛି ତାହା ଅନୁଧ୍ୟାନ କରିଛନ୍ତି । ଏହାପରେ ଏନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାରେ ଜଳ, ବାୟୁ ଓ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଥିବା ନିର୍ଦ୍ଦେଶାବଳୀର କିଭଳି ସଠିକ ଅନୁପାଳନ କରାଯିବ ସେ ନେଇ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲା କମିଟି ।
ପରିବେଶକୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ଓ ପ୍ରାଥମିକତା ହେବା ଉଚିତ ବୋଲି କହିଥିଲେ କମିଟିର ସଦସ୍ୟ । ବର୍ଜ୍ୟ ଜଳର ଉପଯୁକ୍ତ ଟ୍ରିଟମେଣ୍ଟ କରିବା, ଶିଳ୍ପ ଓ ରାଇସମିଲରୁ ଉଦବୃତ୍ତ ପ୍ରଦୂଷିତ ଜଳ ଯେପରି କାରଖାନା ବାହାରକୁ ନ ଯିବା, ନିୟମ ଅନୁଯାୟୀ ଆନୁପାତିକ ବୃକ୍ଷରୋପଣ ଓ ପ୍ରଦୂଷଣ ମାତ୍ରା କମେଇବା ଉପରେ କମିଟି ଗୁରୁତ୍ୱାରୋପ କରିଥିଲା । ମିଳିତ ଉଦ୍ୟମ ଓ ସହଯୋଗୀ ମନୋଭାବ ନେଇ କାର୍ଯ୍ୟ କରିବା ସହ ଝାରସୁଗୁଡାକୁ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ କମିଟି ପରାମର୍ଶ ଦେଇଥିଲା । ପରିବେଶ ସୁରକ୍ଷା ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ କମିଟିକୁ ଅବଗତ କରାଇଥିଲେ ।