ଓଡିଶା

odisha

ହାଇକୋର୍ଟରେ ରେରା ମାମଲା, ଚଳିତ ଶୀତ ଅଧିବେଶନର ବିଧାନସଭାରେ ଆସିବ ବିଲ !

By

Published : Nov 24, 2022, 10:17 PM IST

Etv Bharat

ହାଇକୋର୍ଟରେ ରେରା ମାମଲା । ଓଡିଶା ହାଇକୋର୍ଟରେ ଆଜି ରେରା ମାମଲାର ଶୁଣାଣି ହୋଇଥିବା ବେଳେ ରାଜ୍ୟରେ ଆପାର୍ଟମେଣ୍ଟ ବିକ୍ରି ଖର୍ଦ୍ଦି ନେଇ ଅଚଳାବସ୍ଥା ଜାରି ରହିଛି । ଚଳିତ ଶୀତ ଅଧିବେଶନରେ ବିଧାନସଭାରେ ଆପାର୍ଟମେଣ୍ଟ ଓନରସିପ ବିଲ ଆସିବାର ରହିଛି । ଏହି ବିଲ ପାରିତ ହେବା ପରେ ଆପାର୍ଟମେଣ୍ଟ ଓନରସ ଆସୋସିଏସନ ଗଠିତ ହୋଇ ପାରିବ । ଏହା ପରେ ଆପାର୍ଟମେଣ୍ଟ ବିକ୍ରି ଖର୍ଦ୍ଦି ସ୍ୱାଭାବିକ ହୋଇପାରିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ଅଧିକ ପଢନ୍ତୁ

କଟକ: ହାଇକୋର୍ଟରେ ରେରା ମାମଲା । ଓଡିଶା ହାଇକୋର୍ଟରେ ଆଜି ରେରା ମାମଲାର ଶୁଣାଣି ହୋଇଥିବା ବେଳେ ରାଜ୍ୟରେ ଆପାର୍ଟମେଣ୍ଟ ବିକ୍ରି ଖର୍ଦ୍ଦି ନେଇ ଅଚଳାବସ୍ଥା ଜାରି ରହିଛି । ଚଳିତ ଶୀତ ଅଧିବେଶନରେ ବିଧାନସଭାରେ ଆପାର୍ଟମେଣ୍ଟ ଓନରସିପ ବିଲ ଆସିବାର ରହିଛି । ଏହି ବିଲ ପାରିତ ହେବା ପରେ ଆପାର୍ଟମେଣ୍ଟ ଓନରସ ଆସୋସିଏସନ ଗଠିତ ହୋଇ ପାରିବ । ଏହା ପରେ ଆପାର୍ଟମେଣ୍ଟ ବିକ୍ରି ଖର୍ଦ୍ଦି ସ୍ୱାଭାବିକ ହୋଇପାରିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଛି ।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ଏସଂକ୍ରାନ୍ତୀୟ ସମସ୍ତ ନିର୍ଦ୍ଦେଶ କାଏମ ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ରୁଜ୍ଜୁ ମାମଲାର ଶୁଣାଣି ଗତ ୪ ତାରିଖରେ ହୋଇଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାଏମ ରହିଥିବା ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରିରୁ ହାଇକୋର୍ଟକୁ ଏ ସଂକ୍ରାନ୍ତୀୟ ଆସିଥିବା ଚିଠିରୁ ସ୍ପଷ୍ଟ ହୋଇଛି । ଡିସେମ୍ବର ୭ ରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଥିବା ଆବେଦନକାରୀଙ୍କ ଓକିଲ ମୋହିତ ଅଗ୍ରୱାଲଙ୍କ ସୂଚନା ଦେଇଛନ୍ତି ।

ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟରେ ମେ ୧୨ ରୁ ବନ୍ଦ ରହିଛି ଫ୍ଲାଟ ରେଜିଷ୍ଟ୍ରେସନ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ଅନ୍ତରୀଣ ରହିତାଦେଶକୁ ବଳବତ୍ତର ରଖିଛନ୍ତି ହାଇକୋର୍ଟ । ପୂର୍ବ ଶୁଣାଣି ସମୟରେ ରାଜ୍ୟ ସରକାର ଖୁବ ଶୀଘ୍ର ନୂଆ "ଆପାର୍ଟମେଣ୍ଟ ଓନରସିପ ଆକ୍ଟ" ପ୍ରଣୟନ କରିବେ ବୋଲି ହାଇକୋର୍ଟଙ୍କୁ ଅବଗତ କରିଥିଲେ । ଆପାର୍ଟମେଣ୍ଟରେ ଫ୍ଲାଟ ବୁକିଂ ପାଇଁ ସଂଶୋଧିତ ଫ୍ଲାଟ ବୁକିଂ ଏଗ୍ରିମେଣ୍ଟର ଏକ ଫର୍ମାଟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ମଧ୍ୟ ପୂର୍ବ ଶୁଣାଣିରେ ଉପସ୍ଥାପନ କରାଯାଇଥିଲା ।

ତେବେ ମୁଖ୍ୟ ପଞ୍ଜିକରଣ ଅଧିକାରୀ (IGR) ଏହି ଫର୍ମାଟର ଅନୁଧ୍ୟାନ କରି ଏହାକୁ କାର୍ଯ୍ୟକାରୀ କରିବା ଉପରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଥିଲେ । କେନ୍ଦ୍ର ସରକାରଙ୍କ ନୂଆ ରେରା ଆଇନ ପ୍ରଣୟନ ପରେ ରାଜ୍ୟ ସରକାର ସେହି ଢାଞ୍ଚାରେ ଆଇନ ଆଣିବାକୁ ତିନି ମାସ ସମୟ ନେଇଥିଲେ । ରେରା ଆଇନ ଅନୁଯାୟୀ ଫ୍ଲାଟ ଓନର ଆସୋସିଏସନ ପଞ୍ଜିକରଣ ବିନା ଫ୍ଲାଟ ବିକ୍ରି ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ମୁଖ୍ୟ ପଞ୍ଜିକରଣ ଅଧିକାରୀ (IGR) ସମସ୍ତ ପଞ୍ଜିକରଣ ଗତ ମେ ୧୨ ତାରିଖରୁ ବନ୍ଦ କରିଥିଲେ । ୧୯୮୨ରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ପ୍ରଣୟନ ହୋଇଥିବା ବେଳେ ୨୦୧୫ରେ ଏଥିରେ ସଂଶୋଧନ କରାଯାଇଥିଲା ।

ଏହାପରେ ୨୦୧୬ରେ ରିଅଲ ଇଷ୍ଟେଟ କାରବାରକୁ ସୁବ୍ୟବସ୍ଥିତ କରିବା ପାଇଁ ରେରା ଆଇନ କାର୍ଯ୍ୟକାରୀ କରାଯାଇଥିଲା । ରେରା ଆଇନ ଅନୁସାରେ କୌଣସି ଆପର୍ଟମେଣ୍ଟରେ ଫ୍ଲାଟ କିଣୁଥିବା ବ୍ୟକ୍ତିମାନେ ବୁକିଂ ପରେ ଆସୋସିଏସନ ଗଠନ କରିପାରିବେ । ଏହାର ଅର୍ଥ ଆପର୍ଟମେଣ୍ଟ କ୍ରୟ ସଂପର୍କିତ ଦଲିଲ କାର୍ଯ୍ୟକାରୀ ପୂର୍ବରୁ ଏପରି ଆସୋସିଏସନ୍ କରି ହେବ । ଯଦି ଫ୍ଲାଟ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ବା ଚୁକ୍ତି ଉଲ୍ଲଂଘନ ହୁଏ ତେବେ ଏପରି ଆସୋସିଏସନ ରେରା ଆଇନ ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ । ରେରା ଆଇନ ବଳବତ୍ତର ରହିଥିବା ବେଳେ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ କାର୍ଯ୍ୟକାରୀ କରିଥିଲେ ।

ଏସଂପର୍କିତ ୧୯୯୨ର ନିୟମାବଳୀରେ ସଂଶୋଧନ କରିଥିଲେ ସରକାର । ଆପର୍ଟମେଣ୍ଟର ଅତି କମରେ ୮ଟି ଫ୍ଲାଟ୍‌ର ବିକ୍ରି ପରେ ଆପର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ କରି ହେବ ବୋଲି ନୂଆ ସଂଶୋଧିତ ନିୟମରେ ସ୍ପଷ୍ଟ କରାଯାଇଥିଲା । ୨୦୨୧ର ସଂଶୋଧିତ ନିୟମାବଳୀ ରେରା ଆଇନର ବିରୁଦ୍ଧାଚରଣ କରୁଛି ଓ ଆପର୍ଟମେଣ୍ଟ ମାଲିକଙ୍କ ସ୍ବାର୍ଥବିରୋଧୀ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଆପର୍ଟମେଣ୍ଟର ସାଧାରଣ ଅଞ୍ଚଳ(କମନ ଏରିଆ) ମାଲିକମାନଙ୍କୁ ନେଇ ଗଠିତ ଆସୋସିଏସନ ନାଁରେ ପଞ୍ଜିକୃତ ହେବା କ୍ଷେତ୍ରରେ ସଂଶୋଧିତ ନିୟମାବଳୀ ବାଧା ସୃଷ୍ଟି କରୁଛି । ଏପରି ସଂଶୋଧିତ ନିୟମାବଳୀକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details