ଓଡିଶା

odisha

ଅଘୋଷିତ ବିଦ୍ୟୁତ କାଟ୍ ପ୍ରତିବାଦରେ କଂଗ୍ରେସର ରଣହୁଙ୍କାର

By

Published : Jun 27, 2023, 9:54 PM IST

ଟିପିଏନଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଅଘୋଷିତ ବିଦ୍ୟୁତ କାଟ୍ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି। ବକେୟା ବିଦ୍ୟୁତ ବାବଦରେ ଗ୍ରାହକଙ୍କ ଉପରେ ଜୋର ଜୁଲମ କରିବାରୁ ନିବୃତ ରହିବାକୁ ସରକାରଙ୍କୁ ଚେତାବନୀ ଦେଇଛି କଂଗ୍ରେସ ।

ଅଘୋଷିତ ବିଦ୍ୟୁତ କାଟକୁ ନେଇ ପ୍ରତିବାଦ
ଅଘୋଷିତ ବିଦ୍ୟୁତ କାଟକୁ ନେଇ ପ୍ରତିବାଦ

ଅଘୋଷିତ ବିଦ୍ୟୁତ କାଟକୁ ନେଇ ପ୍ରତିବାଦ

ବାଲେଶ୍ବର: ରେମୁଣାରେ ଥିବା ଟିପିଏନଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଅଘୋଷିତ ବିଦ୍ୟୁତ କାଟ ଓ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଶାର ବିଦ୍ୟୁତ ଗ୍ରାହକଙ୍କୁ ବର୍ଷ ବର୍ଷ ଧରି ଗୁଣାତ୍ମକ ବିଦ୍ୟୁତ ଯୋଗାଣ କରିବାରେ ବିଭିନ୍ନ ସମୟରେ ବିତରକ କମ୍ପାନୀ ମାନେ ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। "ଓଡ଼ିଶାର ବିଦ୍ୟୁତ ଗ୍ରାହକଙ୍କୁ ବିଭିନ୍ନ ସମୟରେ ବିଦ୍ୟୁତ ବିତରକ କମ୍ପାନୀ ଗ୍ରୀଡ଼କୋ ଓ ଓଡ଼ିଶା ସରକାରଙ୍କର ଶକ୍ତି ବିଭାଗ ଶୋଷଣ କରିବାରେ ଲାଗିଛନ୍ତି" ବୋଲି କହିଛି କଂଗ୍ରେସ।

"ରାଜ୍ୟରେ ୟୁନିଟ ପିଛା ବିଦ୍ୟୁତ ଦର ଅନ୍ୟ ରାଜ୍ୟ ତୁଳରେ ବହୁ ଅଧିକ। ଶକ୍ତି ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ବିଦ୍ୟୁତ କାଟ୍ ହେଉନାହିଁ। ମାତ୍ର ବାସ୍ତବତା ଠାରୁ ବହୁ ଦୂରରେ ମନ୍ତ୍ରୀ ରହିଥିବାବେଳେ ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁଁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ ଯୋଗାଣ ନିରବଚ୍ଛିନ୍ନ ହେବା ପରିବର୍ତ୍ତେ ବିଦ୍ୟୁତ କାଟ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଗ୍ରାମାଞ୍ଚଳରେ ୭ ରୁ ୮ ଘଣ୍ଟା ଧରି ବିଦ୍ୟୁତ କାଟ୍ ହେଉଥିବାର ବହୁ ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ" ବୋଲି କହି ବର୍ଷିଛି କଂଗ୍ରେସ ।

ସେହିପରି ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ରାଜ୍ୟ ସରକାର ୨୨ ହଜାର କୋଟି ଟଙ୍କାର ବିଦ୍ୟୁତ ଭିତ୍ତିଭୂମିର ନବୀକରଣ ପାଇଁ ଖର୍ଚ୍ଚ କରିଛନ୍ତି ବୋଲି ଦର୍ଶାଇଛନ୍ତି। ଅପରପକ୍ଷେ, ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ପାଖାପାଖି ୨୦ ହଜାର କୋଟି ଟଙ୍କାର ବିଦ୍ୟୁତ ଭିତ୍ତିଭୂମିର ନବୀକରଣ ପାଇଁ ପୁଞ୍ଜି ବିନିଯୋଗ ହୋଇଥିବାର ତଥ୍ୟ ସରକାର ଦେଇଛନ୍ତି। ଯଦି ୨୩ ବର୍ଷ ଭିତରେ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମିର ନବୀକରଣ ଓ ପୁନଃ ବିନ୍ୟାସ ପାଇଁ ୪୨ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି ତାହାଲେ, ଟାଟା ପାୱାରର ସିଇଓ ପ୍ରଭୀନ ସ୍ନିହା ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ରୁଗ୍ଣ ଅବସ୍ଥାରେ ଅଛି ବୋଲି କିଭଳି କହିଲେ?" ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ତେବେ ଅହେତୁକ ବିଦ୍ୟୁତ ଦର ବୃଦ୍ଧିକୁ କମ୍ କରାଯାଉ। ବିଦ୍ୟୁତ ଦେୟ ପ୍ରତିମାସରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ଆଦାୟ କରାଯାଉ। ବକେୟା ବିଦ୍ୟୁତ ବାବଦରେ ଗ୍ରାହକଙ୍କ ଉପରେ ଜୋର ଜୁଲମ କରି ଯେଉଁ ସୁଧ ସହ ବିଦ୍ୟୁତ ଦେୟ ଆଦାୟ କରାଯାଉଛି ସେଥିରୁ ତୁରନ୍ତ ନିବୃତ ରହିବାକୁ ଚେତାବନୀ ଦେଇଛି କଂଗ୍ରେସ । ଏହାସହ ବିଦ୍ୟୁତ ଭିତ୍ତିଭୂମି ପାଇଁ ଖର୍ଚ୍ଚ କରାଯାଇଥିବା ୧୫ ହଜାର କୋଟି ଟଙ୍କାର ଶ୍ବେତପତ୍ର ସରକାର ସାର୍ବଜନୀନ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details