ବାଲେଶ୍ବର: ଲୋକପ୍ରିୟ ଶୋ' କୌନ ବନଗୋ କରୋଡପତି କାର୍ଯ୍ୟକ୍ରମରେ ବାଲେଶ୍ବରର ଶିକ୍ଷକ ଶେଖ ଅଜମତ । ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ଏହି ଶୋ'ରେ ଭାଗ ନେଇ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରାଇସୁଆଁ ପଞ୍ଚାୟତ ସିଙ୍ଗାରପୁର ଗ୍ରାମର ସେଖ ଅଜମତ । ଏନେଇ ପୁରା ଅଞ୍ଚଳବାସୀ ତାଙ୍କୁ ଶୁଭେଚ୍ଛା ଜଣେଇବା ସହ ସେ ମଧ୍ୟ ବେଶ ଖୁସିଥିବା ଜଣାପଡିଛି ।
ଗତ ସେପ୍ଟେମ୍ବର ମାସ ୨୯ ତାରିଖରେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ବିଗ ବି ଅମିତାଭ ବଚ୍ଚନଙ୍କ ୧୩ଟି ପ୍ରଶ୍ନର ସଠିକ ଉତ୍ତର ଦେଇଥିଲେ ଶେଖ ଅଜମତ । ଯାହାର ଫଳ ସ୍ୱରୁପ ସେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିପାରିଛନ୍ତି । ନଭେମ୍ବର ୧୩ ତାରିଖରେ ଏହା ପ୍ରସାରିତ ହେବା ପରେ ତାଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାର ସୁଅ । କେକ କାଟି ଧୁମଧାମରେ ଅଞ୍ଚଳବାସୀ ତାଙ୍କ ସଫଳତାକୁ ସେଲିବ୍ରେଟ କରିଛନ୍ତି ।
ସୂଚନା ଅନୁସାରେ, ସେଖ ଅଜମତ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଦୀର୍ଘ ଦିନରୁ ପ୍ରୟାସ କରି ଆସୁଥିଲେ। ଗତ ସେପ୍ଟେମ୍ବର ମାସରେ ତାଙ୍କ ପାଖକୁ ଚ୍ୟାନେଲ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଫୋନ ଆସିଥିଲା । ବିଗ ବି ଅମିତାଭ ବଚ୍ଚନଙ୍କ ସମ୍ମୁଖରେ ହଟ୍ ସିଟ୍ରେ ବସିବା ପାଇଁ ସୌଭାଗ୍ୟ ଅର୍ଜନ କରିଥବାରୁ ତାଙ୍କର ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେବାପାଇଁ ଚେଷ୍ଟା ଜାରି ରଖିଥିଲେ । ତେବେ ସେ ମୋଟ ୧୬ ପ୍ରଶ୍ନରୁ ୧୩ଟି ପ୍ରଶ୍ନର ସଠିକ ଉତ୍ତର ଦେଇ ୧୪ ନଂ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରୁ ଓହରି ଯାଇଥିଲେ । ତାଙ୍କ ମନରେ ସନ୍ଦେହ ଥିଲା ଯଦି ୧୪ ନଂ ପ୍ରଶ୍ନର ଉର ଭୁଲ ହୁଏ ତାହାହେଲେ ସେ ଜିତିଥିବା ୨୫ ଲକ୍ଷ ଟଙ୍କାକୁ ହରାଇବାକୁ ପଡିବ । ଏଥିପାଇଁ ଅଜମତ ଏହି ଖେଳରୁ ଓହରି ୨୫ ଲକ୍ଷ ଟଙ୍କାରେ ଖୁସି ହୋଇଥିଲେ ।