ହାଇଦ୍ରାବାଦ: ବିରାଟ କୋହଲିଙ୍କ ଦମଦାର ଶତକ ସହାୟତାରେ ଗୁରୁବାର ବାଂଲାଦେଶକୁ ୭ ୱିକେଟ୍ରେ ହରାଇଛି ଟିମ୍ ଇଣ୍ଡିଆ । ଚଳିତ ବିଶ୍ବକପ୍ ୨୦୨୩ରେ ଏହା ଭାରତର କ୍ରମାଗତ ଚତୁର୍ଥ ବିଜୟ । ତେବେ ଶତକ ହାସଲ କରିବା ଶେଷ ମୁହୂର୍ତ୍ତରେ କୋହଲି ରନ୍ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । କାରଣ ଓଭର ବାକି ରହିଥିଲେ ମଧ୍ୟ ଦଳକୁ ଜିତିବା ପାଇଁ ଯେତିକି ରନ ଦରକାର ଥିଲା, କୋହଲିଙ୍କୁ ଶତକ ହାସଲ ପାଇଁ ମଧ୍ୟ ସେତିକି ରନ ଆବଶ୍ୟକତା ଥିଲା । ତେଣୁ କୋହଲି ମାପିଚୁପି ରନ୍ ନେଉଥିବା ଦେଖିବାକୁ ମିଳିଥିଲା । ହେଲେ ଶେଷ ମୁହୂର୍ତ୍ତରେ ସେ ସିଙ୍ଗଲ ନେବାକୁ କେଏଲ ରାହୁଲଙ୍କୁ କହିଥିଲେ ମଧ୍ୟ ରାହୁଲ ମନା କରି ଦେଇଥିଲେ । ଏହାପରେ ଛକା ମାରି ଦଳକୁ ବିଜୟୀ କରିବା ସହ ବେଶ ଚମତ୍କାର ଢଙ୍ଗରେ ଶତକ ହାସଲ କରିଥିଲେ କୋହଲି । ତେଣୁ ଭାରତର ବିଜୟଠାରୁ କୋହଲିଙ୍କ ଶତକକୁ ନେଇ ଅଧିକ ଚର୍ଚ୍ଚା ଲାଗି ରହିଛି ।
ସମାଲୋଚକଙ୍କ ମୁହଁ ବନ୍ଦ କଲେ ରାହୁଲ: ଏହି ସମୟରେ କୋହଲି ଦଳକୁ ଜିତାଇବା ପାଇଁ ଖେଳିବା ପରିବର୍ତ୍ତେ ନିଜ ବ୍ୟକ୍ତିଗତ ରେକର୍ଡ ପାଇଁ ଖେଳୁଥିବା ନେଇ କିଛି ପ୍ରଶଂସକ କୋହଲିଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଥିଲେ । ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ କୋହଲିଙ୍କ ବ୍ୟାଟିଂ ସାଥି କେଏଲ୍ ରାହୁଲଙ୍କ ଉତ୍ତର ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛକା ରାହୁଲଙ୍କୁ ନିଜ ଶତକ ହାସଲ କରିବାରୁ ବଞ୍ଚିତ କରିଥିଲା । ହେଲେ ଏହି ମ୍ୟାଚ୍ରେ ସେପରି ଭୁଲ କରିନଥିଲେ ରାହୁଲ । ସେ ନିଜେ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିନଥିଲେ ଆଉ କୋହଲିଙ୍କୁ ସିଙ୍ଗିଲ୍ ନନେବାକୁ ବାଧ୍ୟ କରିଥିଲେ । ତେବେ ଭାରତୀୟ ପାଳିର ଶେଷ ମୁହୂର୍ତ୍ତରେ ଉପଲବ୍ଧ ହେଉଥିବା ସହଜ ସିଙ୍ଗିଲ୍ ନନେବାକୁ ନେଇ ରାହୁଲ ନିଜ ସ୍ପଷ୍ଟୀକରଣରେ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ।
ରାହୁଲଙ୍କ ସହ କଥା ହେବାପରେ ସିଙ୍ଗିଲ ନେଲେନି କୋହଲି: ଏହି ମ୍ୟାଚ୍ରେ ଯେତେବେଳେ ଭାରତ ଜିତିବାକୁ ଆଉ ୧୯ ରନ ବାକିଥିଲା, କୋହଲି ମଧ୍ୟ ନିଜ ଶତକଠାରୁ ୧୯ ରନ ଦୂରରେ ରହିଥିଲେ । ଏହି ସମୟରେ ପିଚ୍ ମଧ୍ୟରେ କୋହଲି ଓ ରାହୁଲଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ ହୋଇଥିବା ଦେଖିବାକୁ ମିଳିଥିଲା । ଏହାପରେ କୋହଲି ନିଜର ସାଧାରଣ ଖେଳ ନଖେଳି ଉପଲବ୍ଧ ସିଙ୍ଗିଲ ନେବା ବଦଳରେ କେବଳ ଛକା ଓ ଚୌକା ମାରିବା ପାଇଁ ପ୍ରୟାସ କରିଥିଲେ ଓ ନିଜ ପାଖରେ ଷ୍ଟ୍ରାଇକ୍ ରଖିଥିଲେ । ବାଂଲାଦେଶୀ ବୋଲର ବାରମ୍ବାର ଅତିରିକ୍ତ ରନ ଦେଉଥିବାରୁ ଏହା କୌହଲିଙ୍କ ଶତକ ପ୍ରତି ଆଶଙ୍କା ସୃଷ୍ଟି କରିଥିଲା । କୋହଲି ୯୭ ରନରେ ରହିଥିବାବେଳେ ଭାରତକୁ ଜିତିବା ପାଇଁ ମାତ୍ର ୨ ରନର ଆବଶ୍ୟକତା ରହିଥିଲା । ଏହି ସମୟରେ ବୋଲର ନାସୁମ ଅହମ୍ମଦ ଏକ ୱାଇଡ୍ ପକାଇଥିଲେ । ହେଲେ ଅମ୍ପାୟାର ରିଚାର୍ଡ କେଟେଲବରୋଫ୍ ଏହାକୁ ୱାଇଡ୍ ଦେଇନଥିଲେ । ଶେଷରେ କୋହଲି ଧୈର୍ଯ୍ୟର ସହ ଅପେକ୍ଷା କରି ଏକ ଛକା ମାରିଥିଲେ । ଏହି ଛକା ସହିତ ଭାରତକୁ ବିଜୟ ଓ କୋହଲିଙ୍କୁ ୪୮ ତମ ଅନ୍ତର୍ଜାତୀୟ ଦିନିକିଆ ଶତକ ମିଳିଥିଲା ।