ହାଇଦ୍ରାବାଦ: ଚଳିତ ବିଶ୍ବକପରେ ଭାରତୀୟ କ୍ରିକେଟ ଦଳ ଦମଦାର ପ୍ରଦର୍ଶନ କରିଛି । ଏଯାବତ ଦଳ 8ଟି ଲିଗ ମ୍ୟାଚରେ ବାଜିମାର ଅପରାଜେୟ ରହିଛି । ଆଜି ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସକୁ ଭେଟିବ ରୋହିତ ସେନା । ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆ । ଆସନ୍ତା 15 ତାରିଖରେ ନ୍ଯୁଜିଲାଣ୍ଡକୁ ଭେଟିବ । ଏହା ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଖେଳାଳି ଫାରୁକ ଇଞ୍ଜିନିୟର ଇଟିଭି ଭାରତକୁ ସାକ୍ଷାତକାର ଦେଇ ଭାରତୀୟ ଦଳକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ଟିମ୍ ଇଣ୍ଡିଆ ଚମ୍ପିଆନ । ସବୁଠୁ ଶକ୍ତିଶାଳୀ ଦଳ । ଚଳିତ ବିଶ୍ବକପରେ ଭାରତ ଅସଫଳ ହେବା ନେଇ କୌଣସି କାରଣ ନାହିଁ ବୋଲି କହିଛନ୍ତି ଫାରୁକ ଇଞ୍ଜିନିୟର ।
ଟିମ୍ ଇଣ୍ଡିଆ ଚମ୍ପିଆନ:ଭାରତୀୟ କ୍ରିକେଟ୍ ଦଳ ପ୍ରଶଂସା କରି ଫାରୁକ ଇଞ୍ଜିନିୟର କହିଛନ୍ତି,"ଭାରତୀୟ ଦଳ ପ୍ରଦର୍ଶନ ବହୁତ ଭଲ ରହିଛି । ଟିମ ଇଣ୍ଡିଆ ଚମ୍ପିଆନ ବିଶ୍ବକପର ସବୁଠୁ ଶକ୍ତିଶାଳୀ ଦଳ । ମୁଁ ଦେଖିଥିବା ସବୁଠୁ ମଜଭୁତ ଭାରତୀୟ ଦଳ ମଧ୍ୟରୁ ଗୋଟିଏ । ସବୁ କ୍ଷେତ୍ରରେ ଦଳ ସନ୍ତୁଳିତ ରହିଛି । ଦଳର ବ୍ୟାଟିଂ ବୋଲିଂ ଓ ଫିଲ୍ଡିଂ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆଣିଛି । ଦଳ ପାଖରେ ଅସଫଳ ହେବାର କୌଣସି କାରଣ ନାହିଁ । ଭାରତ ବିଶ୍ବ ଚମ୍ପିଆନ ହେବାର ଶ୍ରେଷ୍ଠ ଦାବିଦାର । 2015 ଓ 2019ରେ ଭାରତ ସେମିରେ ପ୍ରବେଶ କରି ବିଫଳ ହୋଇଥିଲା ମାତ୍ର ଏଥର ଦଳର ଅଭିଯାନ ଅଲଗା । ଦଳର ବ୍ୟାଟିଂ ଓ ବୋଲିଂ ବହୁତ ସୃଦୁଢ ମୁଁ ଏପରି କେବେ ଦେଖିନାହିଁ ବୋଲି କହିଛନ୍ତି ଫାରୁକ ଇଞ୍ଜିନିୟର ।"
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଦୁର୍ଭାଗ୍ୟଜନକ:ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇ ବିଶ୍ବକପରୁ ବାଦ ପଡିଛନ୍ତି ଭାରତୀୟ ଅଲରାଉଣ୍ଡର ତଥା ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଏହାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଫାରୁକ ଇଞ୍ଜିନିୟର । ହାର୍ଦ୍ଦିକ ଜଣେ ଟପ୍ କ୍ଲାସ ଖେଳାଳି । ଗୋଟିଏ ଦଳ କେବଳ 11 ଖେଳାଳିଙ୍କୁ ନେଇ ଖେଳିପାରିବ ଏହା ଭାରତୀୟ ଦଳର ସାମର୍ଥ୍ୟକୁ ଦର୍ଶାଉଛି ବୋଲି କହିଛନ୍ତି ଫାରୁକ ଇଞ୍ଜିନିୟର ।