ସମ୍ବଲପୁର: ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନୀର କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । 2013 ମସିହାରେ ଆଦିତ୍ୟ ଆଲୁମିନା କମ୍ପାନୀ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ସମୟରେ ସ୍ଥାନୀୟ ଲୋକଙ୍କୁ ଯେଉଁସବୁ ପ୍ରତିଶୃତି ଦେଇଥିଲା ତାହା ପୂରଣ କରିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ ସ୍ଥାନୀୟ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତ 22 ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିନଥିବାରୁ ଆଗକୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି । ସ୍ଥାନୀୟ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘର ଅଭିଯୋଗ ଅନୁଯାୟୀ, ପ୍ରତିଶୃତି ମୁତାବକ କମ୍ପାନୀ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରୁନାହିଁ । କମ୍ପାନୀ ପ୍ରତିଷ୍ଠା ସମୟରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଜନସାଧାରଣ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଭିତରେ ହୋଇଥିବା ତ୍ରିପାକ୍ଷିକ ବୈଠକରେ କମ୍ପାନୀ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଭୁଲି ଯାଇଥିବା ଅଭିଯୋଗ କରିଛି ସଂଘ ।