ଭୁବନେଶ୍ବର: ରାଜ୍ୟରେ କୋଭିସିଲଡ ଟିକା ସରିଆସୁଥିବାରୁ ଟୀକାକରଣରେ ବ୍ୟାଘାତ ହୋଇପାରେ । ତେବେ ମାଗଣା ଟୀକାକରଣରେ 3 ଦିନ ଭିତରେ ପାଖାପାଖି 3 ଲକ୍ଷ ପ୍ରିକସନ ଡୋଜ୍ ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ କହିବା ମୁତାବକ, ‘‘18ରୁ 59 ବର୍ଷ ବୟସ୍କ ଲୋକଙ୍କୁ ଜୁଲାଇ 15 ତାରିଖରୁ ମାଗଣାରେ ପ୍ରିକସନ ଡୋଜ ଦିଆଯାଉଛି । 15 ତାରିଖ ପର୍ଯ୍ୟନ୍ତ 1 ଲକ୍ଷ 52 ହଜାର ପ୍ରିକସନ ଡୋଜ୍ ଦିଆଯାଇଥିଲା । ତେବେ ଏହି 3 ଦିନ ଭିତରେ ପ୍ରାୟ ପାଖାପାଖି 3 ଲକ୍ଷ ପ୍ରିକସନ ଡୋଜ୍ ଦିଆଯାଇଛି । ତେଣୁ, ଏବେ ସୁଦ୍ଧା ମୋଟ 4 ଲକ୍ଷ 52 ହଜାର ପ୍ରିକସନ୍ ଟୀକା ଦିଆଗଲାଣି । ମୁଖ୍ୟତଃ ରାଜ୍ୟରେ କୋଭିସିଲ୍ଡ ଟୀକା ଅଧିକ ବ୍ୟବହାର ହେଉଛି । ଏହାର କାରଣ ରାଜ୍ୟର ତମାମ ଜିଲ୍ଲା ଗୁଡିକରେ କୋଭିସିଲଡ ଟୀକା ଅଧିକ ବ୍ୟବହାର କରାଯାଉଛି । ତେବେ କେବଳ ଭୁବନେଶ୍ବର, କଟକ, ଗଞ୍ଜାମ, ସମ୍ବଲପୁର ଓ ବାଲେଶ୍ବର ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁ ସ୍ଥାନରେ ଟୀକାକରଣ ଆରମ୍ଭରୁ କୋଭିସିଲଡ ଟିକା ହିଁ ଦିଆଯାଉଥିଲା । ତେଣୁ, ସେମାନଙ୍କର ପ୍ରିକସନ ଡୋଜ୍ ନେବା ପାଇଁ ସମୟ ହୋଇଗଲାଣି । ସେଥିପାଇଁ କୋଭିସିଲଡ ଟିକା ଅଧିକ ଦରକାର ପଡୁଛି । ତେଣୁ, କୋଭିସିଲଡ ଟିକାର ଷ୍ଟକ ସରିଆସିଲାଣି ।’’