ଶ୍ରୀନଗର:ଜମ୍ମୁରେ ଜୟ ଶ୍ରୀରାମ ଲେଖିଥିବା ଛାତ୍ରଙ୍କୁ ମାଡ ମାରିବା ଘଟଣା । ଛାତ୍ରଙ୍କୁ ନିର୍ଦ୍ଧୁମ ପିଟି ଫେରାର ହୋଇଥିବା ଶିକ୍ଷକ ସୋମବାର ଗିରଫ ହୋଇଛନ୍ତି । ଏବେ ବି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫେରାର ଥିବା ବେଳେ ତାଙ୍କୁ ଖୋଜୁଛି ପୋଲିସ । କଳାପଟାରେ ଜୟ ଶ୍ରୀରାମ ଲେଖିବାରୁ ଶିକ୍ଷକ ଜଣକ ଛାତ୍ରଙ୍କୁ ଏପରି ପିଟିଥିଲେ ଯେ ଶେଷରେ ଛାତ୍ର ଜଣକ ଅସୁସ୍ଥ ହୋଇପଡ଼ି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଛାତ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ଫେରାର ଥିବା ଶିକ୍ଷକଙ୍କୁ ସୋମବାର ଗିରଫ କରିଛି । ଜମ୍ମୁକାଶ୍ମୀର କାଠୁଆ ଜିଲ୍ଲାର ଏକ ସରକାରୀ ସ୍କୁଲରେ ଗତ ଶନିବାର ଘଟିଥିଲା ଏହି ଘଟଣା ।
ପୋଲିସର କହିବା ଅନୁସାରେ କାଠୁଆ ଜିଲ୍ଲାର ବାନି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଥିଲା । ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଧାର୍ମକ ସ୍ଲୋଗାନ ଲେଖିଥିବା ଯୋଗୁଁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ । ମାଡ଼ ଖାଇଥିବା ଛାତ୍ର ଜଣକ ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ସେପଟେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ପରିବାର ଓ ଛାତ୍ରମାନେ ଶନିବାର ଧାରଣା ଦେଇଥିଲେ । ଏହାପରେ କାଠୁଆ ଡିସିପି ରାକେଶ ମିନହାସ ଘଟଣାର ତଦନ୍ତ ଲାଗି ଏକ ୩ ଜଣିଆ କମିଟି ଗଠନ କରିଥିଲେ ।
ଏହା ବି ପଢନ୍ତୁ- ଜୟ ଶ୍ରୀରାମ ଲେଖିବାରୁ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ
ସୂଚନା ଥାଉ କି ଗତ ଅଗଷ୍ଟ ୨୫ ତାରିଖରେ ମାଡ଼ ଖାଇଥିବା ଛାତ୍ରର ପିତା କୁଲଦୀପ ସିଂ ଅଭିଯୁକ୍ତ ଶିକ୍ଷକ ଫାରୁକ ଅହମ୍ମଦ ଓ ପ୍ରଧାନ ଶିକ୍ଷକ ମହମ୍ମଦ ହାଫିଜଙ୍କ ବିରୋଧରେ ଅଭିଯୋଗ କରିଥିଲେ । ବାନି ପୋଲିସ ଷ୍ଟେସନରେ ଜୁଭେନାଇଲ ଜଷ୍ଟିସ ଆକ୍ଟ ଆଧାରରେ ଏକ ମାମଲା ରୁଜୁ ହୋଇଛି । ଏହାପରେ ସ୍ଥାନୀୟ SHO ସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷକଙ୍କୁ ଗିରଫ କରି ପଚରାଉଚରା କରିଛନ୍ତି । ସେପଟେ ସ୍କୁଲର ପ୍ରଧାନ ଶିକ୍ଷକ ମହମ୍ମଦ ହାଫିଜ ଫେରାର ଥିବା ବେଳେ ତାଙ୍କୁ ଖୋଜୁଛି ପୋଲିସ ।