ନୂଆଦିଲ୍ଲୀ:ଦେଶବାସୀଙ୍କୁ ଅତିଷ୍ଠ କଲାଣି ମହଙ୍ଗା ମାଡ । ରନ୍ଧନ ଗ୍ୟାସ ସହ ବେଲଗାମ୍ ତୈଳ ଦର ମଧ୍ୟରେ ଅଣନିଶ୍ବାସୀ ଖାଉଟି । ଲଗାତାର ତୈଳ ଦର ବୃଦ୍ଧି ପରେ ଏବେ ରେକର୍ଡ ସ୍ତରରେ ପହଞ୍ଚିଛି ପେଟ୍ରୋଲ-ଡିଜେଲ ରେଟ୍ । ଅନ୍ତରାଷ୍ଟ୍ରୀୟ ସ୍ତରରେ ତୈଳ ଦର ୨୦୧୪ ପରଠାରୁ ଉଚ୍ଚା ରହିଛି । ବିଶ୍ବ ବଜାରରେ ବେଞ୍ଚମାର୍କ ବ୍ରେଣ୍ଟ ପ୍ରତି ଲିଟର ପିଛା ୮୧ ଡଲାରରେ ପହଞ୍ଚି ଯାଇଛି । ଯାହାପରେ ବର୍ତ୍ତମାନ ଦେଶରେ ଇନ୍ଧନ ଦାମରେ ଅହେତୁକ ବୃଦ୍ଧି ସହ ପେଟ୍ରୋଲ-ଡିଜେଲ ଉପରେ ମହଙ୍ଗା ମାଡ ଥମିବାର ନାଁ ନେଉନି ।
ତାଜା ଅପଡେଟ ଅନୁସାରେ, ଆଜି ପେଟ୍ରୋଲ ଲିଟର ପିଛା ୩୦ ପଇସା ଏବଂ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି । ଏହି ବୃଦ୍ଧି ସହ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ରେଟ୍ ୧୦୨.୯୪ ଟଙ୍କା ଏବଂ ମୁମ୍ବାଇରେ ୧୦୮.୯୬ ଟଙ୍କାକୁ ବଢିଛି । ଯଦି ଡିଜେଲ ଦର କଥା କୁହାଯାଏ, ତେବେ ଦୁଇ ସହରରେ ଦର ଯଥାକ୍ରମେ ୯୧.୪୨ ଟଙ୍କା ଏବଂ ୯୯.୧୭ ଟଙ୍କା ପ୍ରତି ଲିଟର ପିଛା ବିକ୍ରି ହେଉଛି ।