ହାଇଦ୍ରାବାଦ: ଆଜିକାଲିର ମଣିଷଙ୍କ ପାଇଁ ମୋବାଇଲ ଏକ ଅବିଚ୍ଛେଦ ଅଂଶ ପାଲଟି ଯାଇଛି । ମୋବାଇଲ ଫୋନକୁ ଘଡ଼ିଏ ଛାଡି ରହିପାରୁନାହାନ୍ତି ଲୋକେ । କାହା ପାଇଁ ଏହା ମନୋରଞ୍ଜନର ମାଧ୍ୟମ ତ ଆଉ କାହା ପାଇଁ ଯୋଗାଯୋଗର ମାଧ୍ୟ ପାଲଟିଛି । ଏହା ମାଧ୍ୟମରେ ଘରେ ଥାଇ ଦେଶ ବିଦେଶର ଲୋକଙ୍କ ସହ ଯୋଡି ହୋଇପାରୁଛେ । ଧିରେ ଧିରେ ମୋବାଇଲର ଚାହିଦା ବଢ଼ିବା ସାଙ୍ଗକୁ ମୋବାଇଲ ଫୋନ ଚୋରିହେବା ଘଟଣା ମଧ୍ୟ ବଢି ବଢି ଚାଲିଛି । ଯଦି ଆମର ମୋବାଇଲ ହଜିଯାଏ, ଏମିତି ଲାଗେ ଯେ, କେହି ନିଜ ଲୋକ ଆମଠାରୁ ଦୂରେଇ ଯାଇଛି । ଲୋକେ ମୋବାଇଲରେ ନିଜର ଅନେକ ବ୍ୟକ୍ତିଗତ ତଥ୍ୟ ରଖିଥାନ୍ତି । ଯଦି କେବେ ଆମର ମୋବାଇଲ୍ ଚୋରି ହୋଇଯାଏ କିମ୍ବା ଯଦି ଆମେ ଭୁଲରେ ଏହାକୁ ହଜେଇ ଦେଇଥାଉ ତେବେ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏବେ ଏହି ସମସ୍ୟାକୁ ଦୂର କରିବା ପାଇଁ 'ସଞ୍ଚାର ସାଥି' ଏକ ସହଜ ସମାଧାନ ପାଲଟିଛି ।
'ସଞ୍ଚାର ସାଥି' କଣ?
ସାଧାରଣ ଲୋକମାନଙ୍କୁ ଅନଲାଇନ ଠକାମୀରୁ ରକ୍ଷା କରିବା ପାଇଁ ସଞ୍ଚାର ସାଥି ସହଯୋଗ କରିଥାଏ । ଏହାର ବିଭିନ୍ନ ମଡ୍ୟୁଲ୍ ଅଛି ଯେପରିକି ସିଆଇଆର୍, ଚକ୍ଷୁ, ଟାଫକୋପ୍ (TAFCOP), KYM, RICWIN ଇତ୍ୟାଦି ।
ସିଆଇଆର: ଯଦି ଆପଣଙ୍କର ଫୋନ୍ ହଜିଯାଇଛି କିମ୍ବା ଚୋରି ହୋଇଛି ତେବେ ସେଣ୍ଟ୍ରାଲ ଇକ୍ୟୁପମେଣ୍ଟ ଆଇଡିଣ୍ଟିଟି ରେଜିଷ୍ଟର (CEIR) ମାଧ୍ୟମରେ ମୋବାଇଲକୁ ସଙ୍ଗେସଙ୍ଗେ ବ୍ଲକ କିମ୍ବା ଅଚଳ କରିପାରିବା । କେବଳ ଏହା ନୁହେଁ, ଯଦି ମୋବାଇଲକୁ ଆମେ ପୁଣିଥରେ ଫେରିପାଉ ତେବେ ଏହାକୁ ଅନ୍ଲକ କରି ପୁଣିଥରେ ବ୍ୟବହାର କରିପାରିବା । ଏଥିପାଇଁ ମୋବାଇଲ ହରାଇଥିବା ବ୍ୟକ୍ତି IMEI ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଦେଇ ସଞ୍ଚାର ସାଥୀ ପୋର୍ଟାଲରେ ଅଭିଯୋଗ କରିପାରିବେ । ବର୍ତ୍ତମାନ ସୁଦ୍ଧା ଭାରତରେ ପ୍ରାୟ 15,43,666 ଜଣ ବ୍ୟକ୍ତି ଏହା ମାଧ୍ୟମରେ ସେମାନଙ୍କ ଫୋନକୁ ବ୍ଲକ କରିଛନ୍ତି । ଏହା ମଧ୍ୟରୁ 8,47,140 ଜଣ ସେମାନଙ୍କ ଫୋନକୁ ଫେରି ପାଇଛନ୍ତି ।
ବର୍ତ୍ତମାନ ସମୟରେ ସାଇବର ଅପରାଧ ଦ୍ରୁତ ବେଗରେ ବଢ଼ିବା ସହ ଏହା ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଲିଙ୍କ୍ ମାଧ୍ୟମରେ ମାଲୱେର୍ ପଠାଇବା, ବ୍ୟାଙ୍କ ଅଧିକାରୀଙ୍କ ନାମରେ ଫେକ ଫୋନ୍ କଲ କରିବା, OTP ଜାଣିବା ଦ୍ବାରା ସାଇବର ଅପରାଧିମାନେ ବ୍ୟକ୍ତିଗତ ତଥ୍ୟ ଚୋରି କରି ଅନେକ ଅପରାଧ କରୁଛନ୍ତି । ବଢ଼ୁଥିବା ଏହି ସାଇବର ଅପରାଧକୁ ଦମନ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏନେଇ ଟେଲି ଯୋଗାଯୋଗ ବିଭାଗ ଅଧୀନରେ ଥିବା 'ସଞ୍ଚାର ସାଥି' ନାମକ ଏକ ପୋର୍ଟାଲ ଉପଲବ୍ଧ କରାଯାଇଛି । ଯେକୌଣସି ବ୍ୟକ୍ତି ଚାହିଁଲେ https://sancharsaathi.gov.in କୁ ଯାଇ ସେଲ ଫୋନ ଓ ସିମ୍ କାର୍ଡ ବିଷୟରେ ସୂଚନା ପାଇପାରିବେ । ତେବେ ସାଇବର ଅପରାଧୀଙ୍କ ଜାଲରୁ ବଞ୍ଚିବା ପାଇଁ କେଉଁ ସବୁ ଆବଶ୍ୟକୀୟ ପଦକ୍ଷପ ରହିଛି ଜାଣନ୍ତୁ ।
ଚକ୍ଷୁ: ଯଦି ଆପଣମାନଙ୍କୁ ଲାଗେ କି, ସାଇବର ଅପରାଧୀମାନେ ଫେକ କଲ୍, ଏସଏମଏସ କିମ୍ବା ହ୍ବାଟସପ ମାଧ୍ୟମରେ ଆପଣଙ୍କ ଠାରୁ ଠକେଇ କରିବାକୁ ଚେଷ୍ଟା କରୁଛନ୍ତି ତେବେ ତୁରନ୍ତ ଚକ୍ଷୁ ପୋର୍ଟାଲରେ ଅଭିଯୋଗ କରିପାରିବେ । ଏହି ପୋର୍ଟାଲ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ, ପେମେଣ୍ଟ ୱାଲେଟ, ସିମ୍, ଗ୍ୟାସ୍ ସଂଯୋଗ, ବିଦ୍ୟୁତ୍ ସଂଯୋଗ, KYC ଅପଡେଟ୍, ଡିଆକ୍ଟିଭେସନ, ଏକ୍ସପାରି କିମ୍ବା ସରକାରୀ କର୍ମଚାରୀଙ୍କ ନାଁରେ ଠକେଇ ସମ୍ବନ୍ଧୀୟ ବିଷୟରେ ଅଭିଯୋଗ କରିପାରିବେ ।
KYM:
ବେଳେବେଳେ ସାଧାରଣ ଲୋକମାନେ ସେକେଣ୍ଡ ହ୍ୟାଣ୍ଡ (ପୂର୍ବରୁ ବ୍ୟବହାର କରାଯାଇଥିବା) ମୋବାଇଲକୁ କମ୍ ଟଙ୍କାରେ କିଣି ଦେଇଥାନ୍ତି । ଏଭଳି ସମୟରେ 'ନୋ ୟୋର ମୋବାଇଲ' ଫିଚର ମାଧ୍ୟମରେ ମୋବାଇଲର ପୁରୁଣା ତଥ୍ୟ ବିଷୟରେ ଜାଣିପାରିବେ । ଯେକୌଣସି ମୋବାଇଲର ବୈଧତା ଏହାର IMEI ନମ୍ବର ଦ୍ୱାରା ଜାଣିପାରିବେ । ମୋବାଇଲରେ *#06# ଡାଏଲ କରି IMEI ନମ୍ବର ଜାଣିହେବ । ଯଦି ଆପଣ ଜାଣିବାକୁ ପାଆନ୍ତି ଯେ, ସେହି ଫୋନ ବ୍ଲାକଲିଷ୍ଟେଡ୍, ନକଲି ଓ ପୂର୍ବରୁ ବ୍ୟବହାର ହୋଇଛି ତେବେ ସେହି ଫୋନକୁ କିଣନ୍ତୁନାହିଁ ।