ETV Bharat / international

ଓ୍ବେଷ୍ଟବ୍ୟାଙ୍କର ଶରଣାର୍ଥୀ ଶିବିରରେ ଇସ୍ରାଏଲ ଆକ୍ରମଣ, 14 ପାଲେଷ୍ଟାନୀୟ ମୃତ - Israeli strike in in gaza

author img

By ETV Bharat Odisha Team

Published : Apr 21, 2024, 11:22 AM IST

ଗାଜାରେ ଇସ୍ରାଏଲର ଆକ୍ରମଣ, 14 ପାଲେଷ୍ଟାନୀୟ ମୃତ
ଗାଜାରେ ଇସ୍ରାଏଲର ଆକ୍ରମଣ, 14 ପାଲେଷ୍ଟାନୀୟ ମୃତ

14 Palestinians killed in Israeli strike: ଓ୍ବେଷ୍ଟବ୍ୟାଙ୍କର ଶରଣାର୍ଥୀ ଶିବିରରେ ଇସ୍ରାଏଲର ଆକ୍ରମଣରେ 14 ନାଗରିକଙ୍କ ମୃତ୍ୟୁ । ଜନବସତିକୁ ଟାର୍ଗେଟ କରାଯାଉଥିବା ପାଲେଷ୍ଟାଇନର ଅଭିଯୋଗ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କିଛି ଦିନର ବ୍ୟବଧାନ ମଧ୍ୟରେ ପୁଣିଥରେ ପାଲେଷ୍ଟାଇନ ଅଧିକୃତ ଅଞ୍ଚଳରେ ସାମରିକ ଅପରେସନକୁ ଜୋରଦାର କରିଛି ଇସ୍ରାଏଲ ସେନା (ଆଇଡିଏଫ) । ଗାଜାରେ ପ୍ରଚଣ୍ଡ ଆକ୍ରମଣ ପରେ ଏବେ ପାଲେଷ୍ଟାଇନ ଅଧିକୃତ ଓ୍ବେଷ୍ଟବ୍ୟାଙ୍କରେ ମଧ୍ୟ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଗତକାଲି (ଶନିବାର) ଓ୍ବେଷ୍ଟବ୍ୟାଙ୍କର ଏକ ଶରଣାର୍ଥୀ କ୍ୟାମ୍ପରେ ଇସ୍ରାଏଲ ଫୋର୍ସ ଆକ୍ରମଣ କରିବା ଫଳରେ 14ଜଣ ଶରଣାର୍ଥୀଙ୍କର ମୃତ୍ୟୁ ହୋଇଛି । ଏକାଧିକ ଆହତ ହୋଇଥିବା ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥବା ବୁଲେଟିନରେ କୁହାଯାଇଛି, ଗତକାଲି ଇସ୍ରାଏଲ ସେନା ଓ୍ବେଷ୍ଟବ୍ୟାଙ୍କର ତୁଲକାରମ ସହରର ଉତ୍ତରରେ ଥିବା ଏକ ଶରଣାର୍ଥୀ ଶିବିରରେ ଅତର୍କିତ ଆକ୍ରମଣ କରିଛି । ଏହି ଏରିଆରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗତ ତିନିଦିନ ଧରି କ୍ରମାଗତ ଆକ୍ରମଣ ଜାରି ରଖିଛି । ଗତକାଲି ହୋଇଥିବା ଆକ୍ରମଣରେ ପ୍ରାୟ 14ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର ଅପରେସନ କରାଯାଇଥିଲା । ସମସ୍ତ ମୃତଦେହକୁ ଶିବିରରୁ ନିଆଯାଇ ହସ୍ପିଟାଲରେ ରଖାଯାଇଛି । ଏହି ଶିବିରରେ ଯୁଦ୍ଧ ପ୍ରଭାବିତମାନେ ଶରଣରେ ଥିଲେ ବୋଲି ପାଲେଷ୍ଟାଇନ କର୍ତ୍ତୃପକ୍ଷ କହିଛନ୍ତି ।

ଗତବର୍ଷ (2023) ଅକ୍ଟୋବର 7ତାରିଖରେ ‘ହମାସ’ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ ସେନା ସ୍ବତନ୍ତ୍ର ସାମରିକ ଅପରେସନ ଆରମ୍ଭ କରିଥିଲା । ଆତଙ୍କୀ ଗୋଷ୍ଠୀ ‘ହମାସ’ ନିୟନ୍ତ୍ରଣରେ ଥିବା ଗାଜା ପଟ୍ଟିରେ ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣ କରି ଏହାକୁ ଧ୍ବଂସସ୍ତୂପରେ ପରିଣତ କରିସାରିଛି । ଏବେ ଉତ୍ତର-ଗାଜା ପୂରା ନଷ୍ଟ ହୋଇସାରିଥିବା ବେଳେ ଦକ୍ଷିଣ ଗାଜା ଏବେ ଶରଣାର୍ଥୀ ଶିବିରରେ ପରିଣତ ହୋଇଛି । ହେଲେ ଜାତିସଂଘ ସମେତ ଏକାଧିକ ଦେଶର ଚେତାବନୀ ସତ୍ତ୍ବେ ମଧ୍ୟ ଇସ୍ରାଏଲ ସାମରିକ ଅପରେସନ ବନ୍ଦ କରିବ ନାହିଁ ବୋଲି ସ୍ପଷ୍ଟ କରିସାରିଛି । ପ୍ରଥମେ ଇସ୍ରାଏଲ ବାୟୁସେନାର ଏୟାରଷ୍ଟ୍ରାଇକ ଓ ପରେ ଗ୍ରାଉଣ୍ଡ ଅପରେସନରେ ଏକାଧିକ ପ୍ରମୁଖ ହମାସ କମାଣ୍ଡରଙ୍କୁ ନିପାତ କରିସାରିଲାଣି ଇସ୍ରାଏଲ ।

ଏହା ମଧ୍ୟ ପଢନ୍ତୁ :- ଡିଭାଇଡରରେ ପିଟି ହେଲା କାର: ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ମୃତ, ଭଉଣୀ ଗୁରୁତର - Car Accident

ଏହାରି ମଧ୍ୟରେ ଗତ ତିନି ଦିନ ମଧ୍ୟରେ ଇସ୍ରାଏଲ ସେନା ପାଲେଷ୍ଟାଇନ ଅଧିକୃତ ଓ୍ବେଷ୍ଟବ୍ୟାଙ୍କରେ ଏକାଧିକ ଥର ଆକ୍ରମଣ କରିସାରିଲାଣି । ଗତକାଲି ଆକ୍ରମଣରେ 14ଜଣ ସାଧାରଣ ଲୋକଙ୍କ ପ୍ରାଣହାନୀ ହୋଇଥିବା ଅଭିଯୋଗ ହୋଇଛି । ଇସ୍ରାଏଲ ପକ୍ଷରୁ ଶରଣାର୍ଥୀ ଶିବିରରେ ଆକ୍ରମଣ ନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.