ରୋଜଗାର ଦେଲା ଚାନ୍ଦୁଆ, ସ୍ବାବଲମ୍ବୀ ବାଲେଶ୍ବର ମହିଳା

By ETV Bharat Odisha Team

Published : Dec 11, 2023, 8:14 PM IST

thumbnail

ବାଲେଶ୍ବର: ମହିଳାମାନେ ଏବେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବା ସହ ନିଜେ ସ୍ବାବଲମ୍ବୀ ମଧ୍ୟ ହୋଇ ପାରୁଛନ୍ତି । ପୂଜା ପାର୍ବଣ ହେଉ କିମ୍ବା ମନ୍ଦିର, ଗୃହ ପ୍ରତିଷ୍ଠା ସବୁ ଶୁଭ କାର୍ଯ୍ୟରେ ଆବଶ୍ୟକ ପଡିଥାଏ ଚାନ୍ଦୁଆ । ଏହି ଚାନ୍ଦୁଆରେ ବିଭିନ୍ନ ଦେବା ଦେବୀଙ୍କ ଚିତ୍ର ଦେଖିଲେ ମନରେ ଆପଣା ଛାଏଁ ଭକ୍ତି ଭାବ ଜାଗ୍ରତ ହୋଇଥାଏ । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଶ୍ରୀରାମପୁର ଗ୍ରାମର ମହିଳା ମାନେ ଚାନ୍ଦୁଆ ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି । 

2009 ମସିହାରେ 36 ଜଣ ସଦସ୍ୟା ମିଶି ଶ୍ରୀ ରାମେଶ୍ବର ପ୍ରଡ୍ୟୁସର ଗ୍ରୁପ ତିଆରି କରିଥିଲେ । ଏହି ଗ୍ରୁପ କପଡାରୁ ବିଭିନ୍ନ ଡିଜାଇନର ହାତ ତିଆରି ଚାନ୍ଦୁଆ, ଝୁମର, ବେଡସିଟ,ଝାଲେରି,ଲେଟର ବକ୍ସ, ଗାନ୍ଧି ବ୍ୟାଗ, ଲାପଟପ ବ୍ୟାଗ, ସପିଙ୍ଗ୍ ବ୍ୟାଗ ପ୍ରଭୃତି 25 ପ୍ରକାରର ରଙ୍ଗ ବେରଙ୍ଗର ଆକର୍ଷଣୀୟ ଜିନିଷ ତିଆରି କରୁଛନ୍ତି । ଏହି ସବୁ ସାମଗ୍ରୀକୁ ପଶ୍ଚିମବଙ୍ଗର ଦୀଘା ସମେତ, ଦିଲ୍ଲୀ, ବେଙ୍ଗାଲୁରୁ, ଅହମଦାବାଦ ସମେତ ପୁରୀର ପିପିଲି, ଭୁବନେଶ୍ବରର ଉତ୍କଳିକା ଇତ୍ୟାଦି ସ୍ଥାନକୁ ବିକ୍ରି ପାଇଁ ପଠାଉଛନ୍ତି । ଏହା ବ୍ୟତୀତ ସ୍ଥାନୀୟ ମାର୍କେଟ ସମେତ ମିଶନ ଶକ୍ତି ବଜାର, ବିଭିନ୍ନ ମେଳା ମହୋତ୍ସବ ଗୁଡିକରେ ମଧ୍ୟ ଷ୍ଟଲ ଲଗାଇ ବିକ୍ରି କରୁଛନ୍ତି  । 

ଏହା ମଧ୍ୟ ପଢନ୍ତୁ ... ଆଉ ପାଦେ ଆଗେଇଲା ମିଶନ ଶକ୍ତି, ଯାଜପୁରରେ ଖୋଲିଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ

ବିଭିନ୍ନ ଯାତ୍ରା ପାର୍ଟି ,ମନ୍ଦିର ଏବଂ ଘରୋଇ ଅନୁଷ୍ଠାନ ମାନଙ୍କରୁ ଅର୍ଡର ଆଣି ଚାନ୍ଦୁଆ ତିଆରି କରି ମହିଳା ମାନେ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ମହିଳା ମାନେ ଗ୍ରୁପ ଗଠନ କରି ପ୍ରତ୍ୟେକ ସଦସ୍ୟା ମାସକୁ ପ୍ରଥମେ 200 ଟଙ୍କା ଲେଖାଏଁ ଜମା କରି କାମ ଆରମ୍ଭ କରିଥିଲେ । ପରେ ଡିଆଇସିରୁ ଋଣ ଆଣି ଏହି ସବୁ ସାମଗ୍ରୀ ତିଆରି କରୁଛନ୍ତି । ଏହା ସହ ମିଶନ ଶକ୍ତି ଏବଂ ଓଡିଶା ଶିଳ୍ପୀ ମହାସଂଘ ମଧ୍ୟ ସହାୟତା ଯୋଗାଇ ଦେଉଛନ୍ତି । ମହିଳାମାନେ ଏହା ଦ୍ବାରା ମାସକୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଛନ୍ତି । ଘରର ସମସ୍ତ କାମ ସାରିବା ପରେ ଅବସର ସମୟରେ ଏହି କାମ କରି ଯେତିକି ଟଙ୍କା ରୋଜଗାର କରୁଛନ୍ତି ସେଥିରେ ପିଲା ମାନଙ୍କ ପାଠପଢା ସହିତ ନିଜ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି ଏହି ମହିଳାମାନେ । ତେବେ ନିଜର କଳା ବିକଶିତ କରିବା ସାଙ୍ଗକୁ ରୋଜଗାର ମାଧ୍ୟମ ପାଇଥିବା ଏହି ମହିଳାମାନେ ବେଶ ଖୁସି ଅଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.