ମିଗଜୋମ୍ ପ୍ରଭାବରେ ଧାନମଣ୍ଡି ବନ୍ଦ, ଚାଷୀ ହନ୍ତସନ୍ତ

By ETV Bharat Odisha Team

Published : Dec 7, 2023, 10:36 PM IST

thumbnail

ନୂଆପଡା: ବାତ୍ୟା ମିଗଜୋମ୍ ପ୍ରଭାବରେ ଜିଲ୍ଲାର ବିଭିନ୍ନ ଧାନମଣ୍ଡି ବନ୍ଦ ହୋଇପଡିଛି । ଧାନମଣ୍ଡିରେ ଚାଷୀ ରାତ୍ରି ଯାପନ କରି ହନ୍ତସନ୍ତ । ଉପାର୍ଜିତ ଶସ୍ୟ ଧାନ ବିକ୍ରିନେଇ ଆଶା ଆଶଙ୍କାରେ ଚାଷୀ । ବାତ୍ୟା ମିଗଜୋମ୍ ପ୍ରଭାବରେ ଖଡ଼ିଆଳ, ବୋଡେ଼ନ, ସିନାପାଲି, କୋମନା, ନୂଆପଡା ଆଦି ବ୍ଲକ ଅଞ୍ଚଳରେ ମେଘୁଆ ପାଗ ସହିତ ଝିପିଝିପି ବର୍ଷା ଲାଗି ରହିଛି । ଫଳରେ ଜିଲ୍ଲାର ସମସ୍ତ ଧାନମଣ୍ଡି କିଛିଦିନ ପାଇଁ ବନ୍ଦ ରହିଥିବା ଦେଖାଦେଇଛି । ଟୋକାନ ପାଇ ଧାନମଣ୍ଡି ଗୁଡିକରେ ଚାଷୀ ଧାନ ପକାଇ ବିକ୍ରି ପାଇଁ ମିଲର୍ସଙ୍କ ଆସିବା ବାଟକୁ ଚାତକ ପକ୍ଷୀ ପରିଚାହିଁ ବସିଛନ୍ତି । ହେଲେ ବର୍ଷା ପାଗ ପାଇଁ ମିଲର୍ସଙ୍କ ଦେଖାନାହିଁ । 

ଜିଲ୍ଲାର ସମୁଦାୟ 76 ଗୋଟି ଧାନମଣ୍ଡିରୁ ଅଧିକାଂଶ ଧାନ ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଛି । ଫଳରେ ଚାଷୀ ନିଜ ଧାନର ସୁରକ୍ଷା ପାଇଁ ଶୀତ କାକରରେ ରାତ୍ରି ଯାପନ କରି ଧାନ ବସ୍ତାକୁ ଜଗି ବସିଛି । ଅନ୍ୟପଟେ ବର୍ଷା ହେବା କାରଣରୁ କିଛି ଧାନମଣ୍ଡିକୁ ଭାରିଯାନ ଯାତାୟତ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି । କାଳେ ଧାନ ବୋଝେଇ ଟ୍ରକ ଫସିଯିବା ଭୟରେ ମିଲର ଟ୍ରକ ପଠାଉ ନାହାନ୍ତି । ଏଭଳି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଛି ଚାଷୀ । ଏପଟେ ଚାଷୀଙ୍କ ଟୋକାନ ଅବଧି ବଢି ବଢି ଯାଉଥିବା ବେଳେ, ମିଲର୍ଷ କେବେ ଧାନ ଉଠାଇବ ଚିନ୍ତାରେ ଚାଷୀ । ଜିଲ୍ଲା ପ୍ରଶାସନ ତୁରନ୍ତ ତତ୍ପରତା ପ୍ରକାଶ କରି ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.