ଝାରସୁଗୁଡ଼ାରେ ଦୂର୍ଗା ପୂଜା ପ୍ରସ୍ତୁତି; ପୂଜା କମିଟି ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବସିଲା ବୈଠକ

By ETV Bharat Odisha Team

Published : Oct 10, 2023, 7:32 AM IST

thumbnail

ଝାରସୁଗୁଡା: ଆଗକୁ ଆସୁଛି ଦୁର୍ଗା ପୂଜା । ଏନେଇ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଓ ପୂଜା କମିଟିଙ୍କ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା DMF କକ୍ଷରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ବସିଛି । ଏଥିରେ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନୀଲ ନାରଭାଣେ, ଏସପି ସ୍ମିତ ପରମାର ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଝାରସୁଗୁଡା, ବ୍ରଜରାଜନଗର ଏବଂ ବେଲପାହାଡ଼ ଅଞ୍ଚଳର ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । 

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ଗାପୂଜା ଭସାଣି ଉପରେ ପ୍ରଶାସନର ରୋକ: ଅନୁମତି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ପୂଜା କମିଟି

ଝାରସୁଗୁଡା ଜିଲ୍ଲାରେ ବେଶ ଧୁମଧାମରେ ଦୁର୍ଗାପୂଜା ପାଳନ କରାଯାଇଥାଏ । ଜିଲ୍ଲା ବାହାରୁ ତଥା ପଡୋଶୀ ରାଜ୍ୟ ଛତିଶଗଡ଼ରୁ ମଧ୍ୟ ଲୋକମାନେ ଆସି ପୂଜା ଦେଖିଥାନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ଦୂର୍ଗାପୂଜା ସମୟରେ ବିଦ୍ୟୁତ କାଟ ଏକ ମୁଖ୍ୟ ସମସ୍ୟା ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସନ୍ଧ୍ୟା ୫ଟାରୁ ରାତି ୧୧ଟା ଯାଏଁ ବିଦ୍ୟୁତ କାଟ ନହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାତି ସମୟ ଶିଶୁ, ମହିଳା ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । 

ଅସାମାଜିକ ବ୍ୟକ୍ତିମାନଙ୍କୁ ପୋଲିସ ବିଭାଗ ମନିଟରିଂ କରୁଥିବା ବେଳେ ବେଆଇନ ମଦ କାରବାର ରୋକିବା ପାଇଁ ସ୍ବତନ୍ତ୍ର ଟିମ୍ ନିରୀକ୍ଷଣ କରିବା ପାଇଁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଝାରସୁଗୁଡ଼ାର ମୁଖ୍ୟ ଟାଉନ, ବ୍ରଜରାଜନଗରର ମୁଖ୍ୟ ଟାଉନ ଏବଂ ବେଲପାହାଡ଼ର ମୁଖ୍ୟ ଟାଉନରେ ଭିଡ଼ ପରିଲକ୍ଷିତ ହୋଇଥାଏ । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ ବୋଲି କହିଛନ୍ତି ଝାରସୁଗୁଡ଼ା ଏସପି । ଏହା ସହିତ ଅଗ୍ନିଶମ ବିଭାଗ ପକ୍ଷରୁ ପୂଜା ମଣ୍ଡପମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ାକଡ଼ି ନଜର ରଖିବା ସହ ଯେଉଁ କମିଟି ଏଥିରେ ବ୍ୟତିକ୍ରମ କରିବ ତା' ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଦୁର୍ଗାପୂଜା କିଭଳି ଶାନ୍ତି ଶୃଙ୍ଖଳାରେ ସମାପ୍ତ ହେବ ଓ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯିବ ବୋଲି ଝାରସୁଗୁଡ଼ା ଏସପି ସ୍ମିତ ପରମାର ସୂଚନା ଦେଇଛନ୍ତି ।


ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.