ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ଶନି ମନ୍ଦିରରେ ପୂଜା କରିଥିଲି: ମନ୍ତ୍ରୀ ନବ ଦାସ

By

Published : Jan 23, 2023, 4:47 PM IST

Updated : Feb 3, 2023, 8:39 PM IST

thumbnail

ସମ୍ବଲପୁର: ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲା ଶନି ସିଙ୍ଗନାପୁରର ଏକ ଶନି ମନ୍ଦିରରେ ୧କୋଟି ମୂଲ୍ୟର ସୁନା କଳସ ଦାନକୁ ନେଇ ପ୍ରତିକ୍ରିୟା ରଖିଲେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।  ଆଜି ସମ୍ବଲପୁର ଖିଣ୍ଡା ଗ୍ରାମକୁ ଆସିଥିବା ସମୟରେ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି ତଥା ସେମାନଙ୍କ ସେବା ପାଇଁ ନିଜକୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରିବାକୁ ଶନିଦେବଙ୍କୁ ସେ ପ୍ରାର୍ଥନା କରିଥିବା କହିଛନ୍ତି ।  

ଶନିବାର ତ୍ରିବେଣୀ ଅମାବାସ୍ୟା ଅବସରରେ ଦେଶର ପ୍ରମୁଖ ଶନିପୀଠ ମହାରାଷ୍ଟ୍ରର ଶନି ସିଙ୍ଗନାପୁରର ଶନି ପୀଠରେ ସେ ପ୍ରାର୍ଥନା କରିବାକୁ ଯାଇଥିଲେ । ସେଠାରେ ସେ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ଶନିଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ । ତେବେ ଏହି ପୀଠରେ ବଡ଼ ବଡ଼ ନେତା ମନ୍ତ୍ରୀ ଶନିବାର ଦିନ ଦାନ ଦକ୍ଷିଣା କରୁଥିବା ବେଳେ ସେ ମଧ୍ୟ ୧୦ ଲକ୍ଷ ଟଙ୍କା ଦାନ କରିଥିବା ସୂଚନା ଦେଇଛନ୍ତି । ଆଜି ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ସମ୍ବଲପୁର ରେଙ୍ଗାଲି ବ୍ଳକ ଖିଣ୍ଡାକୁ ଆସିଥିବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ ଏହି ପ୍ରତିକ୍ରିୟା ରଖିଛନ୍ତି ନବ ।

ଏହା ବି ପଢନ୍ତୁ- ମହାରାଷ୍ଟ୍ରରେ ଶନିଦେବଙ୍କୁ କୋଟିଏ ଟଙ୍କାର ସୁନାକଳସ ଦାନ କଲେ ମନ୍ତ୍ରୀ ନବ ଦାସ !

ମନ୍ତ୍ରୀ ନବ ଦାସ ମନ୍ଦିରରେ ସୁନା କଳସ ଦାନ କରିବା ପରେ ନିଜ ନାମ ଗୋପନ ରଖିବାକୁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ । ମାତ୍ର ତାଙ୍କ ଫଟୋ ଓ ଭିଡିଓ ସାମନାକୁ ଆସିବା ପରେ ତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ଏହି କଳସ ତିଆରିରେ ୭୦୦ ଗ୍ରାମ ସୁନା ଓ ୫କେଜି ରୂପା ବ୍ୟବହୃତ ହୋଇଛି । ନବ ଦାସଙ୍କ ଏହି ଦାନ ଆଜି ପର୍ଯ୍ୟନ୍ତ ମନ୍ଦିରକୁ ମିଳିଥିବା ସବୁଠୁ ବଡ଼ ଦାନ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଛି ।  

ସୂଚନା ଥାଉ କି ଗତ ଶନିବାର ଶନି ଅମାବାସ୍ୟା ଥିଲା । ଏହି ଦିନଟି ଶନିଦେବଙ୍କ ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ବଡ ପର୍ବ । ପ୍ରାୟ ୨୦ ବର୍ଷ ପରେ ପୌଷ ମାସ ଶନିବାରରେ ଏହି ପୌଷ ଶନି ଅମାବାସ୍ୟା ପଡିଥିଲା । ଏପରି ଏକ ଦୁର୍ଲ୍ଲଭ ଦିନରେ ପ୍ରଭୁ ଶନିଙ୍କ ଦର୍ଶନ ପାଇଁ ମହାରାଷ୍ଟ୍ରର ପ୍ରମୁଖ ଶନି ପୀଠ ଶିଙ୍ଗଣାପୁରରେ ଜମିଥିଲା ପ୍ରବଳ ଭିଡ଼ । ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ରବିବାର ସକାଳ ପର୍ଯ୍ୟନ୍ତ ମନ୍ଦିରରେ ପ୍ରବଳ ଜନସାମାଗମ ହୋଇଥିଲା । ଏହି ଅବସରରେ ମନ୍ତ୍ରୀ ନବ ଦାସଙ୍କ ପରିବାର ମଧ୍ୟ ଭଗବାନଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ଏବଂ ଶନିଦେବଙ୍କୁ ୧ କୋଟି ଟଙ୍କାର ସୁବର୍ଣ୍ଣ କଳସ ଅର୍ପଣ କରିଥିଲେ । ଏହାସହିତ ସେ ନିଜର ନାମ ଗୋପନ ରଖିବାକୁ ଶନି ଶିଙ୍ଗଣାପୁର ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ । ହେଲେ ଏବେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । 

ଇଟିଭି ଭାରତ, ସମ୍ବଲପୁର 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.