ମହାରାଷ୍ଟ୍ରରେ ଶନିଦେବଙ୍କୁ କୋଟିଏ ଟଙ୍କାର ସୁନାକଳସ ଦାନ କଲେ ମନ୍ତ୍ରୀ ନବ ଦାସ !

author img

By

Published : Jan 22, 2023, 1:30 PM IST

Updated : Jan 22, 2023, 2:44 PM IST

ଶନିଦେବଙ୍କୁ କୋଟିଏ ଟଙ୍କାର ସୁନା କଳସ ଦାନ କଲେ ଓଡିଆ ଭକ୍ତ

ମହାରାଷ୍ଟ୍ର ଶନି ମନ୍ଦିରରେ କୋଟିଏ ଟଙ୍କାର ସୁନା କଳସ ଦାନ କଲେ ଓଡିଆ ଭକ୍ତ । ଭକ୍ତ ଜଣକ ନିଜର ନାମ ଗୋପନ ରଖିବାକୁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିବାରୁ ତାଙ୍କ ନାମ ସାର୍ବଜନୀନ କରାଯାଇ ନାହିଁ । ଅଧିକ ପଢନ୍ତୁ

ଶନିଦେବଙ୍କୁ କୋଟିଏ ଟଙ୍କାର ସୁନା କଳସ ଦାନ କଲେ ଓଡିଆ ଭକ୍ତ

ମୁମ୍ବାଇ: ମହାରାଷ୍ଟ୍ରର ଏକ ମନ୍ଦିରରେ ଜଣେ ଓଡିଆ ଭକ୍ତ ସୁନା କଳସ ଦାନ କରିଛନ୍ତି । ଏହି କଳସର ମୂଲ୍ୟ ରହିଛି ପ୍ରାୟ ଏକ କୋଟି ଟଙ୍କା । ଅହମ୍ମଦନଗର ଜିଲ୍ଲା ଅନ୍ତର୍ଗତ ଶନି ଶିଙ୍ଗଣାପୁରରେ ଥିବା ଭଗବାନ ଶନିଙ୍କ ପୀଠରେ ଭକ୍ତ ଜଣକ ଏହି ବହୂମୂଲ୍ୟ କଳସକୁ ଦାନ କରିଛନ୍ତି । ଏହି କଳସ ତିଆରିରେ ୭୦୦ ଗ୍ରାମ ସୁନା ଓ ୫ କେଜି ରୂପା ବ୍ୟବହୃତ ହୋଇଛି । ଗତକାଲି(ଶନିବାର) ଶନି ଅମାବାସ୍ୟା ଅବସରରେ ସେହି ଭକ୍ତ ଶନିଦେବଙ୍କ ପାଦ ତଳେ ଏହାକୁ ଅର୍ପଣ କରିଛନ୍ତି । ଯାହାକି ଏଯାବତ୍ ଏହି ମନ୍ଦିରକୁ ମିଳିଥିବା ସବୁଠୁ ବଡ ଦାନ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ତେବେ ଏହି ସୁନା କଳସ ଦାନ କରିଥିବା ଭକ୍ତ ଜଣକ ନିଜ ନାମ ଗୋପନ ରଖିବାକୁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିବାରୁ ତାଙ୍କ ନାମ ସାର୍ବଜନୀନ କରାଯାଇ ନାହିଁ । ମାତ୍ର ସାମ୍ନାକୁ ଆସିଥିବା ମନ୍ଦିରର ଏକ ଫଟୋରେ ଓଡିଶାର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଦେଖାଯାଇଛି । ଫଟୋରେ ସ୍ବାସ୍ଥ୍ୟମନ୍ତ୍ରୀ ଶନିଦେବଙ୍କ ପାଦ ତଳେ କଳସ ଅର୍ପଣ କରୁଥିବାର ଦେଖିବାକୁ ମିଳିଛନ୍ତି । କିନ୍ତୁ ନବ ଦାସ ହିଁ ସେହି ଭକ୍ତ ବୋଲି କୌଣସି ସ୍ପଷ୍ଟ ସୂଚନା ନାହିଁ ।

ସୂଚନା ଅନୁଯାୟୀ, ଗତକାଲି ଶନି ଅମାବାସ୍ୟା ଥିଲା । ଶନିଦେବଙ୍କ ଶ୍ରଦ୍ଧାଳୁମାନଙ୍କ ପାଇଁ ଏହା ଏକ ବଡ ପର୍ବ । ପ୍ରାୟ ୨୦ ବର୍ଷ ପରେ ପୌଷ ମାସ ଶନିବାରରେ ଏହି ପୌଷ ଶନି ଅମାବାସ୍ୟା ପଡିଥିଲା । ଏହିପରି ଏକ ଦୁର୍ଲ୍ଲଭ ଦିନରେ ପ୍ରଭୁ ଶନିଙ୍କ ଦର୍ଶନ ପାଇଁ ମହାରାଷ୍ଟ୍ରର ପ୍ରମୁଖ ଶନି ପୀଠ ଶିଙ୍ଗଣାପୁରକୁ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ରବିବାର ସକାଳ ପର୍ଯ୍ୟନ୍ତ ମନ୍ଦିରରେ ପ୍ରବଳ ଜନସାମାଗମ ହୋଇଥିଲା । ଏହି ଅବସରରେ ଓଡିଶାର ଏକ ପରିବାର ମଧ୍ୟ ଭଗବାନଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ଏବଂ ଶନିଦେବଙ୍କୁ ଏକ କୋଟି ଟଙ୍କାର ସୁବର୍ଣ୍ଣ କଳସ ଅର୍ପଣ କରିଥିଲେ । ଏହାସହିତ ସେ ନିଜର ନାମ ଗୋପନ ରଖିବାକୁ ଶନି ଶିଙ୍ଗଣାପୁର ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିବା କୁହାଯାଇଛି ।

ଶିଙ୍ଗଣାପୁର ଦେବସ୍ଥାନର ସଭାପତି ଭଗୱତ ବଙ୍କର କହିଛନ୍ତି,''ସନ୍ଧ୍ୟା ଆଳତୀ ସମୟରେ ଶନିଦେବଙ୍କ ପ୍ରତିମୂର୍ତ୍ତି ନିକଟରେ ରୀତିନୀତି ଅନୁଯାୟୀ ସୁନା କଳସ ଅର୍ପଣ କରାଯାଇଛି । ଆନନ୍ଦ ଭଲଗତ ନାମକ ଜଣେ ସୁନା ବ୍ୟବସାୟୀ ଏହି କଳସ ପ୍ରସ୍ତୁତ କରିଛନ୍ତି । କଳସରେ ଶ୍ରୀ ଶନେଶ୍ବରାୟ ନମଃ ଉଲ୍ଲେଖ ରହିବା ସହ ଶନିଦେବଙ୍କ ମନ୍ତ୍ର ଖୋଦିତ ହୋଇଛି । ଏହି ସୁନା କଳସରେ ୯ ଲିଟର ପର୍ଯ୍ୟନ୍ତ ତେଲ ରହିପାରିବ । ତେବେ ଏହି କଳସ ଆଜି ପର୍ଯ୍ୟନ୍ତ ସବୁଠୁ ବଡ ଦାନ ବୋଲି ଚର୍ଚ୍ଚା ହେଉଛି ।

Last Updated :Jan 22, 2023, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.