କରୁଣାମୟୀ ମାଆ ତାରିଣୀ ,ଦର୍ଶନ କରନ୍ତୁ ଦିବ୍ୟ ଆଳତୀ

By

Published : Jan 31, 2023, 7:03 AM IST

Updated : Feb 3, 2023, 8:39 PM IST

thumbnail

କେନ୍ଦୁଝର: ଜୟ ମାଆ ତାରିଣୀ ଘଟଗାଁ ବାସିନୀ, ମାଆ ତାରିଣୀ ଦୁଃଖ ହାରିଣୀ । ସେ କରୁଣାମୟୀ ମାଆ ତାରିଣୀ । ଲୀଳାମୟୀ ମାଆ ତାରିଣୀଙ୍କ ଲୀଳା ବିଚିତ୍ର । ତାଙ୍କ ମହିମା ଅପାର । ମାଆଙ୍କୁ ଡାକିଲେ ସବୁ ଦୁଃଖ ଲାଘବ ହୋଇଯାଏ । ମାଆ ତାରିଣୀଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଛୁଟି ଆସିଥାଏ ଭକ୍ତ । ମାଆଙ୍କ ଆଳତୀ ଦର୍ଶନ କଲେ ସବୁ ପାପ କ୍ଷୟ ହୋଇଥାଏ । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ ।

ପ୍ରତିଦିନ ପ୍ରଭାତରୁ କେନ୍ଦୁଝର ଜିଲ୍ଲା ପ୍ରସିଦ୍ଧ ଘଟଗାଁ ପୀଠରେ ଅଧିଷ୍ଠାତ୍ରୀ ମାଆ ତାରିଣୀଙ୍କର ଦିବ୍ୟ ଆଳତୀ କରାଯାଏ । ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରନ୍ତି । ନାଲି ସିନ୍ଦୁର ଓ ମନ୍ଦାରରେ ଝଟକୁଛନ୍ତି ମାଆ । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି, ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଉଠୁଛି ପୁରା ପରିବେଶ । ଯାହା ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ସକାଳୁ ମାଆଙ୍କୁ ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ । ମାଆଙ୍କ ଅଶେଷ କୃପା ମିଳିଥାଏ ବୋଲି ବିଶ୍ବାସ ରହିଛି । କେନ୍ଦୁଝର ଜିଲ୍ଲା ଘଟଗାଁ ରାଣୀ ମାଆ ତାରିଣୀ । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ ।  

ପ୍ରବାଦରେ ଅଛି ଘଟଗାଁ ଠାରେ ଥିବା ମାଆ ତାରିଣୀ ମନ୍ଦିରକୁ 1480 ମସିହାରେ ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରିଥିଲେ । ପୁରୀର ତତ୍କାଳୀନ ଗଜପତି ମହାରାଜା ଆଦେଶକ୍ରମେ ମାଆ ତାରିଣୀ ନୂଆ ମନ୍ଦିର ଘଟଗାଁ ଠାରେ ଶକ୍ତିପୀଠ ଭାବେ ସ୍ଥାପିତ ହୋଇପାରିଥିଲା । କୁହାଯାଏ ମାଆଙ୍କଠାରେ ଯାହା ମାନସିକ କଲେ ତାହା ନିଶ୍ଚୟ ପୂରଣ ହୁଏ । ସେଥିପାଇଁ ପ୍ରତିଦିନ ହଜାରହଜାର ଭକ୍ତ ମାଆଙ୍କ ପାଖକୁ ଛୁଟି ଆସନ୍ତି ।

ମାଆ ତାରିଣୀ ହେଉଛନ୍ତି ଚତୁର୍ଭୂଜା । ତାଙ୍କ ଚାରି ହାତରୁ ବାମପାଖ ଉପର ହସ୍ତରେ ସେ ଚକ୍ର ଧାରଣ କରିଛନ୍ତି । ବାମ ପାଖ ତଳ ହସ୍ତରେ ମାଆ ତ୍ରିଶୁଳ ଧାରଣ କରିଛନ୍ତି । ସେହିପରି ଦକ୍ଷିଣ ପାଖ ଉପର ହସ୍ତରେ ସେ ଖଡ୍‌ଗ ଧାରଣ କରିଥିବାବେଳେ ତଳ ହସ୍ତଟି ତାଙ୍କର ଶୂନ୍ୟ ଥାଏ । ଏହି ହାତରେ ମାଆ ତାରିଣୀ ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି । କିନ୍ତୁ ତାଙ୍କର ପ୍ରତ୍ୟେକ ମୂର୍ତ୍ତି ବା ଚିତ୍ରରେ ଏହିସବୁ ଅସ୍ତ୍ର ନଥାଏ ।

ଇଟିଭି ଭାରତ, କେନ୍ଦୁଝର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.