ETV Bharat / sukhibhava

Reduce Cancer Risk Tips: ଦୈନିକ ବ୍ୟାୟାମ କର୍କଟ ରୋଗର ଆଶଙ୍କାକୁ 32% କମ କରେ

author img

By

Published : Jul 29, 2023, 1:25 PM IST

Reduce Cancer Risk Tips
Reduce Cancer Risk Tips

ଦେଶ ତଥା ବିଦେଶରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ବୈଜ୍ଞାନିକମାନେ ଏକ ଖୁଲାସା କରିଛନ୍ତି ଯେ, ଦୈନିକ 5 ମିନିଟ ବ୍ୟାୟମ କରିବା ଦ୍ବାରା କର୍କଟ ରୋଗର ଆଶଙ୍କାକୁ 32 ପ୍ରତିଶତ କମ ହୋଇପାରେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କ୍ୟାନ୍ସର ରୋଗ । ପ୍ରତ୍ୟେକ ବର୍ଷ କ୍ୟାନ୍ସରରେ ଅନେକ ଲୋକଙ୍କ ପ୍ରାଣ ଯାଉଛି । କର୍କଟ ରୋଗରେ ମୃତ୍ୟୁରେ ଭାରତ 2ୟ ସ୍ଥାନରେ ରହିଛି । କ୍ୟାନ୍ସର ଏଭଳି ଏକ ରୋଗ ଯାହାକି ପ୍ରାରମ୍ଭିକ ପର୍ଯ୍ୟାୟରେ ଜାଣିହୁଏ ନାହିଁ । ରୋଗ ଚିହ୍ନଟ ହେବା ବେଳକୁ ବିଳମ୍ବ ହେବା କାରଣରୁ ଅନେକଙ୍କ ମୃତ୍ୟୁ ହେଉଛି । ତେବେ ଏହାର ପ୍ରତିରୋଧ ନିମନ୍ତେ ଅନେକ ପ୍ରକାର ବ୍ୟାୟାମ କରିବା ପାଇଁ ଡାକ୍ତର ପରାମର୍ଶ ଦେଉଥିବା ବେଳେ ଏହାକୁ ନେଇ କରାଯାଇଥିବା ଥିବା ଅନୁସନ୍ଧାନର ରିପୋର୍ଟ ପ୍ରକାଶ ପାଇଛି ।

ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଦୈନିକ ମୋଟ 4ରୁ5 ମିନିଟ୍ ଶାରୀରିକ କାର୍ଯ୍ୟକଳାପ କରିବା ଦ୍ବାରା କର୍କଟ ରୋଗ ହେବାର ଆଶଙ୍କା 32 ପ୍ରତିଶତ ହ୍ରାସ ହୋଇପାରେ । ସିଡନୀ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ନେତୃତ୍ୱରେ ହୋଇଥିବା ଏହି ଅଧ୍ୟୟନରୁ ଏହା ଖୁଲାସା କରାଯାଇଛି । ଗୃହ କାର୍ଯ୍ୟ, ଗ୍ରୋସରୀ ସପିଂ, ପିଲାମାନଙ୍କ ସହିତ ଚାଲିବା କିମ୍ବା ଖେଳିବା ଦ୍ବାରା ମଧ୍ୟ କର୍କଟ ରୋଗର ଆଶଙ୍କା କମ ହୋଇପାରେ ବୋଲି ପ୍ରକାଶିତ ହୋଇଛି । ଚାର୍ଲ୍ସ ପେର୍କିନ୍ସ କେନ୍ଦ୍ରର ମୁଖ୍ୟ ଲେଖକ ପ୍ରଫେସର ଇମାନୁଏଲ୍ ଷ୍ଟାମାଟାକିସ୍ କହିଛନ୍ତି ଯେ, ଶାରୀରିକ କାର୍ଯ୍ୟକଳାପ କ୍ୟାନ୍ସର ସହିତ ଅନେକ ରୋଗକୁ ମାତ ଦେଇପାରେ ।

ଜେଏମଏମ ଅଙ୍କୋଲୋଜିରେ ପ୍ରକାଶିତ ଏହି ଅଧ୍ୟୟନରେ, 22 ହଜାରରୁ ଅଧିକ ଲୋକଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା । 7 ବର୍ଷ ଧରି ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା । ଯକୃତ, ଫୁସଫୁସ, କିଡନୀ, ଗ୍ୟାଷ୍ଟ୍ରିକ୍ କାର୍ଡିଆ (ପେଟରେ ହେଉଥିବା ଏକ ପ୍ରକାର କ୍ୟାନ୍ସର), ଏଣ୍ଡୋମେଟ୍ରିଆଲ୍, ମାଇଲୋଏଡ୍ ଲ୍ୟୁକେମିଆ, ମାଇଲୋମା, କଲୋରେକ୍ଟାଲ୍, ମୁଣ୍ଡ ଏବଂ ବେକ, ବ୍ଲାଡର, ସ୍ତନ ଏବଂ ଏସୋଫେଜ୍ ଆଡେନୋକାର୍କିନୋମା ଉପରେ ନଜର ରଖାଯାଇଥିବା ନେଇ ଅଧ୍ୟୟନରେ କୁହାଯାଇଛି । ତେବେ ଅନୁସନ୍ଧାନରୁ ଜଣାପଡିଥିଲା ଯେ, ଦୈନିକ 4ରୁ 5 ମିନିଟ ପର୍ଯ୍ୟନ୍ତ ବ୍ୟାୟାମ କରିବା ଦ୍ବାରା କର୍କଟ ରୋଗ ହେବାର ଆଶଙ୍କା 18 ରୁ 32 ପ୍ରତିଶତକୁ ହ୍ରାସ ପାଇଥିବା ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ: Prostate Cancer: ପୁରୁଷମାନଙ୍କଠାରେ ବୃଦ୍ଧି ପାଉଛି ପ୍ରୋଷ୍ଟେଟ କ୍ୟାନ୍ସର, ଜାଣନ୍ତୁ ଲକ୍ଷଣ

ତେବେ ଏନେଇ ଗବେଷକମାନେ କହିଛନ୍ତି ଯେ, ଶାରୀରିକ କାର୍ଯ୍ୟାକଳାପ ଦ୍ବାରା କାର୍ଡିଓ ଶ୍ବସନ ପ୍ରକ୍ରିୟାରେ ଉନ୍ନତି ଆସିଥାଏ ଏବଂ କର୍କଟ ରୋଗ ହେବାର ଆଶଙ୍କା ହ୍ରାସ କରିପାରେ । ତେବେ କ୍ୟାନ୍ସର ସହିତ ଅନେକ ରୋଗର ଆଶଙ୍କାକୁ ମଧ୍ୟ କମ କରିଥାଏ । ରକ୍ତ ସଞ୍ଚାଳନକୁ ଠିକ ରଖିବା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଅନ୍ୟପଟେ ପ୍ରଫେସର ଷ୍ଟାମାଟାକିସଙ୍କ କହିବା ଅନୁସାରେ, ଏନେଇ ପ୍ରକାଶିତ ହୋଇଥିବା ତଥ୍ୟର ଆହୁରି ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । କିନ୍ତୁ ବ୍ୟାୟାମ କରିବା ଦ୍ବାରା ଶରୀରକୁ ଅନେକ ଉପକାର ମିଳିଥାଏ ଏବଂ କ୍ୟାନ୍ସର ହେବାର ଆଶଙ୍କାକୁ କମ କରିଥାଏ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.