ETV Bharat / sukhibhava

5ମୁଣ୍ଡ ନେଲା ନୂଆ ଭାରିଆଣ୍ଟ, ଆଡଭାଇଜରୀ ଜାରି କଲା WHO

author img

By ETV Bharat Odisha Team

Published : Dec 18, 2023, 1:24 PM IST

COVID Cases in India
COVID Cases in India

COVID Cases in India: ପୁଣି ଫେରିଲା କୋରୋନା ମହାମାରୀ ଭୟ । ଦିନକରେ ଗଲାଣି 5 ଜୀବନ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଜାରି କଲା ଆଡଭାଇଜରୀ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ପୁଣିଥରେ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ମହାମାରୀ । କୋଭିଡର ପ୍ରାଦୁର୍ଭାବ କିଛି ମାତ୍ରାରେ କମ ହେବାପରେ ବିଶ୍ବବାସୀ ସାଧାରଣ ଜୀବନକୁ ଫେରିବା ପାଇଁ ଚେଷ୍ଟା କରୁଥିବା ବେଳେ ଏହାରି ଭିତରେ କୋରୋନାର ନୂଆ ଭାରିଆଣ୍ଟ ଅନେକ ଦେଶରେ ହଇଚଇ ସୃଷ୍ଟି କରିଛି । କୋରୋନାର ନୂଆ ଷ୍ଟ୍ରେନ୍‌ ଅନେକ ଦେଶକୁ ବ୍ୟାପିବା ଆରମ୍ଭ କରିଛି । ଗତକାଲି ଅର୍ଥାତ ରବିବାର ଦିନ ଭାରତରେ 335ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଦେଶରେ ମୋଟ 1701 ସକ୍ରିୟ ମାମଲା ରହିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) କୋଭିଡ ମାମଲା ଉପରେ ତୀକ୍ଷ୍ମ ନଜର ରଖିବାକୁ କହିଛନ୍ତି ।

କେରଳରେ 4ଜଣଙ୍କ ମୃତ୍ୟୁ: ତଥ୍ୟ ଅନୁସାରେ, କେରଳରେ 4ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି । ଏହି ସଂକ୍ରମିତଙ୍କୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା 5,33,316କୁ ବୃଦ୍ଧି ପାଇଛି । ମୃତ୍ୟୁସଂଖ୍ୟା ବୃଦ୍ଧି ପରେ ପୁଣି ଥରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି ।

WHOର ଆଡଭାଇଜରୀ: କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଭାରତ ସମେତ ଅନେକ ଦେଶକୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି । WHO ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଥିବା ବେଳେ କୋଭିଡ୍‌ ପ୍ରୋଟକଲ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରଭାବିତ ଦେଶ ଉପରେ କଡ଼ା ନଜର ରଖିବା ସହିତ ଟେଷ୍ଟିଂ ଜାରି ରଖିବା ପାଇଁ ଚେତାବନୀ ଦେଇଛନ୍ତି । ଏହାସହିତ WHO ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । କୋଭିଡ-19ର ଟେକ୍ନିକାଲ ମୁଖ୍ୟ ଡା.ମାରିଆ ବାନଙ୍କ ଭିଡିଓ ସେୟାର କରାଯାଇଥିବା ବେଳେ ସେଥିରେ କୋଭିଡର କାରଣ ଏବଂ ବର୍ତ୍ତିବାର ତରିକା ବିଷୟରେ ବର୍ଣ୍ଣନା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: କେରଳରୁ ଚିହ୍ନଟ ହେଲେ JN.1 ସଂକ୍ରମିତ, ବଢିଲା ଚିନ୍ତା

ନୂଆ ଭାରିଆଣ୍ଟ ଚିନ୍ତା: କୋଭିଡର ନୂଆ ଭାରିଆଣ୍ଟ ଜେଏନ୍‌1 ବର୍ତ୍ତମାନ ସମୟରେ ଚିନ୍ତାର କାରଣ ସାଜିଛି । ତେବେ କୋଭିଡ ପାଇଁ ରହିଥିବା ଟିକା ଦ୍ବାରା ଏହି ରୋଗକୁ ରୋକାଯାଇ ପାରିବ ବୋଲି ବିଶ୍ବାସ ରହିଥିଲେ ହେଁ ଭିବଷ୍ୟତରେ ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ବୋଲି କୁହାଯାଇଛି । ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି କୋଭିଡ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଏହି ଭାରିଆଣ୍ଟ୍‌ରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ବର୍ତ୍ତମାନ କେରଳର ଜଣେ 79 ବର୍ଷୀୟ ବୟସ୍କା ଏହି ଭାରିଆଣ୍ଟର ଶିକାର ହୋଇଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଥିବା କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.