ETV Bharat / state

ରାଉରକେଲାରେ ଅସମ୍ଭାଳ ଝାଡାବାନ୍ତି; 4 ମୃତ, ୧୦୨ ଜଣ ହସ୍ପିଟାଲରେ ଭର୍ତ୍ତି, ରାପିଡ ରେସ୍ପନ୍ସ ଟିମ୍ ପଠାଇଲା ସ୍ବାସ୍ଥ୍ୟ ବିଭାଗ

author img

By ETV Bharat Odisha Team

Published : Dec 16, 2023, 5:17 PM IST

Updated : Dec 16, 2023, 6:29 PM IST

diarrhoea cases increase in Rourkela: ରାଉରକେଲା ସହରରେ ଡାଇରିଆ ଯୋଗୁଁ ଚାରି ମୃତ , 102 ଜଣ ମେଡିକାଲରେ ଭର୍ତ୍ତି । ରୋକ ଲଗାଇବାକୁ ରାପିଡ ରେସ୍ପନ୍ସ ଟିମ୍ ପଠାଇଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ରାଉରକେଲାରେ ଅସମ୍ଭାଳ ଝାଡାବାନ୍ତି, ରାପିଡ ରେସ୍ପନ୍ସ ଟିମ୍ ପଠାଇଲା ସ୍ବାସ୍ଥ୍ୟ ବିଭାଗ
ରାଉରକେଲାରେ ଅସମ୍ଭାଳ ଝାଡାବାନ୍ତି, ରାପିଡ ରେସ୍ପନ୍ସ ଟିମ୍ ପଠାଇଲା ସ୍ବାସ୍ଥ୍ୟ ବିଭାଗ

ରାଉରକେଲାରେ ଅସମ୍ଭାଳ ଝାଡାବାନ୍ତି; 4 ମୃତ, ୧୦୨ ଜଣ ହସ୍ପିଟାଲରେ ଭର୍ତ୍ତି, ରାପିଡ ରେସ୍ପନ୍ସ ଟିମ୍ ପଠାଇଲା ସ୍ବାସ୍ଥ୍ୟ ବିଭାଗ

ରାଉରକେଲା: ରାଉରକେଲା ସହରରେ ଅସମ୍ଭାଳ ହେବାରେ ଲାଗିଛି ଡାଇରିଆ । ସହରରେ ବର୍ତ୍ତମାନ ଲୋକଙ୍କୁ ଘାରୁଛି ଡାଇରିଆ ଭୟ । ରାଉରକେଲା ସହର ସମେତ ସମ୍ପୂର୍ଣ୍ଣ ଜିଲ୍ଲାରୁ ରୋଗୀ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଡାଇରିଆ ରୋଗରେ ଦୁଇ ଦିନରେ ଚାରି ଜଣ ଡାଇରିଆ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ରାଉରକେଲା ସରକାରୀ ହସ୍ପିଟାଲରେ ୧୦୨ ଜଣ ଡାଇରିଆ ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଚାରି ଜଣ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଦୁଇ ମହିଳାଙ୍କ ବୟସ ପ୍ରାୟ ୭୫ବର୍ଷ , ଜଣେ ଅର୍ଦ୍ଧ ବୟସ୍କ ମହିଳା ଏବଂ ଜଣେ ୩୮ ବର୍ଷୀୟ ପୁରୁଷ ରୋଗୀ ଅଛନ୍ତି ଏବଂ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି ।

ପାନପୋଷ, ଛେଣ୍ଡ କଲୋନୀ ସହ ବିଭିନ୍ନ ବସ୍ତି ଏରିଆ ତଥା ସେକ୍ଟର ଏରିଆରୁ , ବଣାଇ, ରାଜଗାଙ୍ଗପୁର ଆଦି ଅଞ୍ଚଳରୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ରୋଗୀ ମାନେ ସରକାରୀ ହସ୍ପିଟାଲ ସହ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ତେବେ କେଉଁ କାରଣରୁ ହଠାତ ବିଭିନ୍ନ ଏରିଆରେ ଝାଡାବାନ୍ତି ରୋଗ ବ୍ୟାପିଲା ତାର କାରଣ ଜଣା ପଡ଼ିନାହିଁ । ରୋଗର କାରଣ ନିରୂପଣ ପାଇଁ ରୋଗୀଙ୍କ ଝାଡା ବାନ୍ତି ପରୀକ୍ଷା ପାଇଁ ପଠାଯାଇଛି । ଝାଡା ବାନ୍ତି ରୋଗୀଙ୍କ ସଂଖ୍ୟା ବଢୁ ଥିବାରୁ ହସପିଟାଲରେ ବେଡ଼ ସଂଖ୍ୟା ବଢାଇବାକୁ ପଦକ୍ଷେପ ନିଆଯାଉଛି ବୋଲି ରାଉରକେଲା ସରକାରୀ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ସୁଧାରାଣୀ ପ୍ରଧାନ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... କିଛି ଦିନ ପରେ ସାଜିଥାଆନ୍ତେ ବର, ସନ୍ଦେହଜନକ ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର

ସହରର ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଔଷଧ ବଣ୍ଟନ କରାଯିବା ସହ ପ୍ରତିକାର ବ୍ୟବସ୍ଥା କରାଯାଉଛି । ଝାଡାବାନ୍ତି ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ୧୨ ଟି ଟିମ ପକ୍ଷରୁ ଔଷଧ ବଣ୍ଟନ କରୁଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ୬ଟି ଟିମ୍ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି ଟିମ୍ ବିଭିନ୍ନ ଅଞ୍ଚଳ ଗସ୍ତ କରି ଔଷଧ ବଣ୍ଟନ ଓ ପାନୀୟ ଜଳ ପରୀକ୍ଷା କରୁଛନ୍ତି । ସେହିପରି ରୋଗର ବ୍ୟାପକତା ଦେଖି ସଂକ୍ରମଣ କ୍ଷେତ୍ରକୁ ରାପିଡ ରେସ୍ପନ୍ସ ଟିମ୍ ପଠାଇବାକୁ ସ୍ବାସ୍ଥ୍ୟ ବିଭାଗ ସିଡିଏମଓକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜଣେ ବରିଷ୍ଠ ଡାକ୍ତର ନୋଡାଲ ଅଫିସର ଭାବେ ସେଠି କାମ କରିବେ ଏବଂ ସୁନ୍ଦରଗଡରୁ ଜଣେ ମାଇକ୍ରୋ ବାୟୋଲୋଜିଷ୍ଟ ରାଉରକେଲାରେ ନିୟୋଜିତ ରହିବେ । ୨ ରୁ ୪ ଟି ମୋବାଇଲ ହେଲଥ ଦଳ ନିୟୋଜିତ କରିବା ସହ ଆହୁରି ୫୦ ଟି ବେଡ୍ ସଂରକ୍ଷିତ କରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଇସ୍ପାତ ଜେନେରାଲ ହସପିଟାଲକୁ ମଧ୍ୟ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ଭୁବନେଶ୍ବରରୁ ଦୁଇ ଜଣିଆ ଡାକ୍ତରୀ ଟିମ୍ ମଧ୍ୟ ରାଉରକେଲାକୁ ପଠାଯାଇଛି। ରାଉରକେଲା ମ୍ୟୁନିସପାଲଟି କୁ ଜଳ ବିଶୋଧନ କରିବା ପାଇଁ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଅବଗତ କରିଛି । ପାଣି ପରୀକ୍ଷଣ ପାଇଁ ପାଣି ସଂଗ୍ରହ ହୋଇଛି । ଯେହେତୁ ରାଉରକେଲାର ବିଭିନ୍ନ ସ୍ଥାନରୁ ରୋଗୀ ଚିହ୍ନଟ ହୋଇଛନ୍ତି ଏଣୁ ଜଳ ସଂକ୍ରମିତରୁ ହେବା ଆଶଙ୍କା କରାଯାଉଛି । ଏହା ବ୍ୟତୀତ କୌଣସି ଭୋଜିଭାତ କିମ୍ବା ଖାଦ୍ୟପେୟରୁ ହେବାର ସମ୍ଭାବନା ଥିବାରୁ ସେଥି ପ୍ରତି ମଧ୍ୟ ତଦନ୍ତ କରିବାକୁ କୁହାଯାଇଛି । ଏସମ୍ପର୍କରେ ତଦନ୍ତ ହେବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated :Dec 16, 2023, 6:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.