ETV Bharat / state

କଲବଲ କଲାଣି ଝାଡାବାନ୍ତି, ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ

author img

By ETV Bharat Odisha Team

Published : Dec 20, 2023, 7:38 PM IST

Updated : Dec 20, 2023, 8:01 PM IST

କଲବଲ କଲାଣି ଝାଡାବାନ୍ତି
କଲବଲ କରୁଛି ଡ଼ାଇରିଆ

Health Secretary Conducts Inspection: କଲବଲ କରୁଛି ଡ଼ାଇରିଆ ସାଙ୍ଗକୁ ହଇଜା । ୧୦୨୫ ଜଣ ଝାଡ଼ା ବାନ୍ତିରେ ଆକ୍ରାନ୍ତ । ୬ ଜଣଙ୍କର ଗଡ଼ିଲାଣି ମୁଣ୍ଡ । ଆଗକୁ ପଢ଼ନ୍ତୁ

କଲବଲ କଲାଣି ଝାଡାବାନ୍ତି

ରାଉରକେଲା: ରାଉରକେଲାରେ ସ୍ଥିତି ଭୟଙ୍କର । କଲବଲ କରୁଛି ଡ଼ାଇରିଆ ସାଙ୍ଗକୁ ହଇଜା । ୧୦୨୫ ଜଣ ଝାଡ଼ା ବାନ୍ତିରେ ଆକ୍ରାନ୍ତ । ୬ ଜଣଙ୍କର ଗଡ଼ିଲାଣି ମୁଣ୍ଡ । ରୋଗୀଙ୍କ ଚିକିତ୍ସା ପାଇଁ PHC ୨୪ ଘଣ୍ଟା ଚାଲିବ । ରାତିରେ ମଧ୍ୟ ରୋଗୀ ଆସିଲେ ଚିକିତ୍ସା କରାଯିବ । ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଝାଡ଼ା ବାନ୍ତିର ସମୀକ୍ଷା କରିଥିବା ବେଳେ ସ୍ଥିତି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ।

ରାଉରକେଲାରେ ଝାଡ଼ା ବାନ୍ତି କାରଣରୁ ଲୋକେ ଭୟଭୀତ ହେଉଛନ୍ତି । ପ୍ରଥମେ ଡ଼ାଇରିଆ ବେକାବୁ ଥିବା ବେଳେ ଏବେ ହଇଜା ଆତଙ୍କ ବଢ଼ାଉଛି । ବର୍ତ୍ତମାନ ସୁଦ୍ଧା ୧୦୨୫ ଜଣ ଝାଡ଼ା ବାନ୍ତିରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୬ ଜଣଙ୍କର ମୃତ୍ୟୁ ମଧ୍ୟ ହେଲାଣି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ପାଣି ନମୁନା ଏବଂ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି । ଆକ୍ରାନ୍ତ ହେବାର ମୂଳ କାରଣ ଖୋଜିବାରେ ଲାଗିଛନ୍ତି ସ୍ବତନ୍ତ୍ର ଟିମ । ତେବେ ଏହି ଭୟାବହ ସ୍ଥିତିକୁ ସମ୍ପୂର୍ଣ୍ଣ ଭାବରେ ଅନୁଧ୍ୟାନ କରିବା ପାଇଁ ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ରାଉରକେଲା ପହଞ୍ଚିଥିଲେ । ରୋଗୀଙ୍କ ଚିକିତ୍ସା ପାଇଁ PHC ୨୪ ଘଣ୍ଟା ଚାଲୁଥିବା ବେଳେ ରାତିରେ ଆସୁଥିବା ରୋଗୀଙ୍କର ମଧ୍ୟ ଚିକିତ୍ସା କରାଯାଉଛି । ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଦଳ ସାଙ୍ଗକୁ ଅନ୍ୟ ମେଡିକାଲ ଟିମ ମୁତୟନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ସ୍ମାର୍ଟସିଟି ରାଉରକେଲାରେ ହଇଜା ଆତଙ୍କ; ଗଡୁଛି ମୁଣ୍ଡ, ଭୟରେ ସହରବାସୀ

ରାଉରକେଲାରେ ଡ଼ାଇରିଆ ଓ ହଇଜାର ସ୍ଥିତି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ପ୍ରଥମେ ରାଉରକେଲା ସହରରେ ପହଞ୍ଚି ଡାକ୍ତର ଓ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ପରେ ରୋଗୀଙ୍କୁ ଭେଟି ସ୍ଥିତି ପରଖି ଥିଲେ । ପ୍ରାୟ ଏକ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଖାଦ୍ୟ ବିଭାଗ, ଜଳ ବିଭାଗ ସହ ସ୍ୱାସ୍ଥ୍ୟ ବିଭାଗ, ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ପାନପୋଷ ଉପ ଜିଲ୍ଲାପାଳଙ୍କ ସମେତ ରାଉରକେଲା ସରକାରୀ ହସ୍ପିଟାଲର ଡାକ୍ତରୀ ଟିମ ଉପସ୍ଥିତ ଥିଲେ ।

ଆଲୋଚନା କରିବା ପରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ’’ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣକୁ ଆସୁଛି । ଆକ୍ରାନ୍ତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ । ରୋଗୀଙ୍କ ସ୍ବାସ୍ଥାବସ୍ତା ନିୟନ୍ତ୍ରଣକୁ ଆସୁଛି । ଆସନ୍ତା କିଛି ଦିନ ମଧ୍ୟରେ ଝାଡା ବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ସଂପୂର୍ଣ୍ଣ କମି ଯିବ ବୋଲି ଆଶା କରାଯାଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ପାଣି ନମୁନା ଏବଂ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି ଏବଂ ପରୀକ୍ଷା କରାଯାଇଛି । ଆକ୍ରାନ୍ତ ହେବାର ମୂଳ କାରଣ ମଧ୍ୟ ଖୋଜିବା ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ରୋଗୀଙ୍କ ଚିକିତ୍ସା ପାଇଁ PHC ୨୪ ଘଣ୍ଟା ଚାଲିବ । ରାତିରେ ମଧ୍ୟ ରୋଗୀ ଆସିଲେ ଚିକିତ୍ସା କରାଯିବ ।’’

ଗତକାଲି ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଝାଡ଼ା ବାନ୍ତିର ସମୀକ୍ଷା କରିଥିବା ବେଳେ, ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ବିଭାଗ ସଚିବ । ଜନସ୍ଵାସ୍ଥ୍ୟ ନିର୍ଦେଶକ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ୬ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ଼

Last Updated :Dec 20, 2023, 8:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.