ETV Bharat / state

ଆସୁଛି ନୂଆଁଖାଇ, ସୁବର୍ଣ୍ଣପୁରରେ କିଣାବିକା ସହ ଚାଲିଛି ପ୍ରସ୍ତୁତି

author img

By ETV Bharat Odisha Team

Published : Sep 14, 2023, 10:47 PM IST

ଘରେ ବ୍ୟବହାର ହେଉଥିବା ବାଉଁଶ ତିଆରି ଭୁଗା , ଟୁପା ,ଡଲା ,ଚାଙ୍ଗୁଡି ସମେତ ମାଟି ତିଆରି ହାଣ୍ଡି ,ଟଡିଆ , ପାତଲି ଆଦି ସବୁକିଛି ନୂଆଁଭାବେ କିଣି ନବାର୍ଣ୍ଣରେ ବ୍ୟବହାର କରାଯିବ । ସେହିପରି ନିଜ ଇଷ୍ଟ ଦେବଦେବୀଙ୍କ ବସ୍ତ୍ର ଠାରୁ ଆରମ୍ଭ କରି ପରିବାର ଲୋକଙ୍କ ପାଇଁ ମଧ୍ୟ ନୂଆ ପୋଷାକ ନୂଆଁ କିଣାଯିବ । ଅଧିକ ପଢନ୍ତୁ

ଆସୁଛି ନୂଆଁଖାଇ, ସୁବର୍ଣ୍ଣପୁରରେ କିଣାବିକା  ସହ ଚାଲିଛି  ପ୍ରସ୍ତୁତି
ଆସୁଛି ନୂଆଁଖାଇ, ସୁବର୍ଣ୍ଣପୁରରେ କିଣାବିକା ସହ ଚାଲିଛି ପ୍ରସ୍ତୁତି

ଆସୁଛି ନୂଆଁଖାଇ, ସୁବର୍ଣ୍ଣପୁରରେ କିଣାବିକା ସହ ଚାଲିଛି ପ୍ରସ୍ତୁତି

ସୁବର୍ଣ୍ଣପୁର: ନୂଆଁ ନୂଆଁରେ ହେବ ନୂଆଁଖାଇ । ଆଉ ମାତ୍ର ଛଅ ଦିନ ପରେ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ପାଳନ ହେବ। ଏହି ପର୍ବରେ ଚାଷୀ ବର୍ଷର ପହିଲି ଶସ୍ୟକୁ ନବାର୍ଣ୍ଣ ଭାବେ ନିଜ ଇଷ୍ଟ ଦେବଦେବୀଙ୍କ ପାଖରେ ସମର୍ପଣ ପୂର୍ବକ ନବାର୍ଣ୍ଣ ଗ୍ରହଣ କରିବ । ଏହି ପର୍ବ ପାଳନ ପାଇଁ ଚାଷୀ ମନରେ ବେଶ ଉତ୍ସାହ ରହିଛି । ଭାଦ୍ରବ ମାସର ଏହି ମହଙ୍ଗା ବେଳାରେ ବି ନୂଆଁଖାଇ ପାଇଁ ନିଜର ଦୈନନ୍ଦିନ ଚଳଣୀ ସାମଗ୍ରୀ ସବୁକିଛି ନୂଆଁ କରିବ ଚାଷୀ ।

ଘରେ ବ୍ୟବହାର ହେଉଥିବା ବାଉଁଶ ତିଆରି ଭୁଗା , ଟୁପା ,ଡଲା ,ଚାଙ୍ଗୁଡି ସମେତ ମାଟି ତିଆରି ହାଣ୍ଡି ,ଟଡିଆ , ପାତଲି ଆଦି ସବୁକିଛି ନୂଆଁଭାବେ କିଣି ନବାର୍ଣ୍ଣରେ ବ୍ୟବହାର କରାଯିବ । ସେହିପରି ନିଜ ଇଷ୍ଟ ଦେବଦେବୀଙ୍କ ବସ୍ତ୍ର ଠାରୁ ଆରମ୍ଭ କରି ପରିବାର ଲୋକଙ୍କ ପାଇଁ ମଧ୍ୟ ନୂଆ ପୋଷାକ ନୂଆଁ କିଣାଯିବ ।

ଏହାବି ପଢନ୍ତୁ- ପାଖଉଛି ନୂଆଖାଇ, ନବାର୍ଣ୍ଣ ପାଇଁ ଅଭାବ ସରିଆଁ ଧାନ

ତେବେ ନୂଆଁଖାଇ ପାଳନ ପାଇଁ ବଜାରୁ ଲୋକେ ସରିଆଁ ଧାନ ସଂଗ୍ରହ କରିବା ସହିତ ଘରୋଇ ସାମଗ୍ରୀ ସବୁକିଛି ନୂଆଁ କ୍ରୟ କରୁଛନ୍ତି । ଚଳିତ ଇଂରାଜି ମାସ ଅକ୍ଟୋବର ୨୦/୦୯/ ୨୦୨୩ (ବୁଧବାର) ଭାଦ୍ରବ ଶୁକ୍ଲପକ୍ଷ ଋଷି ପଞ୍ଚମୀ ତିଥିର ବିଶାଖା ନକ୍ଷତ୍ରେ ବିଶୁଦ୍ଧ ବିଛା ଲଗ୍ନ ବ୍ରହ୍ମଯୋଗ ମାହେନ୍ଦ୍ର ବେଳା ପୂର୍ବାହ୍ନ ୧୦ ଘଣ୍ଟା ୩୬ ମିନିଟ ରୁ ୧୦ ଘଣ୍ଟା ୫୦ ମିନିଟ ମଧ୍ୟେ ନବାର୍ଣ୍ଣ ପାଇଁ ଲଗ୍ନଧାର୍ଯ୍ୟ କରାଯାଇଛି । ପରମ୍ପରା କ୍ରମେ ଭାଦ୍ରବ କୃଷ୍ଣ ନବମୀ ନନ୍ଦୋତ୍ସବ ତିଥିରେ ସୋନପୁର ଗଡଜାତର ଲଗ୍ନ ନିର୍ଣ୍ଣୟ କରାଯାଇଛି । ନିର୍ଦ୍ଧାରିତ ଲଗ୍ନରେ ସୋନପୁର ଗଡଜାତର ଜନସାଧାରଣ ଓ ବୌଦ୍ଧ ଜିଲ୍ଲା ପଞ୍ଚରା ଅଞ୍ଚଳର ଜନସାଧାରଣ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ପାଖରେ ନବାର୍ଣ୍ଣ ସମର୍ପଣ ପୂର୍ବକ ଗ୍ରହଣ କରିବା ପାଇଁ ସଦର ପୌର ପରିଷଦ ଘୋଷଣା କରିଛି । ସୋନପୁର ଚୌହାନ ରାଜପ୍ରାସାଦ ନିକଟସ୍ଥ ଶ୍ରୀବଡ ଜଗନ୍ନାଥଙ୍କ ମନ୍ଦିରର ମଣ୍ଡପରେ ପଣ୍ଡିତ ମହାସଭା ଆଲୋଚନା କରି ଏହି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି । ସୋନପୁର ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ଆଦ୍ୟ ଅକ୍ଷର ସ’ ଅନୁଯାୟୀ ଏହି ଲଗ୍ନ ନିର୍ଣ୍ଣୟ କରାଯାଇଥିବା ବେଳେ ଇଷ୍ଟ ଦେବୀଙ୍କ ସମେତ ଅଷ୍ଟଚଣ୍ଡୀଙ୍କ ପୀଠକୁ ପାହୁର ଶୋଭାଯାତ୍ରା ପାଇଁ ବି ଲଗ୍ନ ନିର୍ଣ୍ଣୟ କରାଯାଇଛି ।

ତେବେ ନବାର୍ଣ୍ଣ ସମର୍ପଣର ପ୍ରାୟ ଘଣ୍ଟାକ ପୂର୍ବରୁ ଦେବୀ ମା ସମଲେଇଙ୍କ ମନ୍ଦିରରୁ ପାହୁର ବାହାରିବା ପାଇଁ ଲଗ୍ନ ସ୍ଥିର କରାଯାଇଛି । ପରମ୍ପରା ଅନୁଯାଯୀ ପ୍ରତିବର୍ଷ ଭାଦ୍ରବ ମାସରେ ନୂଆଁଖାଇ ପାଳନ କରାଯାଉ ଥିବା ବେଳେ ରାଜ୍ୟ ସରକାର ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିକୁ ନୂଆଁଖାଇ ଛୁଟି ଘୋଷଣା କରିଥିବାରୁ ଏହି ଦିନ ହିଁ ନୂଆଁଖାଇର ମାହେନ୍ଦ୍ର ବେଳା ନିର୍ଦ୍ଧାରଣ କରାଯାଇ ଆସୁଛି । ରାଜତନ୍ତ୍ରର ବିଲୋପ ପରେ ଏହି ଲଗ୍ନ ନିର୍ଣ୍ଣୟ କାର୍ଯ୍ୟକ୍ରମ ସଦର ପୌର ପରିଷଦ ନିର୍ବାହ କରି ଆସୁଛି । ପୌର ପରିଷଦ ଧାର୍ଯ୍ୟ ଲଗ୍ନରେ ସୋନପୁର ଗଡଜାତବାସୀ ଓ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳବାସୀ ଦେବ ଦେବୀଙ୍କ ପାଖରେ ନବାର୍ଣ୍ଣ ସମର୍ପଣ ପୂର୍ବକ ଗ୍ରହଣ କରିବାକୁ ନିବେଦନ କରାଯାଇଛି । ନୂଆଁଖାଇ ପାଇଁ ଲୋକଙ୍କ ମନରେ ବେଶ ଉତ୍ସାହ ରହିଥିବା ବେଳେ ଭାଦ୍ରବ ମାସର ଏହି ମହଙ୍ଗା ବେଳାରେ ସବୁକିଛି ନୂଆଁ ନୂଆଁ କରିବାକୁ ଚାଷୀର ଅଣ୍ଟିକୁ କଷ୍ଟ ହେଉଛି ନିଶ୍ଚୟ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.