ETV Bharat / state

ସୁବର୍ଣ୍ଣପୁରରେ ବଢୁଛି ଚୋରି ଡକାୟତି; ଏସପିଙ୍କୁ ଭେଟିଲେ ସାମ୍ବାଦିକ ସଙ୍ଘ

author img

By ETV Bharat Odisha Team

Published : Jan 7, 2024, 12:20 PM IST

ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ସାମ୍ବାଦିକ ସଙ୍ଘ
ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ସାମ୍ବାଦିକ ସଙ୍ଘ

Subarnapur Journalists meets SP: ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଚୋରି ହେଉଥିବା ଅଭିଯୋଗ । ଏନେଇ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଙ୍ଘ । ଆଗକୁ ପଢ଼ନ୍ତୁ

ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ସାମ୍ବାଦିକ ସଙ୍ଘ

ସୁବର୍ଣ୍ଣପୁର: ଦିନକୁ ଦିନ ଅସାମାଜିକ ତଥା ଅପରାଧିକ ଘଟଣା ବଢ଼ିବାରେ ଲାଗିଛି । ଚୋରି, ଡକାୟତିରୁ ଆରମ୍ଭ କରି ଦୁର୍ଘଟଣା ଓ ହତ୍ୟା ଭଳି ଘଟଣା ଯେମିତି ନିତିଦିନିଆ କଥା ହୋଇଗଲାଣି । ଏସବୁ ଅପରାଧରୁ ସୁବର୍ଣ୍ଣପୁର ମଧ୍ୟ ବାଦ୍ ପଡ଼ିନାହିଁ । ଅନେକ ସମୟରେ ଜିଲ୍ଲାର ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରୁ ଚୋରି ହେଉଥିବା ଅଭିଯୋଗ ଆସୁଛି । ଏନେଇ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ସାମ୍ବାଦିକମାନେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିଛନ୍ତି ।

ପ୍ରାୟ ବର୍ଷେ ହେବ ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ ଚୋରି, ଡକାୟତି, ରାହଜାନି ଆଦି ଘଟଣା ବଢି ବଢି ଚାଲିଛି । ସହରର ବିଭିନ୍ନ ଦୋକାନ ବଜାର ସମେତ ଦେବାଦେବୀଙ୍କ ମନ୍ଦିରରୁ ଚୋରି ହେଉଥିବା ଘଟଣା ସାମ୍ନାକୁ ଆସୁଛି । ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପୋଲିସ ପେଟ୍ରୋଲିଂ କଡାକଡି କରିବା ପାଇଁ ଅନୁରୋଧ କରାଯାଉଥିଲେ ମଧ୍ୟ ଜିଲ୍ଲା ପୋଲିସ ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି । ତେବେ ଶନିବାର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ସାମ୍ବାଦିକମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଆଲୋଚନା କରିଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚୋରି, ଡକାୟତି ଓ ଅସାମାଜିକ କାର୍ଯ୍ୟ ଆଦିରେ ବୃଦ୍ଧି ହୋଇଥିବା ସ୍ୱୀକାର କରିଥିବା ବେଳେ ସହରରେ ତଥା ଜିଲ୍ଲାରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବେ ବୋଲି ସାମ୍ବାଦିକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ; ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ୨୦ବର୍ଷ ସଜ୍ଜା ଶୁଣାଇଲେ କୋର୍ଟ

ନିକଟରେ ରାଜପ୍ରାସାଦ ନିକଟରେ ଥିବା ଦେବୀ ମା’ ଦୁର୍ଗାଙ୍କ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଦୁର୍ବୁତ୍ତମାନେ ଦାନ ରାଶି ଚୋରି କରି ନେଇଥିଲେ । କେବଳ ସେତିକି ନୁହେଁ ଦେବୀଙ୍କ ପାଖରେ ଦୈନନ୍ଦିନ ପୂଜା ଆରଧନା ଓ ଭୋଗ ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ଧାତବ ଦ୍ରବ୍ୟରେ ତିଆରି ସାମଗ୍ରୀ ମଧ୍ୟ ଚୋରି ହୋଇଯାଇଛି । ସେହିପରି କିଛି ଦିନ ତଳେ ଦେବୀ ମା’ ସୁରେଶ୍ୱରୀ ମନ୍ଦିର ଓ ସୁବର୍ଣ୍ଣାମେରୁଙ୍କ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । ସହରରେ ଦିନ ଦ୍ବିପହରରେ ମହିଳାମାନଙ୍କ ପାଖରୁ ସୁନା ଚେନ ଲୁଟ ସାଙ୍ଗକୁ ବ୍ୟାଙ୍କଗୁଡିକ ସାମ୍ନାରେ ନଗଦ ରାଶି ଲୁଟ ଆଦି ଘଟଣା ଗତ ବର୍ଷ ଡିସେମ୍ବର ମାସରେ ଦେଖିବାକୁ ମିଳିଥିଲା ।

ସହରର ବୁଢ଼ୀମା ମାର୍କେଟରେ ଦୁଇଟି ଦୋକାନର ଛାତ ଭାଙ୍ଗି ଦୁର୍ବୁତ୍ତମାନେ ଟଙ୍କା ସହିତ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଥିଲେ । ଜନଗହଳିପୂର୍ଣ୍ଣ ବଜାରରୁ ଅନେକ ସମୟରେ ବାଇକ ଚୋରି ଘଟଣା ନଜରକୁ ଆସୁଛି । ତେବେ ଦିନକୁ ଦିନ ସହରରେ ଅସାମାଜିକ କାର୍ଯ୍ୟ ବଢିବାରେ ଲାଗିଛି । ସହର ମଧ୍ୟ ଦେଇ ଦେଶୀ ମଦ ଓ ଗଞ୍ଜେଇ କାରବାର ସାଙ୍ଗକୁ ଅସାମାଜିକ ଯୁବକମାନେ କଫ ସିରଫ ବ୍ୟବସାୟ କରୁଛନ୍ତି । ପୋଲିସ କିନ୍ତୁ ଅଧିକାଂଶ ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବାରେ ଓ ଚୋରି ସାମଗ୍ରୀ ଉଦ୍ଧାର କରିବାରେ ବିଫଳ ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.