ETV Bharat / state

ଭିଜିଲାନ୍ସ ଜାଲରେ ଚକ୍ଷୁ ବିଭାଗ ଡାକ୍ତର, ଲାଞ୍ଚ ନେଇ ବନ୍ଧା ହେଲେ

author img

By ETV Bharat Odisha Team

Published : Nov 27, 2023, 3:10 PM IST

Govt hospital Doctor Arrested
Govt hospital Doctor Arrested

Vigilance Raid:ମୋତିଆ ବିନ୍ଦୁ ଅପରେସନ ପାଇଁ ଲାଞ୍ଚ ନେଉଥିଲେ ଡାକ୍ତର । ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

Govt hospital Doctor Arrested

ସୋନପୁର: ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗର ଡାକ୍ତର । ମୋତିଆ ବିନ୍ଦୁ ଅପରେସନ ପାଇଁ 5 ହଜାର 5 ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଡାକ୍ତର ସଞ୍ଜୀବ କରଙ୍କୁ ଭିଜିଲାନ୍ସ ଗିରଫ କରିଛି । ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଡାକ୍ତର ନେଉଥିଲେ ଲାଞ୍ଚ ।

ମିଳିଥିବା ସୂଚନା ଅନୁଯାୟୀ, ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଯାଲୋଏ ଗାଁର ଲକ୍ଷ୍ମଣ ତ୍ରୀପାଠୀଙ୍କ ମୋତିଆ ବିନ୍ଦୁ ଅପରେସନ ପାଇଁ ଡାକ୍ତର କର 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଲକ୍ଷ୍ମଣଙ୍କ ସମ୍ପର୍କୀୟ ପୁତୁରା ଏନେଇ ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିବା ପରେ 5 ହଜାର 5 ଶହ ଟଙ୍କା ଦେଲେ ମୋତିଆ ବିନ୍ଦୁ ଅପରେସନ ତୁରନ୍ତ କରିବା ପାଇଁ କହିଥିଲେ । ଏହାପରେ ଲକ୍ଷ୍ମଣଙ୍କ ପୁତୁରା ଏନେଇ ଜିଲ୍ଲା ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଲିଖିତ ଏତଲାକୁ ଭିତ୍ତି କରି ଜିଲ୍ଲା ଭିଜିଲାନ୍ସ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ନବରଙ୍ଗପୁର ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍

ଆଜି ହାଡୁ ପଧାନ ଲାଞ୍ଚ ଦେବା ବେଳେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁୁଯାୟୀ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀମାନେ ଡାକ୍ତରଙ୍କୁ କାବୁ କରି ନେଇଥିଲେ । ଡାକ୍ତର କରଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରାଯାଇଛି । ଡାକ୍ତର ସଞ୍ଜୀବ କରଙ୍କ ବଲାଙ୍ଗୀର ସହରର ସୂତପଡାଠାରେ ଥିବା ପୈତୃକ ବାସଭବନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ କାର୍ଯ୍ୟାଳୟ ସହିତ ସହରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାସଭବନରେ ଏକକାଳୀନ ଚଢାଉ କରାଯାଇଛି । ଦୀର୍ଘ ଦିନରୁ ଡାକ୍ତର କର ରୋଗୀଙ୍କ ପାଖରୁ ବେଆଇନ ଭାବେ ଚିକିତ୍ସା କରିବା ପାଇଁ ଅର୍ଥ ସଂଗ୍ରହ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ଏପରିକି ଡ୍ରାଇଭିଂ ଲାଇସେନ୍ସ ପାଇଁ ଚକ୍ଷୁ ପରୀକ୍ଷା ରିପୋର୍ଟ ପ୍ରଦାନ ବାବଦକୁ ପ୍ରତି ବ୍ୟକ୍ତିଙ୍କ ପାଖରୁ 5 ଶହ ଟଙ୍କା ଲେଖାଏଁ ଆଦାୟ କରୁଥିଲେ ।

ଡ୍ରାଇଭିଂ ଲାଇସେନ୍ସ ପାଇଁ ତାଙ୍କ ପାଖକୁ ଯାଉଥିବା ବ୍ୟକ୍ତିଙ୍କୁ ସରକାରୀ ବାସଭବନରେ କରିଥିବା କ୍ଲିନିକରେ ଭେଟ ହେବା ପାଇଁ କହୁଥିଲେ । ଚକ୍ଷୁ ବିଭାଗରେ ବ୍ୟସ୍ତତା ଦେଖାଇ ଡ୍ରାଇଭିଂ ଲାଇସେନ୍ସ ରିପୋର୍ଟ ପାଇଁ ସଭିଏଁ କ୍ଲିନିକରେ ଡାକ୍ତରଙ୍କୁ ଭେଟୁଥିଲେ । ଲୋକଙ୍କ ପାଖରୁ ଲାଞ୍ଚ ଟଙ୍କା ନେବା ପରେ ଅନଲାଇନ ମାଧ୍ୟମରେ ସେ ଚକ୍ଷୁ ପରୀକ୍ଷା ରିପୋର୍ଟ ପ୍ରଦାନ କରୁଥିଲେ । ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଖରେ ବି ସ୍ବେଚ୍ଛାସେବୀ ସଂଗଠନ ଗୁଡିକ ପକ୍ଷରୁ ଅଭିଯୋଗ କରାଯାଇଥିଲା ।ହେଲେ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଚିକିତ୍ସାଳୟ ଭିତରେ ନେଣ ଦେଣ ହେଉ ନ ଥିବାରୁ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଥିଲେ । ଆଜି ପ୍ରମାଣ ସହ ଡାକ୍ତର ଲାଞ୍ଚ ନେଉଥିବା ସମୟରେ ଜିଲ୍ଲା ଭିଜିଲାନ୍ସ ବିଭାଗ ଚଢାଉ କରି ଡାକ୍ତରଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଇଟିଭି ଭାରତ,ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.