ବର୍ଷାରେ ଉବୁଟୁବୁ ସୁବର୍ଣ୍ଣପୁର ସହର, ପୌର ପରିଷଦର ଅବହେଳା ଅଭିଯୋଗ

author img

By

Published : Sep 14, 2021, 2:25 PM IST

ବର୍ଷାରେ ଉବୁଟୁବୁ ସୁବର୍ଣ୍ଣପୁର ସହର

ଲଗାତାର ଦୁଇ ଦିନର ପ୍ରବଳ ବର୍ଷାରେ ସୁବର୍ଣ୍ଣପୁର ସହର ତଳି ଅଞ୍ଚଳ ଜଳମଗ୍ନ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଲଘୁଚାପ ଜନିତ ବର୍ଷାରେ ଜଳମଗ୍ନ ହୋଇଛି ସୁବର୍ଣ୍ଣପୁର ସହର । ଲଗାତାର ଦୁଇ ଦିନର ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ସହରର ତଳି ଅଞ୍ଚଳ । ଫଳର ସହରର ପ୍ରେସ କୋଲୋନୀ ,ଜୟଗୁରୁ ମାର୍କେଟ ତଥା ବଡବଜାରର ବଡବଗିଚା ଅଞ୍ଚଳର ରାସ୍ତା ଉପରେ ପାଣି ଚାଲୁଛି । ଘରଭିତରକୁ ପାଣି ପଶି ବିଭିନ୍ନ ଆସବା ପତ୍ର ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ତେବେ ବର୍ଷା ପୂର୍ବରୁ ସହରର ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବାରମ୍ବାର ଦାବି ହେଉଥିଲେ ବି ପୌର ପରିଷଦର ଅବହେଳା ଯୋଗୁଁ ସହର ଭିତରେ ଏଭଳି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

ବର୍ଷାରେ ଉବୁଟୁବୁ ସୁବର୍ଣ୍ଣପୁର ସହର

ତେବେ ବଡବଜାର ବଡବଗିଚା ଅଞ୍ଚଳରେ ସଦର ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ପମ୍ପ ଲଗାଇ ବର୍ଷା ପାଣି ନିଷ୍କାସନ କରାଯାଉଛି । ପୌର ପରିଷଦର ସଫେଇ କର୍ମଚାରୀମାନେ ପାଣି ନିଷ୍କାସନ ହୋଇପାରୁ ନଥିବା ଡ୍ରେନ ଗୁଡିକୁ ସଫା କରିବାରେ ଲାଗିଛନ୍ତି । ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ କନିଷ୍ଠ ଯନ୍ତ୍ରୀମାନେ ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପାଣି ନିଷ୍କାସନ କରିବା ପାଇଁ ଯୋଜନା କରୁଛନ୍ତି । ତେବେ ଲଗାଣ ବର୍ଷା ଯୋଗୁଁ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଥିପାଇଁ ସହରବାସୀ ପୌର ପରିଷଦକୁ ଦାୟୀ କରିଛନ୍ତି ।

ସେପଟେ ବିରମହାରାଜପୁର ବ୍ଲକରେ ଥିବା ଘୁଙ୍ଗିନାଳ ଉପରେ ୪ ଫୁଟର ପାଣି ଯାଉଥିବାରୁ ବିରମହାରାଜପୁର-ଅମରପାଲି ଓ ବିରମହାରାଜପୁର-ଖଣ୍ଡହତାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବର୍ଷା ଆହୁରି ହେବ ବୋଲି ପାଣି ପାଗ ବିଭାଗ ପୁର୍ବାନୁମାନ କରୁଥିବା ବେଳେ ତଳି ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷା ଦେବାକୁ ପୌର ପରିଷଦ ଯତ୍ନବାନ ହେବା ଜରୁରୀ ହୋଇ ପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.