ETV Bharat / state

ଧାନମଣ୍ଡି ଅବ୍ୟବସ୍ଥା: ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

author img

By ETV Bharat Odisha Team

Published : Nov 29, 2023, 4:25 PM IST

ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି, ଧାନ ମଣ୍ଡି ଖୋଲିବା ପାଇଁ ଦାବି
ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି, ଧାନ ମଣ୍ଡି ଖୋଲିବା ପାଇଁ ଦାବି

ଚାଷୀଙ୍କ ସମସ୍ୟାକୁ ନେଇ ସୁବର୍ଣ୍ଣପୁରରେ ଗର୍ଜିଲା ବିଜେପି । ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲା ଯାଉ ନଥିବା ଅଭିଯୋଗ କରିଛନ୍ତି । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ଦଳ । ଅଧିକ ପଢନ୍ତୁ

ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି, ଧାନ ମଣ୍ଡି ଖୋଲିବା ପାଇଁ ଦାବି

ସୁବର୍ଣ୍ଣପୁର: ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି ଉପ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି । ଜିଲ୍ଲାରେ କୃଷକଙ୍କ ଉତ୍ପାଦିତ ଖରିଫ ଧାନ ସଂଗ୍ରହ ପାଇଁ ନିର୍ଦ୍ଧାରିତ ଯାଗାରେ ତୁରନ୍ତ ମଣ୍ଡି ଖୋଲିବା ପାଇଁ ଦାବି କରିଛନ୍ତି । ଏଯାଏଁ ଜିଲ୍ଲାରେ ଆଟ, ମାଳ, ବେର୍ଣା କିସମ ଜମିରେ ଧାନ ଉତ୍ପାଦନ ହୋଇ ସାରିଥିବା ବେଳେ ଚାଷୀଙ୍କ ଉତ୍ପାଦିତ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲା ଯାଉ ନଥିବା ଅଭିଯୋଗ କରିଛନ୍ତି ।

ସେହିପରି ଧାନ କ୍ରୟ ବିକ୍ରୟରେ କଟନି ଛଟନି କରୁଥିବାରୁ କ୍ୱିଣ୍ଟାଲ ପିଛା 5 ରୁ 6 କେଜି ପର୍ଯ୍ୟନ୍ତ ଚାଷୀ କ୍ଷତି ସହୁଛି । କଟନି ଛଟନି କରି ବ୍ୟାପକ ଅର୍ଥ ହରିଲୁଟ କରୁଥିବା ଅଭିଯୋଗ କରିଛନ୍ତି । ମିଲର, ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅଧିକାରୀ, ଧାନ ଦଲାଲ ଓ ବିଜେଡିର ରାଜନୈତିକ ନେତା ଏହି ବେଆଇନ କାର୍ଯ୍ୟରେ ଲିପ୍ତ ରହି ବ୍ୟପାକ ଅର୍ଥ ଆତ୍ମସାତ କରୁଛନ୍ତି । ଏପରିକି ଧାନ ବୋହିବା ମୂଲ୍ୟ ,ଅଖା ବସ୍ତା ,ସୁତୁଲି ଆଦିର ସବୁ ମୂଲ୍ୟ ଚାଷୀକୁ ନଦେଇ ବାଟମାରଣା ହେଉଛି ।ଧାନ କ୍ରୟ କେନ୍ଦ୍ର ଗୁଡିକରେ ଚାଷୀଙ୍କ ସୁବିଧା ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯାଇ ପାରି ନାହିଁ ।

ସେହିପରି ଜିଲ୍ଲାର ଅନେକ ମୌଜାରେ ଧାନ କ୍ରୟ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦେଇ ବ୍ୟାପକ ଅର୍ଥ ତୋଷାରପାତ କରୁଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଖରେ ଧାନ କ୍ରୟ ପାଇଁ ଆବଶ୍ୟକ ଭିତ୍ତିଭୂମି ନଥିଲେ ବି ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ଦାୟିତ୍ୱ ଦିଆଯାଇଛି ।ଫଳରେ ଚାଷୀ ଶୋଷଣର ଶିକାର ହେଉଛି ।ଧାନମଣ୍ଡିରେ ଅବ୍ୟବସ୍ଥା ସହ ନିର୍ଦ୍ଧାରିତ ସମୟରେ ଅର୍ଥ ପ୍ରଦାନ ପରି ୮ଦଫା ପ୍ରମୁଖ ଦାବିକୁ ନେଇ ବିଜେପି କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଜି ଉପ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ....ନାରୀ ସଶକ୍ତିକରଣର ଉତ୍କୃଷ୍ଟ ନମୁନା, ମଣ୍ଡି ପରିଚାଳନାରେ SHG ମହିଳା

ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶିବରାଜ ବେହେରା ଓ ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ବିଜେପି ଦଳ ତରଫରୁ ସୁବର୍ଣ୍ଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ଓଡିଶା ସରକାରଙ୍କ କୃଷକ ମାରଣ ନୀତି, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ନାରାବାଜି କରାଯାଇଥିଲା । ଧାନ ଉତ୍ପାଦନରେ ଶୀର୍ଷରେ ଥିବା ସୁବର୍ଣ୍ଣପୁର ଜିଲ୍ଲାରେ ଲାଗି ରହିଥିବା କୃଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ନହେଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.