ETV Bharat / state

ନାରୀ ସଶକ୍ତିକରଣର ଉତ୍କୃଷ୍ଟ ନମୁନା, ମଣ୍ଡି ପରିଚାଳନାରେ SHG ମହିଳା

author img

By ETV Bharat Odisha Team

Published : Nov 27, 2023, 8:29 PM IST

ମଣ୍ଡି ପରିଚାଳନା କରି ସ୍ବାବଲମ୍ବୀ ହେଲେ ସମ୍ବଲପୁର ଜିଲ୍ଲାର ଏକ ଏସଏଚଜି ଗ୍ରୁପ । ଯାହାଦ୍ବାରା ଏହି ମହିଳାମାନେ ନାରୀ ସଶକ୍ତିକରଣ ଉଦାହରଣ ସାଜିପାରିଛନ୍ତି । ଅଧିକ ପଢନ୍ତୁ

Rice Mandi management
Rice Mandi management

ମଣ୍ଡି ପରିଚାଳନାରେ SHG ମହିଳା

ସମ୍ବଲପୁର: ମଣ୍ଡି ପରିଚାଳନା କରି ସ୍ବାବଲମ୍ବୀ ହେଲେ ମହିଳା । କେବଳ ଏତିକି ନୁହେଁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ନୂଆ ପରିଚୟ ବି ସୃଷ୍ଟି କରିପାରିଛନ୍ତି । ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକର ଧମା ଅଞ୍ଚଳର ସାହସପୁର ଗାଁର ମା ମେଟାକାନି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏପରି କରି ଦେଖାଯାଇଛନ୍ତି । ଏମାନଙ୍କ ମଧ୍ୟରେ ପୂର୍ବରୁ ଅଧିକାଂଶ ଦିନ ମଜୁରିଆ ପରିବାରରୁ ଆସୁଥିଲେ । ତେବେ ବର୍ତ୍ତମାନ ସେମାନେ ଆର୍ଥିକ ସ୍ତରରେ ସ୍ବଚ୍ଛଳ ହୋଇ ପାରିବା ସହ ନାରୀ ସଶକ୍ତିକରଣର ଉଦାହରଣ ସାଜିଛନ୍ତି ।

ମାନେଶ୍ଵର ବ୍ଲକର ସାହସପୁର ଗାଁର ଧାନ ମଣ୍ଡି ପରିଚାଳନା କରୁଛନ୍ତି ୧୦ ଜଣ ମହିଳା । ପୂର୍ବରୁ ଏହି ମହିଳାମାନେ ଅଧିକାଂଶ ଗୃହିଣୀ ଅଥବା ଦିନ ମଜୁରିଆ ଘର ଥିଲେ । ବହୁ ସମସ୍ୟା ଭିତରେ ଆର୍ଥିକ ଅନଟନ ଭିତରେ ଏମାନେ ପରିବାର ଚଳାଉଥିଲେ । ତେବେ ବର୍ତ୍ତମାନ ଏମାନେ ଧାନ ମଣ୍ଡିରେ ଚାଷୀଙ୍କ ଧାନ ସଂଗ୍ରହ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ବର୍ତ୍ତମାନ ସେମାନଙ୍କ ହାତରେ କାଗଜ, କଲମ ଓ ଲ୍ୟାପଟପ ରହିଛି । ପ୍ରତ୍ୟେକ ବର୍ଷ ଉଭୟ ରବି ଓ ଖରିଫ ଋତୁରେ ଏମାନେ ଧାନ କିଣି ଆସୁଛନ୍ତି । ଗତ ୪ ବର୍ଷ ହେଲା ଏମାନେ ଏହି କାମ କରୁଛନ୍ତି । ସପ୍ତାହରେ ୩ ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଏହି ମହିଳାମାନେ ଧାନକ୍ରୟ କରୁଛନ୍ତି । ଏହି କାର୍ଯ୍ୟ କରି ଏବେ ସାମାଜିକ କ୍ଷେତ୍ରରେ ନିଜର ନୂତନ ପରିଚୟ ସୃଷ୍ଟି କରିବା ସହ ଆର୍ଥିକ ସ୍ତରରେ ସୁଦୃଢ ହୋଇ ପାରିଛନ୍ତି ।

ଏହା ବି ପଢନ୍ତୁ- SHG To SME, WODCର ପଦକ୍ଷେପ; ଡିସେମ୍ବରରେ ଝାରସୁଗୁଡାରେ ହେବ ଉଦ୍ୟୋଗ ଓଡିଶା 2023

ଏହି ମହିଳାମାନଙ୍କ ସଫଳତା ପଛରେ ରହିଛି କଠିନ ସଂଘର୍ଷ । ପୂର୍ବରୁ ଏହି ମହିଳାମାନେ ଅଗରବତୀ ଓ ହଳଦୀ ଗୁଣ୍ଡ ତିଆରି କରୁଥିଲେ । ତେବେ ସେଥିପାଇଁ ବଜାରର ସୁବିଧା ନଥିବାରୁ ସେଥିରେ ସେମାନେ ଅସଫଳ ହୋଇନଥିଲେ । ପରେ ୨୦୧୯ ମସିହାରେ ଏହି ମହିଳାମାନେ ସାହସପୁର ଧାନ ମଣ୍ଡିରେ ସୋସାଇଟି ଅଧୀନରେ ଧାନ କିଣିବା ଆରମ୍ଭ କରିଥିଲେ । ପ୍ରଥମେ ନିଜର ଲାଇସେନ୍ସ ନଥିବାରୁ ସୋସାଇଟି ଅଧୀନରେ ଧାନକ୍ରୟ ଆରମ୍ଭ କରିଥିଲେ । ତେବେ ପରେ ନିଜର ଲାଇସେନ୍ସ ପାଇ ନିଜର ଗୋଦାମ ଘର ଆଦି ଭିତ୍ତିଭୂମି ପ୍ରସ୍ତୁତ କରି ମଣ୍ଡିରେ ଧାନକିଣା ଆରମ୍ଭ କରିଥିଲେ । ବର୍ତ୍ତମାନ ଏମାନେ ଚାଷ ଜମି ସର୍ଭେ ଚାଷୀଙ୍କ ଡାଟା ଅପଲୋଡ, ଟୋକନ ଜେନେରେସନ ପରି ସବୁ କାମ ଏହି ମହିଳାମାନେ କରୁଛନ୍ତି ।

ସପ୍ତାହକ ଜଣ ପିଛା ୧୦୦ ଟଙ୍କା ଲେଖାଏଁ ଆଦାୟ କରି ଆରମ୍ଭ ହୋଇଥିବା ଏହି ବ୍ୟବସାୟ ବର୍ତ୍ତମାନ ଲକ୍ଷ ଲକ୍ଷ ଟଙ୍କାରେ ପହଞ୍ଚିଛି । ଗତ ବର୍ଷ ଖରିଫ ଋତୁରେ ଏହି ମହିଳାମାନେ ୩୦୫ ଜଣ ଚାଷୀଙ୍କ ପଞ୍ଜିକରଣ କରି ୨୯ ହଜାର କ୍ବିଣ୍ଟାଲ ଧାନ କିଣିଥିଲେ । ଆଉ ଚଳିତ ବର୍ଷ ୩୨୧ ଜଣ ଚାଷୀଙ୍କ ପଞ୍ଜିକରଣ କରିଛନ୍ତି । ଜଣକ ୧୦୦ ଟଙ୍କା ଲେଖାଏଁ ଆଦାୟ କରି ଆରମ୍ଭ ହୋଇଥିବା ଏହି ମହିଳାଙ୍କ ବ୍ୟବସାୟ ଲକ୍ଷାଧିକ ଟଙ୍କାରେ ପହଞ୍ଚିଛି । କେଵଳ ଏହା ନୁହେଁ ଏହି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅନ୍ୟ ମଣ୍ଡିମାନଙ୍କଠାରୁ ଭଲ ଭାବେ ମଣ୍ଡି ପରିଚାଳନା କରିପାରନ୍ତି ବୋଲି ଚାଷୀ କୁହନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.