ETV Bharat / state

ପରିବା ବଜାରରେ ଲାଗିଛି ନିଆଁ, ବିଗିଡି ଯାଇଛି ରୋଷେଇ ଘରର ବଜେଟ

author img

By

Published : Jun 30, 2023, 10:19 PM IST

ପରିବା ବଜାରରେ ଲାଗିଛି ନିଆଁ
ପରିବା ବଜାରରେ ଲାଗିଛି ନିଆଁ

ବର୍ତ୍ତମାନ ସାରା ରାଜ୍ୟରେ ପରିବା ଦର ଆକାଶ ଛୁଆଁ । ସମ୍ବଲପୁର ଜିଲ୍ଲାରେ ମଧ୍ୟ ପରିବା ବଜାରରେ ଯେମିତି ନିଆଁ ଲାଗିଛି । ଆଉ ରୋଷେଇ ଘରର ବଜେଟ ବିଗିଡି ଯାଇଛି । ରିଟେଲ ମାର୍କେଟରେ ଟମାଟୋ କିଲୋ ପିଛା ବର୍ତ୍ତମାନ ୧୦୦ରୁ ୧୨୦ରେ ବିକ୍ରି ହେଉଛି । ଅଧିକ ପଢ଼ନ୍ତୁ

ପରିବା ବଜାରରେ ଲାଗିଛି ନିଆଁ

ସମ୍ବଲପୁର: ପରିବା ବଜାରରେ ଲାଗିଛି ନିଆଁ । ପରିବା ବଜାରକୁ ଯିବା ପାଇଁ ଗ୍ରାହକ ଭୟ କରୁଛନ୍ତି । ମୁଖ୍ୟତଃ ସମ୍ବଲପୁରରେ ରିଟେଲ ମାର୍କେଟରେ ଟମାଟୋ କିଲୋ ପିଛା ବର୍ତ୍ତମାନ ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି । କେବଳ ଟମାଟୋ ନୁହେଁ, ଅନ୍ୟ ପରିବା ଦର ମଧ୍ୟ ବହୁତ ବଢ଼ି ଯାଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ପ୍ରକାର ପରିବା ଦରରେ ହଠାତ ଅହେତୁକ ବୃଦ୍ଧି ଘଟିଛି । ଆଉ ବିଗିଡି ଯାଇଛି ଗୃହିଣୀଙ୍କ ରୋଷେଇ ଘରର ବଜେଟ । ସାଧାରଣ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଗ୍ରାହକ ଏବେ ପରିବା ବଜାରକୁ ଯିବା ପାଇଁ ଭୟ କରୁଛନ୍ତି ।

ସମ୍ବଲପୁର ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ହୋଇଥିବା ବେଳେ ଏହି ସହରର RMC ପରିବା ମଣ୍ଡି ଉପରେ ଜିଲ୍ଲା ତଥା ଜିଲ୍ଲା ବାହାରର ଖୁଚୁରା ବ୍ୟବସାୟୀ ନିର୍ଭର କରନ୍ତି । ଏଠାକୁ ସ୍ଥାନୀୟ ଚାଷୀଙ୍କ ସହ ଦେଶର ବିଭିନ୍ନ ରାଜ୍ୟରୁ ପରିବା ଆସିଥାଏ । ବର୍ତ୍ତମାନ ଏହି ମାର୍କେଟର ହୋଲସେଲ ରେଟ ଉପରେ ନଜର ପକାଇଲେ ପରିବା କିଣିବାକୁ ଡର ଲାଗୁଛି । ଏଠାରେ ଟମାଟୋ କିଲୋ ପ୍ରତି ୮୦ ଟଙ୍କା, ବନ୍ଧା କୋବି ୨୦ ଟଙ୍କା, ଗାଜର ୨୦ ଟଙ୍କା, ସଜନା ଛୁଇଁ ୫୦ ଟଙ୍କା, ବିଟ ୨୫ ଟଙ୍କା, କାକୁଡି ୨୫ ଟଙ୍କା, ଭେଣ୍ଡି ୩୫ ଟଙ୍କା ଓ ପୋଟଳ ୪୫ ଟଙ୍କା ରହିଛି । ଅନ୍ୟପଟେ ରିଟେଲ ମାର୍କେଟରେ ଟମାଟୋ କିଲୋ ପ୍ରତି ୧୦୦ରୁ ୧୨୦ ଟଙ୍କା, ବାଇଗଣ ୫୦ ଟଙ୍କା, ପୋଟଳ ୫୦ ଟଙ୍କା, ଗୁଆଁର ୮୦ ଟଙ୍କା, ଭେଣ୍ଡି ୬୦ ଟଙ୍କା, ଝୁଡ଼ଙ୍ଗ ୧୦୦ ଟଙ୍କା, ସଜନା ଛୁଇଁ ୬୦ ଟଙ୍କା, ବନ୍ଧା କୋବି ୩୦ ଟଙ୍କା, ଫୁଲ କୋବି ୮୦ ଟଙ୍କା, ଲାଉ ୩୦ ଟଙ୍କା ଓ କୁନ୍ଦୁରି ୪୦ ଟଙ୍କା ପ୍ରତି କିଲୋ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ପକେଟ୍‌ ଜାଳୁଛି ଟମାଟୋ, ଇସ୍ପାତ ସହରରେ ଦର ସେଞ୍ଚୁରି ପାର୍‌

ସ୍ଥାନୀୟ ହୋଲସେଲ୍‌ ବ୍ୟବସାୟୀଙ୍କ ମତରେ ବର୍ତ୍ତମାନ ଉଭୟ ସ୍ଥାନୀୟ ଓ ରାଜ୍ୟ ବାହାରେ ପରିବା ଉତ୍ପାଦନ ବହୁତ ହ୍ରାସ ପାଇଛି । ଆଉ ବର୍ଷା ଆସିବାରେ ବିଳମ୍ବ ହୋଇଥିବାରୁ ଉତ୍ପାଦନ କମିଛି । ୪ ମାସ ପୂର୍ବେ ବାଇଗଣ, ଟମାଟୋ, ବନ୍ଧା କୋବି ପରି ପ୍ରମୁଖ ପରିବା କିଲୋ ପିଛା ୧୦ ଟଙ୍କାରେ ବିକ୍ରି ହେଉଥିଲା । ଫଳରେ ଚାଷୀଙ୍କର ବହୁତ କ୍ଷତି ହେବାରୁ ଚାଷୀମାନେ ନିଜ ଚାଷ ଜମିରେ ସାର ଓ କୀଟନାଶକ ମଧ୍ୟ ବ୍ୟବହାର କରି ପାରିଲେ ନାହିଁ । ଏହିଭଳି ସ୍ଥିତିରେ ଉତ୍ପାଦନ ବହୁତ ହ୍ରାସ ପାଇବାରୁ ଏହିଭଳି ସଙ୍କଟ ସୃଷ୍ଟି ହୋଇଥିବା ହୋଲସେଲ୍‌ ବ୍ୟବସାୟୀ କହିଛନ୍ତି । ତେବେ ବର୍ଷା ଠିକ ଭାବେ ହେଲେ ସ୍ଥିତି ସ୍ବାଭାବିକ ହେବାକୁ ୧୫ ଦିନ ଲାଗିବ, ଆଉ ବର୍ଷାରେ ବିଳମ୍ବ ହେଲେ ସ୍ଥିତି ସ୍ବାଭାବିକ ହେବାକୁ ଗୋଟିଏ ମାସ ଯାଏଁ ଲାଗିପାରେ ବୋଲି ବ୍ୟବସାୟୀ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ସମ୍ବଲପୁର ମାର୍କେଟକୁ ତାମିଲନାଡୁରୁ ଟମାଟୋ ଓ ସଜନା ଛୁଇଁ, ଛତିଶଗଡରୁ କାକୁଡି, ଲାଉ, କଞ୍ଚା ଅମୃତଭଣ୍ଡା, ଝାରଖଣ୍ଡରୁ ଫୁଲକୋବି, କଞ୍ଚା ଲଙ୍କା, ପଶ୍ଚିମବଙ୍ଗରୁ ପୋଟଳ, କୁନ୍ଦୁରି, କାଙ୍କଡ଼ ପରି ପରିବା ଆମଦାନୀ ହୋଇଥାଏ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.