ETV Bharat / state

ଚୋରା ଗଞ୍ଜେଇର ମୁଖ୍ୟ ରୁଟ୍ ପାଲଟିଛି ସମ୍ବଲପୁର !

author img

By

Published : Feb 22, 2023, 10:21 PM IST

ସମ୍ବଲପୁରର ଭିନ୍ନ ଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ ମାଡ଼ିବସିଲା ଅବକାରୀ ବିଭାଗ । ଅଧିକ ପଢ଼ନ୍ତୁ

ସମ୍ବଲପୁରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ
cannabis smuggling in sambalpur

ସମ୍ବଲପୁରର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ସମ୍ବଲପୁର: ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣର ରୁଟ ପାଲଟିଛି ସମ୍ବଲପୁର ! ଲଗାତାର ଭାବେ ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇ ଜବତ ହେଉଛି ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ l ଏଥିରେ ସମ୍ପୃକ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଚାଲାଣକାରୀ ଗିରଫ ମଧ୍ୟ ହେଉଛନ୍ତି । ହେଲେ ଥମୁନି ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ । ସବୁଠାରୁ ବଡ଼ କଥା ହେଲା କେଉଁଠୁ ଆସୁଛି କୋଟି କୋଟି ଟଙ୍କାର ଗଞ୍ଜେଇ । କେଉଁ ସ୍ଥାନରେ ହେଉଛି ଗଞ୍ଜେଇ ଚାଷ, ତାର ଟେର ପାଉନି ଅବକାରୀ ବିଭାଗ ।

ସମ୍ବଲପୁର ଅବକାରୀ ଗୋଇନ୍ଦା ବିଭାଗ ଓ ସମ୍ବଲପୁର ଅବକାରୀ ମୋବାଇଲ ପାଟ୍ରୋଲିଂ ୟୁନିଟ ପକ୍ଷରୁ ବାରମ୍ଭାର ଗଞ୍ଜେଇ ଜବତ ହେଉଥିବା ବେଳେ ଆଜି ପୁଣି 2 କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏମାନଙ୍କ ଠାରୁ ପ୍ରାୟ 2 କ୍ୱିଣ୍ଟାଲ ଗଞ୍ଜେଇ ସହ 3 ଟି କାର ଜବତ ହୋଇଛି l ଏହି ଗଞ୍ଜେଇ ବୌଦ୍ଧ ଜିଲ୍ଲାରୁ ସମ୍ବଲପୁର ଦେଇ ମଧ୍ୟପ୍ରଦେଶ, ଝାରଖଣ୍ଡ ଓ ବିହାରକୁ ଚୋରା ଚାଲାଣ ହେଉଥିଲା l ଜବତ ଗଞ୍ଜେଇର ମୂଲ୍ୟ 27 ଲକ୍ଷ ହୋଇଥିବା ବେଳେ କାର ସହ ଏହାର ମୂଲ୍ୟ 65 ଲକ୍ଷ ବୋଲି ସୂଚନା ଦିଆଯାଇଛି l

ମଙ୍ଗଳବାର ବିଶିଷ୍ଟ ସୂତ୍ରରୁ ଖବର ପାଇ ମୋବାଇଲ ପାଟ୍ରୋଲିଂ ୟୁନିଟର ଇନ୍ସପେକ୍ଟର ଶଶୀକାନ୍ତ ଦତ୍ତଙ୍କ ନେତୃତ୍ୱରେ 3 ଟିମ ଗଠନ ହୋଇଥିଲା l ସୁପରିଟେଣ୍ଟେଣ୍ଟ ଅଶୋକ ସେଠଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସିନ୍ଦୁରପଙ୍କ, ଭାଲୁପାଲି ଓ ରେଙ୍ଗାଲି ଠାରେ 3ଟି ଟିମ ଛକି ବସିଥିଲେ l ଏହି ଟିମ 3ଟି ଯାକ ସ୍ଥାନରୁ 3ଟି କାର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା l ସିନ୍ଦୁରପଙ୍କ ଛକ ଠାରେ ଫରଚୁନାର କାର ସହ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏଥିରେ 4 ଜଣ ଗିରଫ ହୋଇଛନ୍ତି l ଅନ୍ୟପଟେ ଭାଲୁପାଲି ଛକରୁ ଏକ ମାରୁତି ଏରଟିଗା କାର ସହ 95 କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ 4 ଜଣ ଗିରଫ ହୋଇଛନ୍ତି l ସେହିପରି ରେଙ୍ଗାଲି ଅଞ୍ଚଳରୁ ଏକ ଟାଟା ଟିଆଗୋ କାରରୁ 22 କେଜି ଗଞ୍ଜେଇ ସହ 3 ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ l ଗାଡି ଭିତରେ ସିକ୍ରେଟ ଚାମ୍ବର କରାଯାଇ ଗଞ୍ଜେଇ ସବୁ ସମ୍ବଲପୁର ଦେଇ ଚୋରା ଚାଲାଣ ହେଉଥିଲା l ତେବେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ବୌଦ୍ଧ ଜିଲ୍ଲା କଣ୍ଟାମାଲ ଓ ଫୁଲବାଣୀର ବାଲିଗୁଡା ଓ ଫିରିଙ୍ଗିଆର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଛି l କିଛି ଲୋକ ଏହାକୁ କୌଳିକ ବୃତ୍ତି ଭାବେ ଗ୍ରହଣ କରିଛନ୍ତି । ଯେଉଁମାନଙ୍କ ପାଖକୁ ପ୍ରଶାସନ ପହଞ୍ଚି ପାରୁନି l ତେବେ ସବୁଠାରୁ ବଡ଼ କଥା ହେଲା ଏହି ଲୋକମାନେ ଅନ୍ୟ କିଛି ଲୋକଙ୍କ ଇସାରାରେ ଚାଷ କରନ୍ତି ଓ ଭିନ୍ନ ଏକ ଗୋଷ୍ଠୀ ଏହାର ମାର୍କେଟିଙ୍ଗ କାର୍ଯ୍ୟ କରନ୍ତି l ମୁଖ୍ୟତଃ ରାଜ୍ୟ ବାହାରର ମାଫିଆ ଏଥିରେ ସମ୍ପୃକ୍ତି ଥିବାର ସନ୍ଦେହ କରାଯାଉଛି l

ସମ୍ବଲପୁର ମୋବାଇଲ ପାଟ୍ରୋଲିଂ ୟୁନିଟର ଇନ୍ସପେକ୍ଟର ଶଶୀକାନ୍ତ ଦତ୍ତଙ୍କ ନେତୃତ୍ୱରେ ଗତ ଦେଢ ମାସ ଭିତରେ 16 ଟି କାର, 15ଟି ବାଇକ ସହ 1 କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି l ଅନ୍ୟପଟେ ସମ୍ବଲପୁର ଅବକାରୀ ଗୋଇନ୍ଦା ବିଭାଗ ଦ୍ୱାରା ଗତ ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ 15 କ୍ୱିଣ୍ଟାଲ ଗଞ୍ଜେଇ ଓ 23ଟି କାର ଜବତ କରିବା ସହ 35 ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.