ETV Bharat / state

କେତେ ସୁରକ୍ଷିତ ହାତୀ: ତ୍ରୁଟିପୂର୍ଣ୍ଣ ବନ୍ୟ ପରିଚାଳନା ନା ସଚେତନତାର ଅଭାବ

author img

By

Published : Feb 13, 2021, 9:21 PM IST

ହାତୀ-ମଣିଷର ଲଢେଇରେ ଅକାଳରେ ଝଡି ଯାଉଛି ଗଜରାଜଙ୍କ ଜୀବନ । ଯାହାର ପ୍ରଭାବ ପଡିଛି ସମ୍ବଲପୁର ଜିଲ୍ଲାରେ । ଧିରେ ଧିରେ ଜିଲ୍ଲାରେ ବଢିବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ...

ତ୍ରୁଟିପୂର୍ଣ୍ଣ ବନ୍ୟ ପରିଚାଳନା ନା ସଚେତନତାର ଅଭାଵ ? ସଂକଟରେ ଗଜରାଜ
ତ୍ରୁଟିପୂର୍ଣ୍ଣ ବନ୍ୟ ପରିଚାଳନା ନା ସଚେତନତାର ଅଭାଵ ? ସଂକଟରେ ଗଜରାଜ

ସମ୍ବଲପୁର: ବିପଦରେ ଗଜରାଜ । ଶିକାରୀଙ୍କ ମାୟା ଜାଲରେ ମୁକୁଳି ପାରୁନି ନିରୀହ ହାତୀ । ହାତୀ-ମଣିଷର ଲଢେଇରେ ଅକାଳରେ ଝଡି ଯାଉଛି ଗଜରାଜଙ୍କ ଜୀବନ । ଯାହାର ପ୍ରଭାବ ପଡିଛି ସମ୍ବଲପୁର ଜିଲ୍ଲାରେ । ଧିରେ ଧିରେ ଜିଲ୍ଲାରେ ବଢିବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟା । ତେବେ ଜିଲ୍ଲାରେ ରହିଛି 3 ଟି ଫରେଷ୍ଟ ଡିଭିଜନ। ଆଉ ଏହି 3ଟି ଫରେଷ୍ଟ ଡିଭିଜନରେ ଅଛନ୍ତି ବହୁ ସଂଖ୍ୟାରେ ହାତୀ । ତେବେ ବିଗତ 2 ଦଶନ୍ଧି ହେଲା ଏଠାରେ ହାତୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। କେତେବେଳେ ଦାନ୍ତ ପାଇଁ ଶିକାରୀଙ୍କ ଗୁଳିରେ ହାତୀର ଜୀବନ ଯାଉଛି ତ, କେତେବେଳେ ବିଦ୍ୟୁତ ଆଘାତ, ଆଉ କେତେବେଳେ ଟ୍ରେନ ଧକ୍କା। ଏହାସହ ବନ ବିଭାଗର ତ୍ରୁଟିପୂର୍ଣ୍ଣ ବନ୍ୟ ପରିଚାଳନା ଯୋଗୁଁ ହାତୀମାନେ ବସତି ମୁହାଁ ହୋଇ ଲୋକଙ୍କ ଧନ ଜୀବନ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ଏନେଇ ଆତଙ୍କିତ ସମ୍ବଲପୁର ହାତୀ ପ୍ରବଣ ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀ ।

ତ୍ରୁଟିପୂର୍ଣ୍ଣ ବନ୍ୟ ପରିଚାଳନା ନା ସଚେତନତାର ଅଭାଵ ? ସଂକଟରେ ଗଜରାଜ
ସରକାରୀ ସ୍ତରରେ ମିଳିଥିବା ସୂଚନା ଅନୁସାର ସମ୍ବଲପୁର ବନଖଣ୍ଡରେ 2001ରୁ ବର୍ତ୍ତମାନ ସୁଦ୍ଧା 27ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏଥିରୁ ଟ୍ରେନ ଧକ୍କାରେ 2ଟି ହାତୀ ,ବିଦ୍ୟୁତ ଆଘାତରେ 11 , ହାତୀ ଶିକାର ଦ୍ବାରା 3ଟି ଓ ଅନ୍ୟାନ୍ୟ କାରଣ ପାଇଁ 11ଟି ହାତୀର ଜୀବନ ଯାଇଛି । ଅନ୍ୟ ପଟେ ସମ୍ବଲପୁର ଜିଲ୍ଲାର ବାମରା ଡିଭିଜନରେ 2001ରୁ ଆଜି ସୁଦ୍ଧା 30ଟି ହାତୀର ଜୀବନ ଯାଇଛି। ଏଥିରୁ 6ଟି ବିଦ୍ୟୁତ ଆଘାତ ଦ୍ବାରା, 3ଟି ହାତୀ ଶିକାରୀଙ୍କ ଗୁଳିରେ ଏବଂ ଅନ୍ୟାନ୍ୟ କାରଣ ପାଇଁ 21 ଟି ହାତୀର ଜୀବନ ଯାଇଛି। ସେହିପରି ରେଢ଼ାଖୋଲ ଡିଭିଜନରେ 2002 ରୁ ଆଜି ପର୍ଯ୍ୟନ୍ତ 20 ଟି ହାତୀର ଜୀବନ ଯାଇଛି। ଏଥିରୁ 2 ଟି ହାତୀର ଜୀବନ ହାତୀ ଶିକାରୀଙ୍କ ଗୁଳିରେ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ 3ଟି ଓ ଅନ୍ୟାନ୍ୟ କାରଣ ପାଇଁ 15 ଟି ହାତୀର ଜୀବନ ଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହି ସମସ୍ୟାର ସମାଧାନ ପାଇଁ ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ସରକାରଙ୍କୁ ନିବେଦନ କରିଥିବା ସୂଚନା ଦେଇଛନ୍ତି। ଅନ୍ୟପଟେ ରାଜ୍ୟ ସରକାରର ପୂର୍ବତନ ପୂର୍ତ୍ତ ସଚିବ ତଥା ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ନଳିନୀ କାନ୍ତ ପ୍ରଧାନ ମଧ୍ୟ ହାତୀ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।ହାତୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା ରହିଛି । ତଥାପି ସଚେତନତା ଅଭାବରୁ ଅକାଳରେ ଲିଭି ଯାଉଛି ଅନେକ ହାତୀଙ୍କ ଜୀବନ । ଉଭୟ ହାତୀ ଓ ମଣିଷର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କେତେକ ସ୍ଥାନରେ ସୋଲାର ଫେନ୍ସିଂ ଓ ଟ୍ରେଞ୍ଜର ବ୍ୟବସ୍ଥା ଜାରି ରହିଛି । ତେବେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସହ ବିଦ୍ୟୁତ ବିଭାଗ ଓ ରେଳ ବିଭାଗ ସହ ସମନ୍ବୟ ରକ୍ଷା କଲେ ହାତୀ ଜୀବନକୁ ଅଧିକ ସୁରକ୍ଷା ମିଳିବ ବୋଲି ପରିବେଷବିତ ମତ ପ୍ରକାଶ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.