ETV Bharat / state

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ସ୍ଥାନରୁ ମାଟି ସଂଗ୍ରହ କଲେ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Oct 24, 2023, 8:49 AM IST

ସମ୍ବଲପୁରରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ । ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ସ୍ଥାନରୁ ମାଟି ସଂଗ୍ରହଣ କଲେ ଧର୍ମେନ୍ଦ୍ର ପ୍ରଧାନ। ଅଧିକ ପଢନ୍ତୁ

mo mati mo desha campaign
mo mati mo desha campaign

mo mati mo desha campaign

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଆରମ୍ଭ ହୋଇଛି 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ । ପ୍ରତ୍ୟେକ ପରିବାର ତଥା ପ୍ରତି ଲୋକଙ୍କୁ ରାଷ୍ଟ୍ର ଭାବ ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏହି ଅବସରରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସି ରେଙ୍ଗାଲି ବ୍ଲକ ଖିଣ୍ଡା ଗାଁରେ ଆୟୋଜିତ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠରେ ପହଞ୍ଚି ଜନ୍ମସ୍ଥାନର ଅବହେଳିତ ଅବସ୍ଥା ଦେଖି କ୍ଷୋଭ ପ୍ରକାଶ କରିଥଲେ କେନ୍ଦ୍ରମନ୍ତ୍ରୀ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସ୍ୱତନ୍ତ୍ରତାର 75 ବର୍ଷ ପୁରିବା ପରେ ବିଗତ 2 ବର୍ଷ ହେଲା ଦେଶରେ ଅମୃତ ମହୋତ୍ସବ ଚାଲିଛି । ଆଗାମୀ ଅକ୍ଟୋବର 31ରେ ଏହାର ସମାପନ ହେବ । ସମାପନ ଉତ୍ସବ ଅବସରରେ ଦେଶର ସବୁ ଗାଁରୁ ମାଟି ସଂଗ୍ରହ କରିବା ପାଇଁ ପରିକଳ୍ପନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଶେଷ କରି ଦେଶର ସବୁ ମହାପୁରୁଷ ମାନଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ କରିବା ପାଇଁ ଆହ୍ଵାନ କରିଛନ୍ତି ମୋଦି । ମାଟି ସଂଗ୍ରହ କରି ରାଜଧାନୀ ଦିଲ୍ଲୀ ସ୍ଥିତ କର୍ତ୍ତବ୍ୟ ପଥରେ ସ୍ଥାପିତ କରାଯିବ । ଦେଶ କୃତଜ୍ଞ ଭାବ ସହ ସବୁ ମହାପୁରୁଷମାନଙ୍କୁ ମନେ ପକାଉଛି । ଏହି ପରିପ୍ରେକ୍ଷୀରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡାରୁ ମାଟି ସଂଗ୍ରହ କରାଯାଇଛି । ନେହେରୁ ଯୁବ ସଙ୍ଗଠନକୁ ଏ ମାଟିକୁ ଦିଲ୍ଲୀ ପହଞ୍ଚାଇବା ପାଇଁ ଦାୟିତ୍ଵ ଦିଆଯାଉଛି । 314 ବ୍ଲକ୍‌ ଏବଂ 100ରୁ ଉର୍ଦ୍ଧ୍ବ ପୌରପାଳିକାରେ ପ୍ରତି ୱାର୍ଡ ଏବଂ ଗାଁ ସହ ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ କରାଯାଇଛି । ଆଗାମୀ 27 ଏବଂ 28 ତାରିଖରେ ଦିଲ୍ଲୀ ଯିବ ସଂଗୃହିତ ସମସ୍ତ ମାଟି ବୋଲି ନିଜ ଅଭିଭାଷଣ ରେ କହିଛନ୍ତି ଧର୍ମେନ୍ଦ୍ର l

ଏହା ମଧ୍ୟ ପଢନ୍ତୁ-Dharmendra Pradhan Visits Sambalpur: ଏକାଧିକ କାର୍ଯ୍ୟକ୍ରମରେ ସାମିଲ, ଚାଲିଛି କ୍ଷେତ୍ର ପ୍ରସ୍ତୁତି !

ସେହିପରି ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନକୁ ନେଇ କେନ୍ଦ୍ରମନ୍ତ୍ରୀ କହିଥିଲେ,"ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଯେଉଁ ସ୍ତରକୁ ଯିବା କଥା ଯାଇପାରିନାହିଁ । ଯେଉଁ ଦେଶ ବା ଘର ତାହାର ପୂର୍ବଜ ମାନଙ୍କୁ ମନେ ପକାଇବ ନାହିଁ ତାକୁ ଭଲ ଘର କୁହାଯାଇ ପାରିବ ନାହିଁ । ସେଥିପାଇଁ ପ୍ରଧାନମନ୍ତ୍ରୀ ସବୁ ମହାପୁରୁଷ ମାନଙ୍କୁ ମାନେ ପକାଉଛନ୍ତି । ଏହାସହ ଏ ବୀର ମାଟି ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ଅଛି । ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ତଥା ପବିତ୍ର ପୀଠର ବିକାଶ କରିବାକୁ ପଡ଼ିବ । ଏହାକୁ ଏକ ଦର୍ଶନୀୟ, ଆକର୍ଷଣୀୟ, ପ୍ରେରଣାର ସ୍ଥଳରେ ପରିଣତ କରାଯିବ । ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ବଡ ଲଢେଇ କରିଥିଲେ । ଲମ୍ବା ସମୟ ଜେଲରେ ରହିବା ସହ ଜୀବନରେ ଅନେକ ବ୍ୟକ୍ତିଗତ କଷ୍ଟ ଉଠାଇଛନ୍ତି । ସମାଜ, ଦେଶ, ଜାତି ପାଇଁ ତ୍ୟାଗ କରିଥିଲେ ବୀର ସୁରେନ୍ଦ୍ର ସାଏ । ତାଙ୍କ ଜନ୍ମସ୍ଥାନ ଏ ପ୍ରକାର ଅବସ୍ଥାରେ ରହିବା ଉଚିତ୍ ନୁହେଁ । ଗୁଣ୍ଡୁଚି ମୂଷା ଭାବେ ଏ ମହାଯଜ୍ଞ ଏବଂ ମହା ଅନୁଷ୍ଠାନ ପାଇଁ ମୋର ବି କିଛି ଦାୟିତ୍ଵ ଅଛି ।"

ସେହିପରି ରେଙ୍ଗାଲି ବ୍ଲକ ସହ ଜଡ଼ିତ ଅନୁଭୂତି ମନେ ପକାଇଥିଲେ କେନ୍ଦ୍ରମନ୍ତ୍ରୀ । ବିସ୍ଥାପିତ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ସମ୍ବେଦନହୀନ ମନୋଭାବକୁ କଡ଼ା ସମାଲୋଚନା କରିଥିଲେ ଧର୍ମେନ୍ଦ୍ର । ଏ ଅଞ୍ଚଳର ଲୋକମାନେ ଥରେ ହୀରାକୁଦ ଡ୍ୟାମ ପାଇଁ ବିସ୍ଥାପିତ ହୋଇଥିଲେ । ଆଉ ଥରେ କଳକାରଖାନା ପାଇଁ ଲୋକଙ୍କୁ ବିସ୍ଥାପିତ ହେବା ପାଇଁ ପଡ଼ୁଛି । ଦୁଇରୁ ତିନି ଥର ବିସ୍ଥାପିତ ହେବାର ଉଦାହରଣ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଅଞ୍ଚଳ ଲୋକଙ୍କର ଭାଗ୍ୟରେ ଅଛି । ବ୍ୟବସ୍ଥା ଯେତିକି ମାତ୍ରାରେ ସମ୍ବେଦନଶୀଳ ଭାବେ ଏମାନଙ୍କ ସହ କାମ କରିବା କଥା, ଦୁର୍ଭାଗ୍ୟବଶତଃ ସେ କାମ ହୋଇପାରୁନାହିଁ ବୋଲି କହିଥିଲେ ଧର୍ମେନ୍ଦ୍ର ।

ଝାରସୁଗୁଡ଼ା ବ୍ଲକର ପତ୍ରାପାଲି ଏବଂ ମଲଦା ପଞ୍ଚାୟତର ଲୋକମାନେ ହୀରାକୁଦ ପାଇଁ ବିସ୍ଥାପିତ ହୋଇଥିଲେ । ପରେ ସେଠାରେ କୋଇଲା କମ୍ପାନୀ ଅଧିଗ୍ରହଣ କଲା । ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥ ଆସି ଫେରିଯାଉଛି । କିନ୍ତୁ ପ୍ରଶାସନ କହୁଛି ଲୋକ ମାନେ ଭୁଲ କରିଛନ୍ତି । ପ୍ରଶାସନ କହିବା କଥା ଲୋକମାନଙ୍କ ଭୁଲ ସେମାନେ ଦରିଦ୍ର ହେଲେ । ସେଥିପାଇଁ ସରକାର ଚଳାଉଥିବା ଲୋକମାନେ ଅବିବେକି ଭାବେ ଲୋକଙ୍କ ସ୍ବାର୍ଥ ଏବଂ ହିତକୁ ଧ୍ୟାନ ନଦେଇ ଏ ପ୍ରକାର ଦାୟିତ୍ବହୀନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ ।

ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକ ପରିବାରରୁ ମାଟି ସଂଗ୍ରହ ପାଇଁ ସରକାରଙ୍କ ତରଫରୁ ପ୍ରୟାସ କରାଯାଉଛି । ତେବେ ଏନେଇ ନବରଙ୍ଗପୁର ବିଧାନସଭା ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକ ଦହଣା ସଦର ଗ୍ରାମର ବାଲୁଙ୍କେଶ୍ୱର ଶିବ ମନ୍ଦିରଠାରେ ପୂଜାର୍ଚ୍ଚନା କରି ମନ୍ଦିରରୁ ଅମୃତ କଳସରେ ମାଟି ଧରି ଗ୍ରାମ ପରିକ୍ରମା କରାଯାଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.