ETV Bharat / state

ଜୟନାରାୟଣଙ୍କୁ ଧକ୍କା ମାରିବା ଘଟଣା, ଅଭିଯୋଗ ଭିତ୍ତିହୀନ କହିଲେ ମହିଳା ଥାନା ଅଧିକାରୀ

author img

By

Published : Feb 15, 2023, 4:33 PM IST

Updated : Feb 15, 2023, 5:33 PM IST

bjp protest in sambalpur
bjp protest in sambalpur

ସମ୍ବଲପୁରରେ ବିଜେପିର ବିକ୍ଷୋଭ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି । ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଜଣେ ପୋଲିସ ଅଧିକାରୀ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଜୟନାରାୟଣଙ୍କୁ ଧକ୍କା ମାରିବା ଘଟଣା

ସମ୍ବଲପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ନେଇ ଆଜି ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ଏହି ସମୟରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଜଣେ ପୋଲିସ ଅଧିକାରୀ ଜୟନାରାୟଣଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ସେ ଧନୁପାଲି ପୋଲିସ ଷ୍ଟୋସନ୍ ଆଇଆଇସି ବୋଲି ଜଣାପଡିଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ଏହି ଆନ୍ଦୋଳନରେ ସମ୍ବଲପୁର ବିଧାୟକ ତଥା ବରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ । ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ତେବେ ଏହି ସମୟରେ ଜୟ ନାରାୟଣଙ୍କୁ ମଧ୍ୟ ଧକ୍କା ଦେଇଥିବା ସେ ନିଜେ ଅଭିଯୋଗ କରିଛନ୍ତି । ଏପରିକି ସମ୍ବଲପୁରର ଜଣେ ନିର୍ଦ୍ଧିଷ୍ଟ ପୋଲିସ ଅଧିକାରୀ ତାଙ୍କୁ ଠେଲି ଥିବାର ସେ ଅଭିଯୋଗ ଆଣିଛନ୍ତି । ତେବେ ଏନେଇ ଅତିରିକ୍ତ ଏସପିଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ l

ଏହା ମଧ୍ୟ ପଢ଼ନ୍ତୁ: Senior Officers Conference: କୋଣାର୍କ ଇକୋ ରିଟ୍ରିଟରେ ଚାଲିଛି ଆଇଏଏସ ସମ୍ମିଳନୀ

ଏନେଇ ଜୟନାରାୟଣ କହିଛନ୍ତି, "ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଜଣେ ବିରୋଧି ଦଳ ନେତାଙ୍କୁ ପୋଲିସ ଧକ୍କା ମାରୁଛି । ପୋଲିସ ମୋତେ ଧକ୍କା ମାରିଥିବା ଭିଡ଼ିଓରେ ରେକର୍ଡ ହୋଇଛି । ପୋଲିସ ଦଳୀୟ କର୍ମଚାରୀ ଭାବେ କାମ କରୁଛି ।" ସୂଚନାଯୋଗ୍ୟ ଯେ, ଆଜି ଦିନ 11 ଟା ସମୟରେ ଆଶାପାଲି ଅଞ୍ଚଳରୁ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ମୁଖ୍ୟ ରାସ୍ତା ଦେଇ ଜିଲ୍ଲାପାଳ ସମ୍ମୁଖ ପାଖକୁ ଆସିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ୨୧ରୁ ବିଧାନସଭା ବଜେଟ ଅଧିବେଶନ: ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ସେଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା ଆୟୋଜନ କରିଥିଲେ l ଏହି ସଭାରେ ବରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ, ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ପ୍ରମୁଖଙ୍କ ସହ ଶତାଧିକ ବିଜେପି କର୍ମୀମାନେ ଯୋଗ ଦେଇଥିଲେ l ଏହାପରେ ଆନ୍ଦୋଳନ ସମୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ମିଳିଥିବା ଭିଡ଼ିଓ ଆଧାରରେ ଜଣେ ମହିଳା ପୋଲିସ ଅଧିକାରୀ ଓ ବିରୋଧି ଦଳ ନେତା ପରସ୍ପର ମଧ୍ୟରେ ଠେଲା ପେଲା ହୋଇଥିବାର ସ୍ପଷ୍ଟ ଜଣାପଡୁଛି ।

ଅନ୍ୟପଟେ ଏହି ଘଟଣା ନେଇ ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନ ଓ ଟାଉନ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କ ସହ ଆଲୋଚନା କରିଛନ୍ତି l ଧନୁପାଲି ଥାନା ଅଧିକାରୀ ଏହି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ସୂଚନା ଦେଇଛନ୍ତି ଯେ, " ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଡ୍ୟୁଟି କରୁଥିବା ବେଳେ ଅଚାନକ ପୋଲିସ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଠେଲା ପେଲା ଆରମ୍ଭ ହୋଇଥିଲା l ଏହି ସମୟରେ ବିରୋଧୀ ଦଳର ନେତା ଅଚାନକ ତାଙ୍କ ସମ୍ମୁଖକୁ ଆସିଥିଲେ ଓ ପ୍ରଥମେ ତାଙ୍କ ପରିଚୟ ପଚାରିଥିଲେ l ନିଜର ପରିଚୟ ଦେଲା ପରେ ଅଚାନକ ଜୟ ନାରାୟଣ ମିଶ୍ର ତାଙ୍କୁ ବିଭିନ୍ନ କଥା କହିବା ସହ ତାଙ୍କ ଗାଲରେ ଚାପୁଡ଼ା ମାରିବା ପରି ହାତ ଲଗାଇ ଥିଲେ l ମୋତେ ବ୍ୟକ୍ତିଗତ ଭାବେ ଆକ୍ଷେପ କରିଥିଲେ । " ତେବେ ଏନେଇ ସେ ଏତଲା ଦେବେ ବୋଲି କହିଛନ୍ତି l ଅନ୍ୟପଟେ ସମ୍ପୂର୍ଣ୍ଣ ଘଟଣା କଣ ରହିଥିଲା ସେନେଇ ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କୁ ଏକ ରିପୋର୍ଟ ମାଗଆଯାଇଛି ବୋଲି ସମ୍ବଲପୁର ଏସପି ବତୁଳା ଗଙ୍ଗାଧର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

Last Updated :Feb 15, 2023, 5:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.