ETV Bharat / state

ମିଶନ ଶକ୍ତି କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି, ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଲା ଆପ୍

author img

By

Published : Mar 1, 2023, 11:02 AM IST

ସମ୍ବଲପୁର ଜିଲ୍ଲାପାଳ ଅଫିସ ଆଗରେ ଆପ୍ ଧାରଣା
ସମ୍ବଲପୁର ଜିଲ୍ଲାପାଳ ଅଫିସ ଆଗରେ ଆପ୍ ଧାରଣା

ମିଶନ ଶକ୍ତି ସପୋର୍ଟ ଷ୍ଟାଫମାନଙ୍କୁ ନିୟମିତ କରିବା ସହ ଦରମା ବୃଦ୍ଧି ଦାବିରେ ସମ୍ବଲପୁରରେ ଧାରଣା ପ୍ରଦର୍ଶନ କଲା ଆପ୍ । ଅଦିକ ପଢନ୍ତୁ

ସମ୍ବଲପୁର ଜିଲ୍ଲାପାଳ ଅଫିସ ଆଗରେ ଆପ୍ ଧାରଣା

ସମ୍ବଲପୁର: ମିଶନ ଶକ୍ତି ଅଧିନରେ କାର୍ଯ୍ୟ କରୁଥିବା ବିଭିନ୍ନ ସପୋର୍ଟ ଷ୍ଟାଫମାନଙ୍କ ଚାକିରିକୁ ନିୟମିତ କରିବା ଏବଂ ଦରମା ବୃଦ୍ଧି ଦାବିରେ ଆମ ଆଦମୀ ପାର୍ଟି ମଙ୍ଗଳବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛି । ଆପ୍ ଅଭିଯୋଗ କରିଛି ଯେ, ମିଶନ ଶକ୍ତିରେ କାର୍ଯ୍ୟରତ ମହିଳାମାନଙ୍କୁ ଅତି କମ୍ ଦରମା ଦିଆଯାଉଥିବା ବେଳେ ଏକାଧିକ କଠିନ କାର୍ଯ୍ୟଭାର ଦିଆଯାଉଛି । ଏହିଭଳି ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର ଯଥାଶୀଘ୍ର ପଦକ୍ଷେପ ନନେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସମ୍ବଲପୁର ଆମ ଆଦମୀ ପାର୍ଟିର ସଭାପତି ଲାଲମଣି ଲୁଗୁନଙ୍କ ନେତୃତ୍ୱରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି । ବିଶେଷକରି ମହିଳା ସଶକ୍ତିକରଣ ଯୋଜନା କୁହାଯାଉଥିବା ମିଶନ ଶକ୍ତି ଅଧିନରେ କାର୍ଯ୍ୟ କରୁଥିବା MBK, CRP, ପ୍ରାଣୀମିତ୍ର, କୃଷିମିତ୍ର, ବ୍ୟାଙ୍କ ମିତ୍ର, ESP ଆଦି ପଦବୀରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ବହୁତ କମ ଦରମା ଦେଇ ଅଧିକ କାର୍ଯ୍ୟଭାର ଦିଆଯାଉଛି । ଏହି ଗ୍ରାମାଞ୍ଚଳର ମହିଳାମାନଙ୍କୁ 2000 ରୁ 2500 ଟଙ୍କା ଦରମା ଦେଇ ଏକାଧିକ ଦାୟିତ୍ୱ ଓ କାର୍ଯ୍ୟଭାର ଦିଆଯାଉଛି ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରିଛି । ସେମାନଙ୍କୁ କାର୍ଯ୍ୟ ଅନୁସାରେ ଦରମା ଦିଆଯାଉନାହିଁ ବୋଲି ଆପ୍ ସମ୍ବଲପୁର ସଭାପତି ଲାଲ ମଣି ଲୁଗୁନ କହିଛନ୍ତି।

ଗତ 20 ତାରିଖରେ ଭୁବନେଶ୍ୱର ଠାରେ ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ପ୍ରାୟ 20 ହଜାର ମହିଳା କର୍ମଚାରୀଙ୍କୁ ବିଜେଡି ନେତା ସୁବାଷ ସିଂ ଓ ପ୍ରଣବ ପ୍ରକାଶ ଦାସ ଭେଟି ସେମାନଙ୍କ ସହ ଆଲୋଚନା କରି ମଧ୍ୟ କୌଣସି ଠୋସ ପ୍ରତିଶ୍ରୁତି ଦେଇନଥିବା ଅଭିଯୋଗ କରିଛି ଆପ୍ । ଏଭଳି ପରିସ୍ଥିତି ଜାରି ରହିଲେ ଆଗାମୀ ଦିନରେ ଆମ ଆଦମୀ ପାର୍ଟି ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆପ୍ କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହି ଆନ୍ଦୋଳନରେ ସମ୍ବଲପୁର ଜିଲ୍ଲା ଆପ୍ ସଭାପତି ଲାଲମଣି ଲୁଗୁନ, ବରିଷ୍ଠ ସଦସ୍ୟ ବୀରେନ୍ଦ୍ର କୁମାର ପାଣିଗ୍ରାହୀ, ଲିଙ୍କନ କିଣ୍ଡୋ, ବୀର କିଶୋର ଭୋରସାଗର, ଭୁପେନ ସାହୁ, ରାଜ କିଶୋର ଦେବତା, ଅଜୟ ସାହୁ, କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଆପ୍ ମହିଳା ସଭାପତି ସନ୍ଧ୍ୟା ମନ୍ଦାର, କୁଚିଣ୍ଡା ଆପ ମହିଳା ସାଧାରଣ ସମ୍ପାଦକ ନିରୂପମା ଦେହୁରୀ ଓ ସୁସ୍ମିତା ମିରଧା ପ୍ରମୁଖ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ସମ୍ବଲପୁର ସହରର ପାନୀୟ ଜଳ, ଡ୍ରେନେଜ ଅବ୍ୟବସ୍ଥା, ବିଦ୍ୟୁତ ବିଲ୍ ଆଦାୟରେ ଅନିୟମିତତା ଆଦି ସମସ୍ୟା ନେଇ ମଧ୍ୟ ଆମ ଆଦମୀ ପାର୍ଟି ପକ୍ଷରୁ ବିଭିନ୍ନ ସମୟରେ ପର୍ଯ୍ୟାୟକ୍ରମେ ଲୋକଙ୍କ ହିତ ପାଇଁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.