ETV Bharat / state

ସମ୍ବଲପୁରରେ 5T ସଚିବ, ସମଲେଇ ପ୍ରକଳ୍ପର କଲେ ସମୀକ୍ଷା

author img

By

Published : May 28, 2023, 7:27 PM IST

Development works of Maa Samaleswari Temple
Development works of Maa Samaleswari Temple

ଦିନିକିଆ ସମ୍ବଲପୁର ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ । ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ସେ ସମଲେଇ ଯୋଜନାର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ସମଲେଇ ପ୍ରକଳ୍ପର କଲେ ସମୀକ୍ଷା

ସମ୍ବଲପୁର:ସମ୍ବଲପୁର ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ । ଆଜି ସକାଳୁ ଦିନିକିଆ ସମ୍ବଲପୁର ଗସ୍ତରେ ଆସି 5ଟି ସଚିବ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ସମଲେଇ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଛନ୍ତି । ସେହିପରି ନିର୍ମାଣକାରୀ ସଂସ୍ଥା ସହିତ କାମ ଶୀଘ୍ର ଶେଷ କରିବା ପାଇଁ ଆଲୋଚନା କରିଥିଲେ ।

ତେବେ ୫ଟି ସଚିବ ଆଜି ସକାଳ ପ୍ରାୟ 6ଟା ସମୟରେ ସେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ସଚିବଙ୍କ ସହ ସମ୍ବଲପୁର ଜମାଦାରପାଳି ସ୍ଥିତ ଏୟାରଷ୍ଟ୍ରିପ୍‌ରେ ପହଞ୍ଚି ଥିଲେ । ସେଠାରୁ ସେ ସଡ଼କ ପଥରେ କାର୍‌ ଯୋଗେ ଆସି ସମଲେଶ୍ୱରୀ ମନ୍ଦିରରେ ପ୍ରାୟ ସାଢେ 7ଟା ସମୟରେ ପହଞ୍ଚି ଥିଲେ । ସେଠାରେ କଡ଼ା ସୁରକ୍ଷା ବଳୟ ଭିତରେ ସେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ମା ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ । ଏହାପରେ ସେ ମନ୍ଦିର ପରିସରରେ ଉପସ୍ଥିତ ଥିବା କେତେକ ସାଧାରଣ ଲୋକଙ୍କ ସହ କଥାବାର୍ତ୍ତା ହେବା ସହ ହାତ ମିଲେଇ ଥିଲେ । କେତେକ ସ୍ୱେଚ୍ଛାସେଵୀ ସଂଗଠନର ସଦସ୍ୟ ମାନଙ୍କଠାରୁ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ।

ଏହାପରେ ସେ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ, ଓବିସିସିର ବରିଷ୍ଠ ଅଧିକାରୀ ଓ ସମଲେଇ ପ୍ରକଳ୍ପ କାର୍ଯ୍ୟ କରୁଥିବା ସଂସ୍ଥାର ଅଧିକାରୀଙ୍କ ସହ ସମଲେଇ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିଥିଲେ । ଏଥିସହ ସମଲେଇ ପ୍ରକଳ୍ପର ଭିନ୍ନ ଭିନ୍ନ ତିନୋଟି ସ୍ଥାନକୁ ଯାଇ ସମଲେଇ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଫୁଙ୍ଖାନୂଫୁଙ୍ଖ ଆଲୋଚନା କରିଥିଲେ । ମୁଖ୍ୟତଃ ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ କାମକୁ ଚଳିତ ବର୍ଷ ଡିସେମ୍ବର ମାସ ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ ।

ତେବେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର 45 ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହା ସହ ଭେଣ୍ଡିଂ ଜୋନ୍‌, ରିଭର୍‌ଫ୍ରଣ୍ଟ୍‌ ଭିୟୁ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉପରେ ଅଧିକ ପ୍ରାଥମିକତା ଦିଆଯାଉଛି ବୋଲି ସୂଚନା ଦିଆଯାଇଛି । ଅନ୍ୟପଟେ ସମ୍ବଲପୁରର ବିଭିନ୍ନ ମନ୍ଦିରର ବିଭିନ୍ନ ସମସ୍ୟା ନେଇ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ 5T ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.